ହୃଦୟ ଛୁଇଁବ, ହେଲେ ବୁଝିବା ସହଜ ନୁହେଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

ହୃଦୟ ଛୁଇଁବ, ହେଲେ ବୁଝିବା ସହଜ ନୁହେଁ

‘ଦିଲ୍‌ ମେ ଆତା ହୁଁ, ସମଝ୍‌ ମେ ନେହିଁ’। ଏକ ହିଟ୍‌ ହିନ୍ଦୀ ଫିଲ୍ମର ଅନ୍ତିମପ୍ରାୟ ଦୃଶ୍ୟର ଏହି ବଳିଷ୍ଠ ସଂଳାପର ସମ୍ଭବତଃ ଓଡ଼ିଆ ଅର୍ଥ ହେଉଛି “ହୃଦୟ ଛୁଇଁବି, ହେଲେ ବୁଝିବା ସହଜ ନୁହେଁ।”

ପୌରାଣିକ କାହାଣୀରେ ‘ସର୍ବଶକ୍ତିମାନ୍‌’ଙ୍କ ପରିକଳ୍ପନା ପ୍ରାୟତଃ ଏହିପରି ଥାଏ। ତେବେ ଭାରତୀୟ ରାଜନୀତିରେ ଏବେ ନୁହେଁ, ବରଂ ବହୁ ପୂର୍ବରୁ ଏପରି ‘ରହସ୍ୟମୟ ଚରିତ୍ର’ର ଛାପକୁ ଅନୁକରଣ କରି ସଂଖ୍ୟାଧିକ ବ୍ୟକ୍ତି ସଫଳ ହୋଇଛନ୍ତି। ଲୋକେ ଯାହା ବୁଝିଥିବେ, ଉପରୋକ୍ତ ‘ରହସ୍ୟମୟ ଚରିତ୍ର’ରେ ସଫଳ ହୋଇଥିବା ବ୍ୟକ୍ତିଙ୍କ କାର୍ଯ୍ୟର ଉଦ୍ଦେଶ୍ୟ କିନ୍ତୁ ସମ୍ପୂର୍ଣ୍ଣ ବିପରୀତ ଥିବ। ଓଡ଼ିଶା ରାଜନୀତିରେ ବି ଏପରି ବହୁବାର ହୋଇଛି, ହେଉଛି ଏବଂ ଆଗକୁ ବି ଏହା ଜାରି ରହିବ।

ବିଜୁବାବୁ ବହୁ ସମୟରେ ଏହି ‘ରହସ୍ୟମୟ ଚରିତ୍ର’ର ମୁଦ୍ରାରେ ରହୁଥିଲେ। ବିଜୁଙ୍କ ସହ ସେ ସମକକ୍ଷ ହୋଇ ନ ପାରନ୍ତି, କିନ୍ତୁ ଏପରି ‘ରହସ୍ୟମୟ ଚରିତ୍ର’ର ଝଲକ୍‌ ବିଚକ୍ଷଣ ଜାନକୀ ବାବୁଙ୍କ ପାଖରେ ମଧ୍ୟ କିଛି କମ୍‌ ନଥିଲା। କିନ୍ତୁ ଏହି ଦୁହିଁଙ୍କ ଭଳି ‘ପ୍ଲସ୍‌ ଓ ମାଇନସ୍‌’ର ଗଣିତ ନ କଷି, କେବଳ ‘ମାଇନସ୍‌’, ‘ମାଇନସ୍‌’ରେ ଚକ୍‌ମା ଦେବାର କଳାକୁ ନବୀନ୍‌ ରାଜନୀତିରେ ସଫଳତାର ସହ ପ୍ରୟୋଗ କରି ଆରମ୍ଭରୁ ପ୍ରାୟ ଦେଢ଼ ଦଶନ୍ଧି ଯାଏ ‘ରହସ୍ୟମୟ ଚରିତ୍ର’ରେ ନିଜ ଏକାକିତ୍ୱ ଜାହିର୍‌ କରିଥିଲେ।

ଏବେ କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜ୍ୟ ରାଜନୀତିରେ ନବୀନ୍‌ଙ୍କ ଏହି ଏକଚାଟିଆ କଳାର ହରଣ ପାଇଁ ଗତ କିଛିଦିନରେ ଏମିତି ଘଟଣା ସବୁ ହୋଇଛି, ଯାହା ରାଜନୀତି ଖବର ପ୍ରତି ରୁଚି ରଖୁଥିବା ବିଭିନ୍ନ ସ୍ତର ଓ ବର୍ଗର ଲୋକଙ୍କ ‘ଦିଲ୍‌’କୁ ଭିନ୍ନ ଶୈଳୀରେ ଛୁଇଁଛି, କିନ୍ତୁ ଏହାର ଉଦ୍ଦେଶ୍ୟ ଅବୁଝା ହୋଇ ରହିଛି।

ହକି ବିଶ୍ୱକପ୍‌ ଉଦ୍‌ଘାଟନ ପୂର୍ବରୁ ରାଜ୍ୟ ପାଇଁ ‘ଦିଲ୍‌କୁ ଛୁଇଁ ଉଦ୍ଦେଶ୍ୟ ଅବୁଝା’ ଭଳି ଘଟଣାରେ ନମ୍ବର-୧ ହେଉଛି ବିଜେପିରେ ଆଇଏଏସ୍‌ ଅପରାଜିତା ଷଡ଼ଙ୍ଗୀଙ୍କ ଯୋଗଦାନ। ଜଣେ କର୍ତ୍ତବ୍ୟନିଷ୍ଠ, ସଚ୍ଚୋଟ ଓ ଦକ୍ଷ ଅଫିସର୍‌ ଭାବେ ପରିଚିତ ମ୍ୟାଡାମ୍‌ ଅପରାଜିତା ରାଜନୀତି ବା ବିଜେପିକୁ ଆସିବା ସାଧାରଣ ଲୋକଙ୍କ ହୃଦୟକୁ ଛୁଇଁବା ଭଳି ଏକ ଘଟଣା। କିନ୍ତୁ ରାଜନୀତିର ଜଟିଳ ରାସ୍ତାରେ କେବଳ ମାତ୍ର ପ୍ରଶାସନିକ ଦକ୍ଷତାକୁ ପୁଞ୍ଜି କରି ଅପରାଜିତା ରାଜ୍ୟ ବିଜେପି ପାଇଁ କେଉଁ ଭୂମିକାରେ କେତେ ସଫଳ ହେବେ, ତାହାର ଉଦ୍ଦେଶ୍ୟ ଉଣାଅଧିକେ ପ୍ରାୟତଃ ଅସ୍ପଷ୍ଟ। ତେବେ ଏହା ସ୍ପଷ୍ଟ ଯେ ଅପରାଜିତା ପ୍ରତିଦ୍ୱନ୍ଦ୍ୱୀ ହୋଇ ନୁହେଁ, ବରଂ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ତାଙ୍କ ଶକ୍ତି ବୃଦ୍ଧି ପାଇଁ ହିଁ ରାଜ୍ୟ ପଦ୍ମ ଗାଡ଼ିଆରେ ପଶିଛନ୍ତି।

‘ଦିଲ୍‌କୁ ଛୁଇଁ ଉଦ୍ଦେଶ୍ୟ ଅବୁଝା’ କ୍ରମର ୨ ନମ୍ବର ଘଟଣା ହେଉଛି, ହକି ବିଶ୍ୱ କପ୍‌ ପାଇଁ ଭୁବନେଶ୍ୱର ଫ୍ଲାଇଟ୍‌ ଧରିଥିବା ବଲିଉଡ୍‌ର ମେଗା ଷ୍ଟାର୍‌ମାନେ ‘ହକି ଇଣ୍ଡିଆ’ ବଦଳରେ ରାଜ୍ୟ ଶାସନ ମୁଖିଆଙ୍କ ଆଖପାଖରେ ଚକ୍କର କାଟିବା। ଭୁବନେଶ୍ୱରରେ ପୁରୁଷ ହକି ବିଶ୍ୱକପ୍‌ର ଆୟୋଜନ ଏବଂ ଏଥିରେ ଶାହାରୁଖ୍‌, ମାଧୁରୀ, ରହମାନ୍‌ ଓ ସଲ୍‌ମାନ୍‌ଙ୍କ ଉପସ୍ଥିତି ନିନ୍ଦୁକମାନଙ୍କ ଦିଲ୍‌କୁ ଛୁଇଁବା ଭଳି ଘଟଣାଟିଏ। କିନ୍ତୁ ନବୀନ୍‌ଙ୍କ ସହ ସେଲ୍‌ଫି ନେବା, ତାଙ୍କୁ ପ୍ରଶଂସାରେ ପୋତିବା, ‘ନବୀନ୍‌ ନିବାସ’ରେ ବଗିଚା ବୁଲିବାରୁ ସେମାନଙ୍କ ଆସିବାର ପ୍ରକୃତ ଉଦ୍ଦେଶ୍ୟ ଏଇଥିପାଇଁ ଅବୁଝା ରହୁଛି ଯେ ସେମାନଙ୍କୁ ଡାକିଲା ଓ ପଇସା ଦେଲା ‘ହକି ଇଣ୍ଡିଆ’, କିନ୍ତୁ ଏମାନେ ପ୍ରଶଂସା ଆଉ ଜଣଙ୍କୁ କଲେ କାହିଁକି? ଏମାନେ ପ୍ରକୃତରେ ହକିର ପ୍ରଚାର, ପ୍ରସାର ପାଇଁ ଆସିଥିଲେ, ନା ନିର୍ବାଚନମୁହାଁ ରାଜ୍ୟରେ ଶାସକ ଦଳର ପୋଷ୍ଟରବୟଙ୍କ ଭାବମୂର୍ତ୍ତିକୁ ନୂଆ ରୂପ ଦେବାକୁ ଆସିଥିଲେ ?

‘ଦିଲ୍‌କୁ ଛୁଇଁ ଉଦ୍ଦେଶ୍ୟ ଅବୁଝା’ କ୍ରମର ଶେଷ ଓ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି, ବିଜେପିରୁ ବିଜୟ ମହାପାତ୍ର ଓ ଦିଲୀପ ରାୟଙ୍କ ଇସ୍ତଫା। ଏ ଦୁହେଁ ଏପରି ନିଷ୍ପତ୍ତି ଅବଶ୍ୟ ନେବେ ବୋଲି ବହୁ ଆଗରୁ ଅନୁମାନ କରାଯାଉଥିଲା। କାରଣ ରାଜ୍ୟ ବିଜେପିର ଆଗାମୀ ଇଲେକ୍ସନ୍‌ ଷ୍ଟ୍ରାଟେଜିରେ ଏମାନଙ୍କୁ ଗୁରୁତ୍ୱ ମିଳିବାର ନଥିଲା। ତେବେ ଏମାନେ ବିଜେପି ଛାଡ଼ିବା ପରେ ହଠାତ୍‌ କୌଣସି ରାଜନୀତିକ ନିଷ୍ପତ୍ତି ନ ନେଇ ଚିତ୍ରକୁ ଅସ୍ପଷ୍ଟ ବା ଅବୁଝା ରଖିବା ପାଇଁ ଏକ ସୁଚିନ୍ତିତ ଯୋଜନା କରିଥିବା ଭଲି ଲାଗୁଛି। କେହି, ବିଶେଷ କରି ବିଜେଡିର ଏକ ଗୋଷ୍ଠୀ ପ୍ରଚାର କରୁଛନ୍ତି ଯେ ଅପରାଜିତା ଓ ବିଜେପିକୁ ଚେକ୍‌ ଦେବା ପାଇଁ ଏ ଦୁହେଁ ବିଜେଡିକୁ ଆସିବାର ରାସ୍ତା ତିଆରି ଚାଲିଛି।

କିନ୍ତୁ ଏକ ନିର୍ଦ୍ଦିଷ୍ଟ ଓ ବିଶ୍ୱସ୍ତ ସୂତ୍ର ଏହାକୁ ଗ୍ରହଣ କରୁ ନାହାନ୍ତି। ଏହି ସୂତ୍ରର କହିବା କଥା, ଏହି ଦୁଇ ବିଜୁ ଶିଷ୍ୟ ପୁଣି ବିଜେଡିକୁ ଫେରିବା ଅର୍ଥ ଆଗାମୀ ଦିନରେ ନବୀନ୍‌ ନିଜ ପାଇଁ କଣ୍ଟା ନିଜେ ପୋତିବେ। ଆଉ ନବୀନ୍ କେବେବି ଏହା ଚାହିଁବେ ନାହିଁ। ତେଣୁ ଏପରି ସମ୍ଭାବନାକୁ ବାଦ୍‌ ଦେଇ ଅନ୍ୟ କିଛି ସୂତ୍ର ଜରିଆରେ ଏମାନେ ରାଜ୍ୟ ରାଜନୀତିର ଦୃଶ୍ୟପଟ୍ଟକୁ ସମ୍ପୂର୍ଣ୍ଣ ବଦଳାଇ ଦେବାର ବ୍ଲୁ-ପ୍ରିଣ୍ଟ୍‌ ତିଆରିରେ ମାତିଛନ୍ତି। ହୋଇପାରେ ଏହି ରଣନୀତି ସଫଳ ହେଲେ ଏହା ସେତେବେଳେ ଓଡ଼ିଶା ରାଜନୀତିକ ଇତିହାସର ହୃଦୟ ଛୁଇଁବ, କିନ୍ତୁ ଏହା କେମିତି ହେବ, ଏବେଠାରୁ ତାହା ବୁଝିବା ସହଜ ନୁହେଁ।



from Odisha Reporter https://ift.tt/2zxBMG0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages