
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ତୈଳଦର ସର୍ବକାଳୀନ ରେକର୍ଡ ଛୁଇଁଥିବାବେଳେ ଏହାର ପ୍ରତିବାଦରେ ରାଜ୍ୟର କ୍ଷମତାସୀନ ବିଜେଡି ଚଳିତମାସ ୭ରୁ ୯ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ରାଜ୍ୟବ୍ୟାପୀ ପେଟ୍ରୋଲ ପମ୍ପ ସମ୍ମୁଖରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି। ତେବେ ବିଜେଡିର ଏହି ପ୍ରତିବାଦ ସାଧାରଣ ଲୋକଙ୍କ ସ୍ୱାର୍ଥରେ ନା ଦଳୀୟ ରାଜନୀତିକ ସ୍ୱାର୍ଥପୂର୍ତ୍ତି ପାଇଁ ଉଦ୍ଦିଷ୍ଟ, ତାକୁ ନେଇ ଚର୍ଚ୍ଚା।
ବିଜେଡି ପକ୍ଷରୁ ଆଜି ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ପଷ୍ଟୀକରଣକୁ କଡ଼ା ସମାଲୋଚନା କରାଯାଇଛି। ତୈଳ ଦର ତୁରନ୍ତ ହ୍ରାସ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଦୁର୍ବାର କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି।
ତେବେ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାର ପ୍ରଥମ ଦିନରେ ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ବିରୋଧରେ ରାଜନୀତି କରିବା ପାଇଁ ବିଜେଡି ଏକ ଅସ୍ତ୍ର ପାଇଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।
ରାଜନୀତିକ ବିଶ୍ଲେଷକଙ୍କ କହିବା ଅନୁସାରେ ତୈଳ ଦର ଯେଭଳି କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି, ତାହା ଉପରେ ଅଙ୍କୁଶ ଲାଗିବା ଜରୁରୀ ହୋଇପଡ଼ିଛି। ତେବେ ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ପ୍ରୟାସ କରିବା ଉଚିତ୍। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କିଛି ପରିମାଣର ଟିକସ ହ୍ରାସ କଲେ ତୈଳ ଦର ସାଧାରଣ ଲୋକଙ୍କୁ ଅତିଷ୍ଠ କରନ୍ତା ନାହିଁ।କିନ୍ତୁ ତୈଳ ଦର ବୃଦ୍ଧିକୁ ନେଇ ବିଜେଡି ଯେଉଁ ରାଜନୀତିକ ଗୋଟିଚାଳନା କରୁଛି ତାହା ଦଳର ଦୋମୁହାଁ ଆଭିମୁଖ୍ୟକୁ ପଦାରେ ପକାଇଛି।
ପ୍ରଥମତଃ ରାଜ୍ୟରେ ବିଜେଡି ସରକାର ସରକାର ଗତ ୪ବର୍ଷ ମଧ୍ୟରେ ପେଟ୍ରୋଲ-ଡିଜେଲ ଉପରେ ଭ୍ୟାଟ ହାରକୁ ୨୦ରୁ ୨୬ ପ୍ରତିଶତକୁ ବୃଦ୍ଧି କରିସାରିଛନ୍ତି। ପେଟ୍ରୋଲ ଓ ଡିଜେଲରୁ ରାଜ୍ୟ ସରକାର ବର୍ଷକୁ ପ୍ରାୟ ୩୨୦୦ରୁ ୩୩୦୦କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି।
ରାଜ୍ୟ ନେଉଥିବା ୨୬ ପ୍ରତିଶତ ଭ୍ୟାଟ୍ ହାରକୁ ହ୍ରାସ କରିବା ସପକ୍ଷରେ ବିଜେଡି ସରକାର ନାହାନ୍ତି। ଓଲଟା ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କମ ଭ୍ୟାଟ ଆଦାୟ ହେଉଛି ବୋଲି ବିଜେଡି ଯୁକ୍ତି ବାଢ଼ୁଛି। କେନ୍ଦ୍ର ସରକାର ଉପରେ ଟିକସ ହ୍ରାସ ପାଇଁ ମଧ୍ୟ ବିଜେଡି ଚାପ ପକାଉଛି। ଯଦିଓ ଗୋଆ ଭଳି ରାଜ୍ୟରେ ପେଟ୍ରୋଲ ଉପରେ ମାତ୍ର ୧୨ ପ୍ରତିଶତ ଭ୍ୟାଟ ଆଦାୟ ହେଉଛି।
କେନ୍ଦ୍ର ସରକାରକୁ ସବୁକ୍ଷେତ୍ରରେ ଟକ୍କର ଦେଇ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଥିବା ବିଜେଡି ଯଦି ଭ୍ୟାଟ୍ ହାର ସାମାନ୍ୟ ହ୍ରାସ କରନ୍ତା ତା’ହେଲେ ରାଜ୍ୟବାସୀ ଆଶ୍ୱସ୍ତି ଲାଭ କରିପାରନ୍ତେ।କେନ୍ଦ୍ରର ଆୟୁଷ୍ମାନ ଯୋଜନାକୁ ଗ୍ରହଣ ନକରି ନିଜସ୍ୱ ପାଣ୍ଠିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରୁଥିବା ବିଜେଡି ସରକାର ସମାନ୍ତରାଳ ଭାବେ ନିଜସ୍ୱ ଖାଦ୍ୟ ଯୋଜନା, ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ବିଜୁ ପକ୍କାଘର ଯୋଜନା ଆଦି କାର୍ଯ୍ୟକାରୀ କରୁଛନ୍ତି।
ଭୋଟବ୍ୟାଙ୍କକୁ ଦୃଷ୍ଟିରେ ରଖି କେନ୍ଦ୍ର ସହ ଟକ୍କର ଦେଇ ହଜାର ହଜାର କୋଟି ଟଙ୍କା ବ୍ୟୟରେ ଏହି ଯୋଜନାସବୁ କାର୍ଯ୍ୟକାରୀ କରୁଥିବାବେଳେ ତୈଳଦର ଉପରେ ଭ୍ୟାଟ୍ ହ୍ରାସ ବେଳକୁ ବିଜେଡି ରାଜନୀତିକ ଗୋଟିଚାଳନା କରୁଛି। ଯଦି ଲୋକଙ୍କ ସ୍ୱାର୍ଥ ଓ ସମସ୍ୟା ପ୍ରତି ବିଜେଡି ସରକାର ଆନ୍ତରିକତା ପ୍ରଦର୍ଶନ କରୁଥାନ୍ତା ତା’ହେଲେ ନିଶ୍ଚିତ ଭାବେ ଭ୍ୟାଟ ହାର ହ୍ରାସ କରି ପାରନ୍ତା।
ଭ୍ୟାଟ୍ ମାତ୍ର ୫ ପ୍ରତିଶତ ହ୍ରାସ କଲେ ରାଜ୍ୟ ସରକାରଙ୍କୁ ଅତିବେଶୀରେ ବର୍ଷକୁ ୬୫୦କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡ଼ନ୍ତା। କିନ୍ତୁ ତାହା ନକରି ବିଜେଡି ସରକାର ରାଜନୀତିକ ଫାଇଦା ସାଉଁଟିବାକୁ ଚାହୁଁଛନ୍ତି ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।
ସୂଚନାଯୋଗ୍ୟ, ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଦୁଇ ଛାମୁଆ ସଂଗଠନ ଛାତ୍ର ଓ ଯୁବ ଶାଖା ପକ୍ଷରୁ ଚଳିତବର୍ଷ ଏପ୍ରିଲ ୭ ତାରିଖରେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ସହ ଲୋକଙ୍କୁ ସଚେତନ କାର୍ଯ୍ୟକ୍ରମ କରିଥିଲା। ଏହାସହିତ ମେ’ ୨୮ରୁ ୩୦ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ୩ପାଇଁ ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଧାରଣା ଓ ସଚେତନତା କାର୍ଯ୍ୟକ୍ରମ କରିଥିଲା।
କିନ୍ତୁ ଏଥିରୁ କୌଣସି ସୁଫଳ ମିଳୁନଥିବାବେଳେ ବିଜେଡି ପୁଣିଥରେ ସେହି ମାର୍ଗ ଆପଣାଇ ସେପ୍ଟେମ୍ବର ୭ରୁ ୯ତାରିଖ ପର୍ଯ୍ୟନ୍ତ ୩ ଘଣ୍ଟିଆ ଧାରଣା ଦେବା କଥା ଘୋଷଣା କରିବା ଦଳର ରାଜନୀତିକ ସ୍ୱାର୍ଥକୁ ପଦାରେ ପକାଇଛି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା।
from Odisha Reporter https://ift.tt/2wI84fR
No comments:
Post a Comment