
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଉ ମାତ୍ର କିଛି ଦିନର ଅପେକ୍ଷା। ବିଦାୟ ନେବ ୨୦୧୮। ପୁଣି କିଛି ଆଶା ଓ ସମ୍ଭାବନାର ନୂଆ ସ୍ୱପ୍ନ ନେଇ ଉଦୟ ହେବ ୨୦୧୯ର ସୂର୍ଯ୍ୟ। ଅନେକ ଘଟଣା ଓ ଦୁର୍ଘଟଣାର ମୁକ ସାକ୍ଷୀ ସାଜି ସ୍ମୃତିରେ ରହିଯିବ ୨୦୧୮। ତେବେ ଏଥିରୁ କିଛି ଲୋକଙ୍କ ସାହସ ଓ ଅଧ୍ୟବସାୟକୁ ୨୦୧୯ ବି ଖୁବ୍ ମନେ ପକାଇବ। ଚଳିତ ବର୍ଷ ନିଜର ନିଆରା କାର୍ଯ୍ୟଶୈଳୀ ପାଇଁ ଦେଶବ୍ୟାପୀ ଚର୍ଚ୍ଚାରେ ରହିଥିବା ଏମିତି କିଛି ସରକାରୀ ଅଫିସର୍ଙ୍କ ସମ୍ପର୍କରେ ଆଜି ଆଲୋଚନା କରିବା, ଯେଉଁମାନଙ୍କୁ ୨୦୧୮ରେ ମିଳିଥିଲା ଢେର୍ ସାରା ସାବାସି।
୧.ଅତୁଲ୍ କୁଲ୍କର୍ଣ୍ଣି,ଆଇପିଏସ୍
ଲୋକମାନେ ପୁଲିସ୍ ପାଖକୁ ଆସିବା ଏବଂ ସେମାନଙ୍କ ସମସ୍ୟା ଜଣାଇବା ସ୍ୱଭାବିକ୍। କିନ୍ତୁ ଯେତେବେଳେ ଲୋକମାନେ ସେମାନଙ୍କ ସମସ୍ୟାକୁ ନେଇ ପୁଲିସ୍ ପାଖକୁ ଆସୁନାହାନ୍ତି, ପୁଲିସ୍ ସେମାନଙ୍କ ପାଖକୁ ଚାଲିଗଲେ ଅସୁବିଧା କ’ଣ। ଏମିତି କିଛି ଚିନ୍ତା କରିଥିଲେ ଆଇପିଏସ୍ ଅଫିସର୍ ଅତୁଲ କୁଲ୍କର୍ଣ୍ଣି।
ପୋଲିସ୍କୁ ଲୋକାଭିମୁଖୀ କରିବା ପାଇଁ ନିଆରା ଯୋଜନା କରିଥିଲେ ମହାରାଷ୍ଟ୍ରର ଥାନେର ପୋଲିସ୍ ଆସିଷ୍ଟାଣ୍ଟ୍ ସୁପରିଣ୍ଟେଣ୍ଡେଣ୍ଟ୍ ବା ଏଏସ୍ପି ଅତୁଲ୍ କୁଲକର୍ଣ୍ଣି। ନିଶାଦ୍ରବ୍ୟ ସେବନ, ଯୌନ ଉତ୍ପୀଡ଼ନ ଏବଂ ଘରୋଇ ହିଂସାକୁ କମ୍ କରିବା ପାଇଁ ସେ ପ୍ରଥମେ ଏକ ଟିମ୍ ଗଠନ କରିଥିଲେ।ଏହି ଟିମ୍ର ନାଁ ସେ ରଖିଥିଲେ ‘ଭରୋସା ସେଲ୍’। ଅତୁଲ୍ ଏବଂ ତାଙ୍କ ଟିମ୍ ପ୍ରତି ଶନିବାର ଗାଁ ଗାଁ ବୁଲି ଅଭିଯୋଗ ନିବାରଣ ବୈଠକର ଆୟୋଜନ କରୁଥିଲେ, ଯେଉଁଠି ପୀଡ଼ିତା ବା ପୀଡ଼ିତମାନେ ଆସି ସେମାନଙ୍କ ସମସ୍ୟା ଜଣାଉଥିଲେ। ନାବାଳିକାଙ୍କ ସୁରକ୍ଷା ପାଇଁ ସେ ସ୍କୁଲ୍ରେ ଅଭିଯୋଗ ବାକ୍ସ ରଖିବା ଆରମ୍ଭ କଲେ। ପ୍ରତି ସପ୍ତାହରେ ପାଟ୍ରୋଲିଂ ଭ୍ୟାନ୍ ଯାଇ ସେସବୁ ତଦାରଖ କରୁଥିଲା ଏବଂ ଲୋକଙ୍କ ସମସ୍ୟାର ତତ୍କାଳ ସମାଧାନ ହେଉଥିଲା। ଆଇପିଏସ୍ ଅତୁଲ୍ କୁଲକର୍ଣ୍ଣିଙ୍କ ଏହି ନିଆରା ଲୋକାଭିମୁଖୀ ଯୋଜନା ବେଶ୍ ଲୋକପ୍ରିୟ ହୋଇ ପାରିଥିଲା।
ଅତୁଲ୍ଙ୍କ କହିବା ଅନୁଯାୟୀ, “ମୁଁ ଟାଟା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋଶାଲ୍ ସାଇନ୍ସ୍ (TISS)ରେ ପାଠ ପଢ଼ିଛି। ମୁଁ ପାଠ ପଢ଼ା ସମୟରୁ ଗାଁମାନଙ୍କରେ କାମ କରିବାକୁ ଚାହୁଁଥିଲି। ସମାଜର ଦୁର୍ବଳ ବର୍ଗର ଲୋକଙ୍କ ଜୀବନ କଠିନ ଥାଏ। ସେମାନଙ୍କୁ କେମିତି ନ୍ୟାୟ ମିଳିବ, ମୁଁ ସେ ବିଷୟରେ ସାଧ୍ୟମତେ ଚେଷ୍ଟା କରୁଛି।”
୨. ହର୍ଷ ପୋଦ୍ଦାର୍, ଆଇପିଏସ୍
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ହର୍ଷ ପୋଦ୍ଦାର୍ ଭାରତୀୟ ସିଭିଲ୍ ସର୍ଭିସ୍ରେ ଯୋଗ ଦେବା ପାଇଁ ୟୁକେ(UK)ରୁ ଫେରି ଆସିଥିଲେ। ଆଇପିଏସ୍ ପାଇବା ପରେ ତାଙ୍କର ଅଭିନବ କାର୍ଯ୍ୟଶୈଳୀ ପାଇଁ ଆଜି ସେ ସବୁଠି ପ୍ରଶଂସିତ।
ଏବେ ନାଗପୁରର ଡେପୁଟି କମିଶନର୍ ଅଫ୍ ପୋଲିସ୍ ରୂପେ କାର୍ଯ୍ୟରତ ହର୍ଷଙ୍କର ୟୁନିକ୍ ଥିଓରୀ ‘ୟୁଥ୍ ପାର୍ଲିଆମେଣ୍ଟ ଚାମ୍ପିଅନ୍ସିପ୍’ ମହାରାଷ୍ଟ୍ରର ୧୮ଟି ଜିଲ୍ଲାରେ ଅପରାଧ ଏବଂ ଆତଙ୍କ ବିରୋଧରେ ପାଖାପାଖି ୨ ଲକ୍ଷ ଯୁବ ନେତାଙ୍କୁ ଏକତ୍ରିତ କରିଥିଲା।
୩. ରିମା ରାଜେଶ୍ୱରୀ, ଆଇପିଏସ୍
ତେଲେଙ୍ଗାନାର ଆଇପିଏସ୍ ଅଫିସର୍ ରିମା ରାଜେଶ୍ୱରୀ। ସୋଶାଲ୍ ମିଡିଆରେ ପ୍ରଚାର ହେଉଥିବା ମିଛ ବା ଫେକ୍ ଖବରକୁ ରୋକିବାରେ ରିମାଙ୍କ ରଣନୀତି ତେଲେଙ୍ଗାନାରେ ବେଶ୍ ସଫଳ ହୋଇଛି। ଫେକ୍ ଖବରକୁ ରୋକିବା ପାଇଁ ସେ ଏକ ଅଭିଯାନ ମଧ୍ୟ ତ୍ୱରାନ୍ୱିତ କରିଛନ୍ତି। ଫଳରେ ତାଙ୍କ କାର୍ଯ୍ୟ କ୍ଷେତ୍ରର ପ୍ରାୟ ୪୦୦ ଗାଁରେ କୌଣସି ମିଥ୍ୟା ଖବର ସମ୍ପର୍କିତ ଅପରାଧ ଏଯାଏ ହୋଇନାହିଁ।
କେବଳ ଏତିକି ନୁହେଁ, ରିମାଙ୍କ ନେତୃତ୍ୱରେ ତାଙ୍କ କ୍ଷେତ୍ରାଧିକାରରେ ବହୁ ନୂଆ ସ୍କୁଲ୍ ଖୋଲିଛି। ସ୍କୁଲ୍ରେ ପିଲାଙ୍କୁ ଶୌଚାଳୟ ଏବଂ ପାନୀୟ ଜଳ ଯୋଗାଇ ଦିଆଯାଇଛି। ପାଖାପାଖି ୧୨୦୦ ବାଲ୍ୟବଧୂଙ୍କୁ ବିବାହ ମଣ୍ଡପରୁ ଉଦ୍ଧାର କରାଯାଇଛି। ନିଜ ବିରୋଧରେ ହେଉଥିବା ଅନ୍ୟାୟକୁ ସର୍ବସମ୍ମୁଖକୁ ଆଣିବାର ସାହସ ସେ ଦୁର୍ବଳ ବର୍ଗଙ୍କୁ ଯୋଗାଇ ଦେଇଛନ୍ତି । ନିଜ କାର୍ଯ୍ୟକାଳର ୧୦ବର୍ଷ ମଧ୍ୟରେ ରିମାଙ୍କ ଏସବୁ ଉପଲବ୍ଧି ପାଇଁ ତାଙ୍କୁ ଦେଶବ୍ୟାପୀ ପ୍ରଶଂସା ସାଉଁଟିଛି।
୪.ରେଣୁ ରାଜ୍,ଆଇଏଏସ୍
କେରଳ କ୍ୟାଡର୍ ଆଇଏଏସ୍ ଅଫିସର୍ ରେଣୁ ରାଜ୍ ବୃଦ୍ଧ ଲୋକମାନଙ୍କ ସେବା ଉପରେ ଗୁରୁତ୍ୱ ଦିଅନ୍ତି। ଏଥିପାଇଁ ବିଭିନ୍ନ ମେଡିକାଲ୍ରେ କ୍ୟାମ୍ପ ଆୟୋଜନ କରି ସେ ୨ ହଜାର ବରିଷ୍ଠ ନାଗରିକଙ୍କୁ ମାଗଣା ସେବା ଯୋଗାଇଛନ୍ତି। ଏଥିସହ ତ୍ରିପୁରାରେ ‘ରାଜ୍ୟ ସ୍କୁଲ୍ ଯୁବା ଉତ୍ସବ’ର ଆୟୋଜନ ଏବଂ କେରଳରେ ବନ୍ୟା ଦୁର୍ଗତଙ୍କୁଊ ସେବା ପାଇଁ ମଧ୍ୟ ତାଙ୍କୁ ୨୦୧୮ରେ ଢେର୍ ପ୍ରଶଂସା ମିଳିଥିଲା।
୫. ଆଶିଷ ତିୱାରି,ଆଇପିଏସ୍
ଉତ୍ତରପ୍ରଦେଶର ନକ୍ସଲ୍ ପ୍ରବଣ ଅଞ୍ଚଳ ବହୁଆର୍ରେ ୨୦୧୮ର ‘ପିତୃ ଦିବସ’ ବେଶ୍ ସଫଳତାର ସହ ପାଳନ କରାଯାଇଥିଲା। ଏପରି ସଫଳ ଆୟୋଜନ ପଛରେ ଥିଲେ ମିର୍ଜାପୁରର ଆଇପିଏସ୍ ଅଫିସର୍ ଆଶିଷ ତିୱାରି। ନିଜସ୍ୱ ଉଦ୍ୟମରେ ସେ ସେଠାକାର ଦୁର୍ଗମ ଅଞ୍ଚଳ ଭାବେ ପରିଗଣିତ ରାମଶକଲ୍ ଗାଁର ଏକ ସ୍କୁଲ୍କୁ ଆଡପ୍ଟ କରି ନେଇଥିଲେ। ଏହି ସ୍କୁଲର ନବୀକରଣ କରିବା ସହ ଏହି ଅଞ୍ଚଳକୁ ଏକ ହଳଦିଆ ରଙ୍ଗର ସ୍କୁଲ୍ ବସ୍ ତାଙ୍କରି ଉଦ୍ୟମ ଯୋଗୁ ଚାଲିଛି।

from Odisha Reporter http://bit.ly/2EP69vP
No comments:
Post a Comment