ଖାରବେଳଙ୍କ ପ୍ରତି ଏତେ ଭୟ କାହିଁକି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ଖାରବେଳଙ୍କ ପ୍ରତି ଏତେ ଭୟ କାହିଁକି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୌଣସି ବ୍ୟକ୍ତି ଯେତେବେଳେ, ଯେକୌଣସି ସ୍ଥାନରେ, ଯେକୌଣସି ପରିପ୍ରେକ୍ଷୀରେ, ଯେକୌଣସି ପ୍ରସଙ୍ଗରେ, ଯେକୌଣସି ସମୟରେ, ଯାହା ବିରୋଧରେ ମଧ୍ୟ ନିଜର ମତ ସ୍ୱାଧୀନ ଭାବେ ଦେଇନପାରିଲା, ତେବେ ବୁଝିବାକୁ ହେବ ଯେ, ସେ ବ୍ୟକ୍ତିଜଣକ ବାସ କରୁଥିବା ସ୍ଥାନରେ ଗଣତନ୍ତ୍ର ନାହିଁ। ‘ଉତ୍କଳ ଭାରତ ପାର୍ଟି’ର ସଭାପତି ତଥା ପୂର୍ବତନ ସାଂସଦ ଓ ପ୍ରଶାସକ ଐର ଖାରବେଳ ସ୍ୱାଇଁଙ୍କ ଉପରେ ରାୟଗଡ଼ା ଜିଲ୍ଲାର କାଶୀପୁରରେ ଯେଉଁ ଶାରୀରିକ ଆକ୍ରମଣ ହେଲା, ଏହା ସୂଚେଇ ଦେଉଛି ଯେ, ଓଡ଼ିଶାରେ ଗଣତନ୍ତ୍ର ବିପଦରେ ପଡ଼ିଛି।

ଖାରବେଳ ବାବୁ, ତଥାକଥିତ ରାଜନୈତିକ ଧାରାଠାରୁ ବାଟଭାଙ୍ଗି ବାଟ ଚାଲୁଥିବା ଜଣେ ରାଜନେତା। ସେ ରାଜନୀତିରେ ଅଛନ୍ତି, କିନ୍ତୁ କଳୁଷିତ ହୋଇନାହାଁନ୍ତି। ‘ଭାରତୀୟ ପ୍ରଶାସନିକ ସେବା’ର ଲୋଭନୀୟ ଚାକିରି ଛାଡ଼ି ସେ ଆସିଥିଲେ ସ୍ୱଚ୍ଛ ରାଜନୀତି କରିବାକୁ। ଆମ ପରି ଏକ ସୁରକ୍ଷିତ ଦୂରତାରେ ଠିଆହୋଇ, ରାଜନୀତିକୁ ‘କଳୁଷିତ’ ବୋଲି ନକହି, ସେ ସେଇ କଳୁଷିତ ପୋଖରୀରେ ପଶିଥିଲେ ତାକୁ ସ୍ୱଚ୍ଛ କରିବାକୁ। କିନ୍ତୁ ହେଲା କ’ଣ? ସେ ଯୁଆଡ଼େ ଗଲେ ତାଙ୍କୁ ଖୋଲାଖୋଲି ଯିଏ ଚାହିଁଲା ବିରୋଧ କରିପାରିଲା, ପିଟି ପାରିଲା।

ଏଇଥିରୁ ଏହା ହିଁ ବୁଝିବାକୁ ହେବ ଯେ, ୧୮ ବର୍ଷର ବିଜେଡି ଶାସନ ଆମକୁ ଏକ ଅସୁରକ୍ଷିତ ସମାଜ ଦେଇଛି। ଯେଉଁଠି କୌଣସି ବୁଦ୍ଧିଜୀବୀ ଖୋଲାରେ ନିଜ ମତ ପ୍ରକାଶ କରିପାରୁ ନାହିଁ। ଖାରବେଳ ବାବୁଙ୍କୁ ଓଡ଼ିଶାର ଲୋକେ ‘ରାଜନେତା’ କମ୍, ‘ବୁଦ୍ଧିଜୀବୀ’ ବୋଲି ବେଶୀ ଜାଣନ୍ତି। ସେ ରୋକ୍‌ଠୋକ୍ କଥା କହନ୍ତି। ଯାହା ଠିକ୍ କଥା, ତାହା ନିଜ ବିରୋଧରେ ଆସିଲେ ବି ସେ କହିବାକୁ ପଛାନ୍ତି ନାହିଁ। ତେଣୁ ଓଡ଼ିଶାର ବୁଦ୍ଧିଜୀବୀ ତାଙ୍କୁ ଭଲ ପାଆନ୍ତି।

ଖାରବେଳ ବାବୁଙ୍କୁ ରାୟଗଡ଼ା ଜିଲ୍ଲାର କାଶୀପୁରରେ ଗୁଣ୍ଡାଟିଏ ଅଶ୍ରାବ୍ୟ ଭାଷାରେ ଗାଳି କରିବାର ଓ ସମସ୍ତଙ୍କ ଆଗରେ ମାଡ଼ ମାରିବାର ଭିଡିଓ ଦେଖିବା ପରେ ଯଦି ଓଡ଼ିଶାର ଲୋକେ ତାତୁ ନାହାଁନ୍ତି, ତେବେ ବୁଝିବାକୁ ହେବ, ଏ ଜାତି ନପୁଂସକ ହୋଇଯାଇଛି। ସେ ଗୁଣ୍ଡାଟିର ଏତେ ସାହସ ଆସିଲା କେଉଁଠୁ? କାହା ସାହସରେ ସେ ଜଣେ ଏତେବଡ଼ ବ୍ୟକ୍ତିଙ୍କୁ ଖୋଲା ବଜାର ଉପରେ ଦିନଟାରେ ଆତଙ୍କିତ କରି ମାଡ଼ ମାରିଲା? ବିନା ରାଜନୈତିକ ପୃଷ୍ଠପୋଷକତାରେ ଏହା କ’ଣ ସମ୍ଭବ? ତା ଆଚରଣରୁ ଜଣାପଡୁଥିଲା ସେ ଜଣେ ଅଭ୍ୟାସଗତ ଅସାମାଜିକ ବ୍ୟକ୍ତି। ଏପରି ଗୁଣ୍ଡାଗର୍ଦ୍ଦି କରିବା ତା’ର ଅଭ୍ୟାସ। କୌଣସି ଲୋକ ଅଭ୍ୟାସଗତ ଭାବେ ଏପରି କରିବାର ଅର୍ଥ ହେଲା, ତା ପଛରେ କାହାର ଆଶିର୍ବାଦ ନିଶ୍ଚୟ ଅଛି। ନହେଲେ ସେ ଏତେ ସାହସ କରିପାରି ନଥାନ୍ତା।

ଖାରବେଳ ବାବୁଙ୍କୁ ମାଡ଼ର କିଛି ଘଣ୍ଟା ଭିତରେ ପୋଲିସ୍ ସେ ଲୋକଟିକୁ ଗିରଫ କରିନେଲା। କିନ୍ତୁ ଏହାକୁ ପୋଲିସ୍‌ର ତତ୍ପରତା ବୋଲି ଆଦୌ କୁହାଯିବନି। କାରଣ ସୋଶାଲ୍ ମିଡିଆରେ ଘଟଣାର ଭିଡିଓ ଭାଇରାଲ୍ ହେଲାପରେ ହିଁ ପୋଲିସ୍ ଚାପର ବଶବର୍ତ୍ତୀ ହୋଇ ଏପରି କରିଛି। ଖାରବେଳ ବାବୁଙ୍କ କହିବା ଅନୁଯାୟୀ, ସେମାନେ ସଭା କରିବେ ବୋଲି ପୂର୍ବରୁ ପୋଲିସ୍‌କୁ ଜଣାଇ ଅନୁମତି ନେଇଥିଲେ। କିନ୍ତୁ ପୋଲିସ୍ ନଆସିବାରୁ ସେମାନେ ସଭା ଆରମ୍ଭ କରିଥିଲେ। ଏହାର ଅର୍ଥ ପୋଲିସ୍ ଖାରବେଳ ବାବୁଙ୍କୁ ଆଦୌ ଗୁରୁତ୍ୱ ହିଁ ଦେଇନି।

ସେ ଗୁଣ୍ଡାଟି ବିଜେଡିର ବୋଲି ଜୋର୍‌ଦାର୍ ଚର୍ଚ୍ଚା ହେଲାପରେ ତତ୍‌କ୍ଷଣାତ୍ ରାୟଗଡ଼ା ବିଜେଡି ପକ୍ଷରୁ ଏହାକୁ ଖଣ୍ଡନ କରାଗଲା। ଖାରବେଳ ବାବୁଙ୍କୁ ମାଡ଼ ହେଲା ସେଥିପାଇଁ ବିଜେଡି ଯେତେ ଚିନ୍ତିତ ନୁହେଁ, ତାଙ୍କ ସରକାର ଓ ଦଳ ଏହି ଘଟଣାରେ ବଦନାମ ହେଇଯାଉଛି ସେଥିପାଇଁ ସେମାନେ ଚିନ୍ତିତ। ଲୋକଟି ତାଙ୍କ ଦଳର ନୁହେଁ ବୋଲି ବିଜେଡି କହିବାର କିଛି ସମୟ ପରେ ସୋଶାଲ୍ ମିଡିଆରେ ଫଟୋଟିଏ ବୁଲିଲା, ଯେଉଁଥିରେ ସେହି ତଥାକଥିତ ଗୁଣ୍ଡାଟି ବିଜେଡି ନେତା ଓ କର୍ମୀଙ୍କ ମେଳରେ ଆଗଧାଡ଼ିରେ ଠିଆ ହୋଇଛି। ଯେଉଁ କୋଠରିରେ ସମସ୍ତେ ଠିଆ ହୋଇଛନ୍ତି, ସେଠାକାର ପଛ କାନ୍ଥରେ ବିଜୁବାବୁଙ୍କ ଫଟୋ ଲାଗିଛି। ତେଣୁ ଅନୁମାନ କରାଯାଉଛି ସେଟା ବିଜେଡି ଅଫିସ୍‌ ବୋଲି।

ଘଟଣାର ଦିନକ ପରେ ପୋଲିସ୍ ଡିଜି ନିର୍ଦ୍ଦେଶ ଦେଲେ ଯେ, ଏଣିକି ଖାରବେଳ ଯେଉଁଠି ସଭା କରିବେ, ତାଙ୍କୁ ସେହି ଜିଲ୍ଲାର ଏସ୍‌ପି ସୁରକ୍ଷା ଦେବେ। ଏ ସଂପର୍କରେ ଖାରବେଳଙ୍କର କହିବା କଥା ହେଲା, ତାଙ୍କ ସୁରକ୍ଷା ପାଇଁ ଡିଜି ମହାଶୟ ଚିନ୍ତିତ ନୁହଁନ୍ତି। ସରକାର ବଦନାମ ହେଇଯିବ ବୋଲି ସେ ଏପରି ପଦକ୍ଷେପ ନେଇଛନ୍ତି।

ଓଡ଼ିଶା ରାଜନୀତିରେ ଖାରବେଳ ସେମିତି କିଛି ପ୍ରଭାବଶାଳୀ ନୁହନ୍ତି। ଏ କଥା ତାଙ୍କରି ଦଳ ଲୋକେ ହିଁ ଅନେକ ସମୟରେ କହିଛନ୍ତି। ଯଦି କଥାଟି ସେମିତି, ତେବେ ତାଙ୍କୁ ଆକ୍ରମଣ କାହିଁକି କରୁଛନ୍ତି। ଭୟ ଯେ ଭିତରେ କୋଉଠି ନା କୋଉଠି ଅଛି ତାହା ଜଳଜଳ ହୋଇ ଦିଶୁଛି।

ଏ ପ୍ରସଙ୍ଗରେ ଓଡ଼ିଶାର ନାଗରିକ ସମାଜ ଏକାଠି ହେବା ଆବଶ୍ୟକ। ନହେଲେ ଆଗାମୀ ଦିନରେ କାହାର ବି ସ୍ୱାଧୀନ ଭାବେ ମତ ପ୍ରକାଶ କରିବାର ଅଧିକର ରହିନପାରେ। ଏପରି କରି ସରକାର ସୂଚେଇ ଦେବାକୁ ଚାହିଁଛନ୍ତି ଯେ, ସରକାର ବିରୋଧରେ ମୁହଁ ଖୋଲିଲେ, ଗୋଟିଏ ବି ମାଡ଼ ତଳେ ପଡ଼ିବନି।



from Odisha Reporter https://ift.tt/2QhufES

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages