
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ନୀତି ବିଭ୍ରାଟକୁ ନେଇ ଗଜପତି ମହାରାଜଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ‘‘ଗଜପତି ମହାରାଜ ଶସ୍ତାରେ ଖସିଯିବା ଉଚିତ ନୁହେଁ” ବୋଲି ସେ କହିଛନ୍ତି।
ବିଜୟଙ୍କ ଏହି ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ। ଗଜପତି ମହାରାଜଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ““୧୯୬୦ରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଲାଗୁ ହେଲା। ରାଜ୍ୟ ସରକାର ଗଜପତିଙ୍କଠାରୁ ପରିଚାଳନା ଦାୟିତ୍ୱ ସମ୍ପୂର୍ଣ୍ଣ ହାତକୁ ନେଲେ। ସେବେଠାରୁ ଶ୍ରୀମନ୍ଦିର ପ୍ରଶାସନିକ ଦାୟିତ୍ୱ ଗଜପତି ବହନ କରୁନାହାନ୍ତି। ରାଜ୍ୟ ସରକାର ସମସ୍ତ ପ୍ରଶାସନିକ ଦାୟିତ୍ୱ ବହନ କରିଆସୁଛନ୍ତି। ଦୈନନ୍ଦିନ ପ୍ରଶାସନିକ ଦାୟିତ୍ୱ ମୁଖ୍ୟ ପ୍ରଶାସକଙ୍କ ଉପରେ ପୂର୍ଣ୍ଣ ମାତ୍ରାରେ ନ୍ୟସ୍ତ।”
କାର୍ଯ୍ୟାଳୟ ପକ୍ଷରୁ ଆହୁରି କୁହାଯାଇଛି, “ପରିଚାଳନା କମିଟି ଅଧ୍ୟକ୍ଷ ଭାବେ ଗଜପତିଙ୍କ ଦାୟିତ୍ୱ ବୈଠକରେ ଅଧ୍ୟକ୍ଷତା କରିବା। ଏହାବ୍ୟତୀତ ପରିଚାଳନା ନେଇ ଗଜପତିଙ୍କର ଅଧିକାର କି ଦାୟିତ୍ୱ ନାହିଁ। ମହାପ୍ରଭୁଙ୍କ ଆଦ୍ୟ ସେବକ ଭାବେ ପରମ୍ପରା ଅନୁସାରେ ସେବା କରନ୍ତି। ଆଦ୍ୟ ସେବକ ସେବାରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱର କୌଣସି ଅଂଶ ନାହିଁ। ବାସ୍ତବ ସ୍ଥିତି ନେଇ ଗଜପତି ମହାରାଜା ବହୁବାର ସ୍ପଷ୍ଟୀକରଣ ଦେଇସାରିଛନ୍ତି। ସ୍ପଷ୍ଟୀକରଣ ସତ୍ତ୍ୱେ ଏଭଳି ଭ୍ରାନ୍ତ ଧାରଣା ଉପୁଜିବା ଅନୁଚିତ।”
ଆଜି ବିଜୟ ମହାପାତ୍ର କହିଥିଲେ, “ଗଜପତି ମହାରାଜ ଏକ ବିବୃତି ରଖିଛନ୍ତି। ଗଜପତି ମହାରାଜ ଭୁଲି ଯିବା ଉଚିତ ନୁହେଁ, ସେ ପରିଚାଳନା କମିଟିର ସଭାପତି। ଜଗନ୍ନାଥଙ୍କ ଆଦ୍ୟ ସେବକ। ତାଙ୍କୁ ସମସ୍ତେ ଭକ୍ତିର ସହ ସମ୍ମାନ କରନ୍ତି। ତାଙ୍କର ଦାୟିତ୍ୱ, ମନ୍ଦିରର ବ୍ୟବସ୍ଥା କିପରି ଶୃଙ୍ଖଳିତ ହେବ ଦେଖିବା। ଗଜପତି ମହାରାଜ ଶସ୍ତା ବିବୃତି ଦେଇ ଖସିଯିବା ଉଚିତ ନୁହେଁ। ତାଙ୍କ ଦାୟିତ୍ୱ ସେ ସମାପନ କରନ୍ତୁ ଓ ସରକାର ତାଙ୍କ ଦାୟିତ୍ୱ ସମାପନ କରନ୍ତୁ। ପୁରୀ ଘଟଣାକୁ ମାମୁଲି ଭାବେ ଉଭୟ ଗଜପତି ଏବଂ ସରକାର ନ ନିଅନ୍ତୁ।”
ସେ ଆହୁରି କହିଛନ୍ତି, “ଆସନ୍ତାକାଲିଠାରୁ ଆରମ୍ଭ କରି ଗୋଟିଏ ସପ୍ତାହ ପୁରୀରେ ପ୍ରଚୁର ଭିଡ଼ ହେବ। ଓଡ଼ିଶା ବାହାରର ବହୁତ ଭକ୍ତ ଆସୁଛନ୍ତି। ସମସ୍ତେ ଓଡ଼ିଶା ସମ୍ପର୍କରେ ଖରାପ ଧାରଣା ନେଇ ନଯାଆନ୍ତୁ। ଜଗନ୍ନାଥଙ୍କୁ ନେଇ ଓଡ଼ିଶାର ଯେଉଁ ପରିଚୟ ଅଛି, ସେ ବାତାବରଣ ନଷ୍ଟ ନହେଉ।”
from Odisha Reporter http://bit.ly/2AqBiBV
No comments:
Post a Comment