
ନୂଆଦିଲ୍ଲୀ: ମହିଳା ଟି-୨୦ ସେମିଫାଇନାଲ୍ରୁ ଷ୍ଟାର୍ ଖେଳାଳି ମିତାଲି ରାଜଙ୍କୁ ବାଦ ଦେବା ଏବଂ ଭାରତ ଏହି ମ୍ୟାଚ୍ରେ ପରାସ୍ତ ହେବା ଘଟଣାରେ ଜାରି ରହିଥିବା ବୟାନବାଜିରେ ଆଜି ବିସିସିଆଇ ହସ୍ତକ୍ଷେପ କରିଛି। ବିସିସିଆଇ ଉଭୟ ମିତାଲି ଏବଂ ଅଧିନାୟକ ହରମନପ୍ରୀତ କୌରଙ୍କୁ ଡାକି ସେମାନଙ୍କ ବୟାନ ରେକର୍ଡ କରିଛି।
ମିତାଲି, ହରମନପ୍ରୀତ ଓ ମ୍ୟାନେଜର ତୃପ୍ତି ଭଟ୍ଟାଚାର୍ଯ୍ୟ ବିସିସିଆଇ ସିଇଓ ରାହୁଲ ଜୋହରି ଏବଂ ଜିଏମ୍(କ୍ରିକେଟ୍ ଅପରେସନ୍) ସବା କରିମ୍ଙ୍କୁ ସାକ୍ଷାତ କରି ନିଜ ନିଜର ପକ୍ଷ ରଖିଛନ୍ତି।
ବୈଠକ ପରେ ଜୋହରି କହିଛନ୍ତି, “ ହଁ ଆମେ ପୃଥକ ପୃଥକ ଭାବେ ମିତାଲି, ହରମନପ୍ରୀତ ଓ ତୃପ୍ତିଙ୍କ ସହ ଆଲୋଚନା କରିଛୁ। ଟିମ୍ ଚୟନକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ସେମାନଙ୍କ ମତ ଶୁଣିବା ସହ ଏହାକୁ ଲିପିବଦ୍ଧ କରାଯାଇଛି। ତେବେ ଦୟାକରି ଆପଣମାନେ ବୈଠକରେ କ’ଣ ଆଲୋଚନା ହୋଇଛି ସେ ସମ୍ପର୍କରେ ପଚାରନ୍ତୁ ନାହିଁ।”
ମିଳିଥିବା ସୂଚନା ଅନୁଯାୟୀ, ଜୋହରି ଏବଂ କରିମ ଏକ ରିପୋର୍ଟ ପ୍ରସ୍ତୁତ କରି ସିଓଏକୁ ଦେବେ। ଏହାପରେ ସିଓଏ ଏହାକୁ ତର୍ଜମା କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ। ଏଥିସହ ବୁଧବାର ମହିଳା ଦଳର କୋଚ ରମେଶ ପାୱର ମଧ୍ୟ ଜୋହରି ଏବଂ କରିମଙ୍କୁ ସାକ୍ଷାତ କରି ନିଜର ପକ୍ଷ ରଖିବେ।
ତେବେ ମିତାଲି-ହରମନ୍ପ୍ରୀତ ବିବାଦ ସଂକ୍ରାନ୍ତରେ ନୁହେଁ ବରଂ ପାୱାରଙ୍କ କୋଚ୍ କଣ୍ଟ୍ରାକ୍ଟର ମିଆଦ ନଭେମ୍ବର ୩୦ରେ ଶେଷ ହେଉଥିବାରୁ ଏସମ୍ପର୍କରେ ଆଲୋଚନା କରିବାକୁ ତାଙ୍କୁ ଡକା ଯାଇଥିବା ରିପୋର୍ଟ ପ୍ରକାଶ ପାଇଛି।
ମିତାଲି ବିଶ୍ୱକପ୍ରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ସେମିଫାଇନାଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇ ନଥିଲା। ଏସମ୍ପର୍କରେ ହରମନପ୍ରୀତ କହିଥିଲେ ଯେ ଦଳର ସ୍ୱାର୍ଥ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ମିତାଲିଙ୍କୁ ବେଞ୍ଚରେ ବସାଇ ଆମେ ଅନୁତାପ କରୁନାହୁଁ ବୋଲି କହିବା ପରେ ବିବାଦ ସୃଷ୍ଟି ହୋଇଥିଲା।
from Odisha Reporter https://ift.tt/2DHA07Y
No comments:
Post a Comment