
କଲମ୍ବୋ: ଶ୍ରୀଲଙ୍କାର ରାଷ୍ଟ୍ରପତି ମୈଥ୍ରୀପାଲ୍ ସିରସେନା ଅପ୍ରତ୍ୟାଶିତ ଭାବେ ଦେଶର ପ୍ରଧାନମନ୍ତ୍ରୀ ରନୀଲ ବିକ୍ରମସିଂହେଙ୍କୁ ହଟାଇ ମହିନ୍ଦା ରାଜପାକ୍ଷେଙ୍କୁ ଦାୟିତ୍ୱ ଦେବା ପରେ ଦେଶରେ ରାଜନୀତିକ ଅସ୍ଥିରତା ସୃଷ୍ଟି ହୋଇଥିଲା।
ନୂଆ ପ୍ରଧାନମନ୍ତ୍ରୀ କ୍ଷମତା ଦଖଲ କରିଥିଲେ ହେଁ ରାଷ୍ଟ୍ରପତି ଶ୍ରୀଲଙ୍କା ସଂସଦ ନ ଡାକିବାରୁ ଏହାକୁ ନେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ପ୍ରତିବାଦ ଦେଖାଯାଇଥିଲା। ତେବେ ଆଜି ରାଷ୍ଟ୍ରପତି ଆସନ୍ତା ୫ ତାରିଖରେ ଶ୍ରୀଲଙ୍କାର ସଂସଦ ଡାକିବେ ବୋଲି ନୂଆ ପ୍ରଧାନମନ୍ତ୍ରୀ ରାଜପାକ୍ଷେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ରାଜନୀତିକ ଅସ୍ଥିରତାକୁ ନେଇ ଜାତିସଂଘ ତଥା ବିଭିନ୍ନ ଅନ୍ତର୍ଜାତୀୟ ସମୂହ ତୁରନ୍ତ ଏହାର ସମାଧାନ ପାଇଁ ରାଷ୍ଟ୍ରପତି ମୈଥ୍ରୀପାଲ୍ଙ୍କ ଉପରେ ଚାପ ସୃଷ୍ଟି କରିଥିଲେ।
ଶେଷରେ ଅନ୍ତର୍ଜାତୀୟ ସମୂହଙ୍କ ଚାପରେ ରାଷ୍ଟ୍ରପତି ସଂସଦର ଅଧିବେଶନ ଡକାଇ ସମସ୍ୟାର ସମାଧାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଗତ ଶୁକ୍ରବାର ରାଷ୍ଟ୍ରପତି ଶ୍ରୀ ରାଜପାକ୍ଷେଙ୍କୁ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ। ବିକ୍ରମସିଂହେ ଏଭଳି ନିଯୁକ୍ତିକୁ ଅସାମ୍ବିଧାନିକ ବୋଲି କହିବା ସହ ସଂସଦରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ପାଇଁ ଆସ୍ଥା ଭୋଟ୍ ହେଉ ବୋଲି ଦାବି କରିଥିଲେ। ତେବେ ନଭେମ୍ବର ୧୬ ଯାଏ ସଂସଦ ବସିପାରିବ ନାହିଁ ବୋଲି ରାଷ୍ଟ୍ରପତି ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ ଏବେ ସେ ତାଙ୍କର ମତ ବଦଳାଇଥିବା ଜଣାପଡ଼ିଛି।
from Odisha Reporter https://ift.tt/2QbDSBy
No comments:
Post a Comment