କେବେଠୁ ଓ କାହିଁକି ପାଳନ କରାଯାଉଛି, ଗୁରୁ ଦିବସ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 4, 2018

କେବେଠୁ ଓ କାହିଁକି ପାଳନ କରାଯାଉଛି, ଗୁରୁ ଦିବସ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସିଏ ହିଁ ଗୁରୁ, ଯିଏ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ବାଟ କଢ଼େଇ ଜ୍ଞାନ ରୂପକ ଆଲୋକର ରାସ୍ତା ଦେଖାନ୍ତି। ଯାହାଙ୍କ ପ୍ରଦତ୍ତ ଜ୍ଞାନରେ ଆମେ ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିପାରୁ, ସେ ହିଁ ଗୁରୁ। ଆଜିର ଦିନ ଅର୍ଥାତ୍‌ ‘ଗୁରୁ ଦିବସ’ ସେହି ପ୍ରାତଃସ୍ମରଣୀୟ ଜ୍ଞାନଦାତାଙ୍କ ପାଇଁ ଉଦ୍ଦିଷ୍ଟ।

ଏବେ ଆସନ୍ତୁ ଜାଣିବା, ଏହି ଦିନଟିର ତାତ୍ପର୍ଯ୍ୟ ଏବଂ କେବେଠାରୁ ଓ କାହିଁକି ‘ଗୁରୁ ଦିବସ’ ପାଳନ କରାଯାଉଛି।

ମହାନ୍‌ ଦାର୍ଶନିକ, ଶିକ୍ଷାବିତ୍‌ ତଥା ଭୂତପୂର୍ବ ରାଷ୍ଟ୍ରପତି, ପ୍ରଫେସର୍‌ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମତିଥିକୁ ଗୁରୁଦିବସ ବୋଲି ପାଳନ କରାଯାଏ।

ଶିକ୍ଷାଦାନ ବୃତ୍ତିରୁ ଭାରତର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ହୋଇ ପରେ ‘ଭାରତ ରତ୍ନ’ ପାଇଥିବା ଏହି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କର ଭାରତୀୟ ଶିକ୍ଷା କ୍ଷେତ୍ରକୁ ସ୍ମରଣୀୟ ଅବଦାନ ରହିଛି। ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ହେବା ପରେ ଡକ୍ଟର୍‌ ରାଧାକ୍ରିଷ୍ଣନ୍‌ ୧୯୬୨ ମସିହା ମେ ୧୪ ତାରିଖରେ ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଭାର ଗ୍ରହଣ କରିଥିଲେ ଏବଂ ସଂପୂର୍ଣ୍ଣ ୫ ବର୍ଷ ଯାଏ ଏହି ଦାୟିତ୍ୱରେ ରହିଥିଲେ।

କିଏ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌

ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ ୧୮୮୮ ମସିହା ଆଜିର ତାରିଖ ଅର୍ଥାତ୍‌ ସେପ୍ଟେମ୍ବର ୫ ତାରିଖରେ ତାମିଲନାଡ଼ୁର ( ତତ୍କାଳୀନ ମାଡ୍ରାସ୍‌ ପ୍ରେସିଡେନ୍ସି) ତିରୁତାନି ଗାଁର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ। ପିତାଙ୍କ ନାଁ ଥିଲା ସର୍ବପଲ୍ଲୀ ବୀରସ୍ୱାମୀ । ବୀରସ୍ୱାମୀ ଗରିବ ଥିଲେ ମଧ୍ୟ ପ୍ରଚଣ୍ଡ ଧୀ’ଶକ୍ତିର ଅଧିକାରୀ ଥିଲେ। ଆଉ ବାପାଙ୍କ ସୁଯୋଗ୍ୟ ଦାୟାଦ ଭାବରେ ପୁଅ ରାଧାକ୍ରିଷ୍ଣନ୍‌ ମଧ୍ୟ ଏହି ଇଶ୍ୱରପ୍ରଦତ୍ତ ପ୍ରତିଭାର ଅଧିକାରୀ ଥିଲେ। ତୁଳସୀ ଦୁଇ ପତ୍ରରୁ ବାସିବା ଭଳି କିଶୋର ଅବସ୍ଥାରୁ ହିଁ ରାଧାକ୍ରିଷ୍ଣନ୍‌ଙ୍କ ଅସାଧାରଣ ଜ୍ଞାନ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା। ଆଦ୍ୟ ଜୀବନରେ ସେ ଶିକ୍ଷାଦାନକୁ ନିଜର ବୃତ୍ତି ଭାବେ ଗ୍ରହଣ କରିଥିଲେ। ଦେଶର ବହୁ ନାମୀ ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରି କୋଣ ଅନୁକୋଣରେ ବହୁ ପ୍ରତିଭାସମ୍ପନ୍ନ ଛାତ୍ରଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଭାରତୀୟ ଶିକ୍ଷାନୀତିକୁ ମଧ୍ୟ ଏହି ଦୂରଦ୍ରଷ୍ଟା ଶିକ୍ଷାବିତ୍‌ଙ୍କ ଦାନ ଅତୁଳନୀୟ।

ରାଧାକ୍ରିଷ୍ଣନ୍‌ ମାତ୍ର ୧୬ ବର୍ଷ ବୟସରେ ଶିବାକମୁଙ୍କୁ ବିବାହ କରିଥିଲେ।

ସମ୍ମାନ ଓ ସ୍ୱୀକୃତି: ଶିକ୍ଷା ଓ ରାଜନୀତିର ଉତ୍କୃଷ୍ଟ ଅବଦାନ ପାଇଁ ଡକ୍ଟର୍‌ ରାଧାକ୍ରିଷ୍ଣନ୍‌ଙ୍କୁ ୧୯୫୪ ମସିହାରେ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। କେବଳ ଭାରତ ସରକାର ନୁହନ୍ତି, ବ୍ରିଟେନ୍ ସରକାର ମଧ୍ୟ ୧୯୬୨ ମସିହାରେ ରାଧାକ୍ରିଷ୍ଣନ୍‌ଙ୍କୁ ‘‘ଅର୍ଡର୍‌ ଅଫ୍‌ ମେରିଟ୍‌’ ସମ୍ମାନରେ ସମ୍ମାନିତ କରିଥିଲେ।

କାହିଁକି ତାଙ୍କ ଜନ୍ମଦିନ ପାଲଟିଗଲା ଗୁରୁ ଦିବସ?

୧୯୬୨ ମସିହାରେ ଦେଶର ରାଷ୍ଟ୍ରପତିଭାବେ ଦାୟିତ୍ୱ ନେବା ପରେ ଡକ୍ଟର ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମ ଦିନକୁ ତାଙ୍କ ଛାତ୍ରଛାତ୍ରୀମାନେ ‘ରାଧାକ୍ରିଷ୍ଣନ୍‌ ଦିବସ’ ରୂପେ ପାଳନ କରିବାକୁ ଅନୁମତି ମାଗିଥିଲେ। କିନ୍ତୁ ରାଧାକ୍ରିଷ୍ଣନ୍‌ ଏଥିରେ ରାଜି ହୋଇ ନଥିଲେ। ବରଂ କହିଥିଲେ,ଏହି ଦିନକୁ ତାଙ୍କ ଜନ୍ମଦିନ ଭାବେ ପାଳନ ନକରି ଦେଶବ୍ୟାପୀ ‘ଗୁରୁ ଦିବସ’ ରୂପେ ପାଳନ କରାଯାଉ। ଆଉ ସେବେଠାରୁ ଅର୍ଥାତ୍‌ ୧୯୬୨ ମସିହା ସେପ୍ଟେମ୍ବର ୫ରୁ, ସେହି ମହାନ୍‌ ଗୁରୁ ତଥା ଦାର୍ଶନିକ ପ୍ରଫେସର୍‌ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ପୂଣ୍ୟ ଜନ୍ମ ଦିନକୁ ସାରା ଦେଶରେ ‘ଗୁରୁ ଦିବସ’ ଭାବେ ପାଳନ କରାଯାଉଛି।



from Odisha Reporter https://ift.tt/2NeQIko

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages