
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୨ବର୍ଷରେ ପଦାର୍ପଣ କରିଥିବା ରାଜ୍ୟର ସର୍ବବୃହତ ଆଞ୍ଚଳିକ ଦଳ ବିଜେଡି ଆଗାମୀ ନିର୍ବାଚନ ପାଇଁ ଏବେ ଦଳୀୟ ଇସ୍ତାହାର ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।ତେବେ ଏହି ଇସ୍ତାହାର ପ୍ରସ୍ତୁତିରେ ଦଳର କୌଣସି ଅଭିଜ୍ଞ କିମ୍ବା ବରିଷ୍ଠ ନେତାଙ୍କୁ ସାମିଲ କରିବା ପରିବର୍ତ୍ତେ କିଛି ଅଫିସର ଓ ବୈଷୟିକ ବିଶେଷଜ୍ଞଙ୍କ ମାଧ୍ୟମରେ ଇସ୍ତାହାରକୁ ଚୂଡ଼ାନ୍ତ ରୂପ ଦିଆଯାଉଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ନବୀନ ନିବାସରେ ଏବେ ଏହି ଇସ୍ତାହାର ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ବିଜେଡି ଆଇଟି ସେଲ୍ ଏହି ଇସ୍ତାହାର ପ୍ରସ୍ତୁତି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଗତଥରର ନିର୍ବାଚନୀ ଇସ୍ତାହାରରେ ଦଳ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା, ସେଥିରୁ ଅଧିକାଂଶ ପୂରଣ ହୋଇଛି ବୋଲି ଦାବି କରାଯାଉଥିଲେ ମଧ୍ୟ ନିଯୁକ୍ତି କ୍ଷେତ୍ରରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ତେଣୁ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ଓ ଚାକିରି ପାଇନଥିବା ବେକାର ଯୁବକଯୁବତୀଙ୍କ ଆକ୍ରୋଶକୁ ପ୍ରଶମିତ କରିବା ପାଇଁ ଦଳ ବ୍ୟାପକ ନିଯୁକ୍ତି ସୁଯୋଗ ସହ ବେକାରୀ ଭତ୍ତା ଦେବା ଭଳି ପ୍ରତିଶ୍ରୁତି ଉପରେ ଏବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।
ବିଶେଷକରି ଆଗାମୀ ୫ବର୍ଷ ମଧ୍ୟରେ ଅତିକମରେ ୨୦ଲକ୍ଷ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଗ୍ୟାରେଣ୍ଟି ବିଜେଡି ନିଜର ଇସ୍ତାହାରରେ ଦେବ। ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି ନିମନ୍ତେ ଏବେ ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ ବିଜେବି କଲେଜର ବିଜେଡି ସମର୍ଥକ ହୋଇଥିବା କିଛି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଗବେଷଣା ଭିତ୍ତିକ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏହା ବ୍ୟତୀତ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା ଘୋଷଣା କରିଥିବା ବିଜେଡି ଆଗାମୀ ନିର୍ବାଚନରେ ‘ସମସ୍ତଙ୍କୁ ବୀମା’ର ପ୍ରତିଶ୍ରୁତି ନିଜ ଦଳୀୟ ଇସ୍ତାହାରରେ ସ୍ଥାନ ଦେବ ବୋଲି ଜଣାପଡିଛି।
ଭାଗଚାଷୀମାନଙ୍କୁ ଆଇନଗତ ମାନ୍ୟତା ଦେବା, କୃଷକଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା, ମହିଳା ଏସଏଚଜିଗୁଡ଼ିକର ଆର୍ଥିକ ସ୍ଥିତି ସୁଦୃଢ଼ କରିବା ସହ ବିଭିନ୍ନ ସରକାରୀ ଯୋଜନାରେ ସେମାନଙ୍କ ଭାଗିଦାରୀ ନିଶ୍ଚିତ କରିବା, ମହିଳା ଓ ଶିଶୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ଶୁଣାଣି ପାଇଁ ଅଧିକ ସଂଖ୍ୟକ କୋର୍ଟ ଖୋଲିବା, ଅଧିକ ସଂଖ୍ୟକ ପୁଲିସ ନିଯୁକ୍ତି କରିବା, ରିହାତି ଦରରେ ବିଜୁଳି ଯୋଗାଣ ଓ ପଞ୍ଚାୟତସ୍ତରରେ ଖେଳପଡ଼ିଆ ବ୍ୟବସ୍ଥା କରିବା ଆଦିକୁ ନିଜ ଇସ୍ତାହାରରେ ସାମିଲ କରିବାର ବିକଳ୍ପ ଉପରେ ଦଳ ଏବେ ବିଚାରବିମର୍ଶ ଚଳାଇଥିବା କୁହାଯାଉଛି।
ତେବେ ଏସବୁ କାର୍ଯ୍ୟକାରୀ କରାଗଲେ ରାଜକୋଷ ଉପରେ କେତେ ବୋଝ ପଡ଼ିବ ଓ କେତେ ପ୍ରତିଶତ ଭୋଟକୁ ଦଳ ସପକ୍ଷରେ ଆଣିହେବ ତାହା ଅନୁଧ୍ୟାନ କରାଯାଉନଥିବା ଜଣାପଡ଼ିଛି ।
from Odisha Reporter http://bit.ly/2GImbcx
No comments:
Post a Comment