ପାହାଡ଼ର ସୁରକ୍ଷା ପାଇଁ ଲୋକେ କରୁଛନ୍ତି ହୋମଯଜ୍ଞ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ପାହାଡ଼ର ସୁରକ୍ଷା ପାଇଁ ଲୋକେ କରୁଛନ୍ତି ହୋମଯଜ୍ଞ

ଭବାନୀପାଟଣା(ଇଙ୍ଗିତ ପଣ୍ଡା): ପାହାଡ଼ ସୁରକ୍ଷା ପାଇଁ ଆୟୋଜନ କରାଯାଉଛି ହୋମଯଜ୍ଞ। ଏଥିରେ ସାମିଲ୍‌ ହେଉଛନ୍ତି ସ୍ଥାନୀୟ ଗାଁର ପ୍ରାୟ ସବୁ ଲୋକେ। ଲୋକଙ୍କ ବିଶ୍ୱାସ ରହିଛି, ଏପରି ପୂଜା ଓ ଯଜ୍ଞ କଲେ, ପାହାଡ଼ ଉପରେ ଇନ୍ଦ୍ର ଓ କୁବେରଙ୍କ ଆଶିଷ ପଡ଼ିବ। ଭଲ ବର୍ଷା ହେବା ସହ ପାହାଡ଼ରେ ଜଙ୍ଗଲ ସୃଷ୍ଟି ହେବ। ଗାଁ ଲୋକଙ୍କ ଏହି ଚିନ୍ତାଧାରା ଓ ନିରବଚ୍ଛିନ୍ନ ଉଦ୍ୟମ ଯୋଗୁ  ଏକ ଲଣ୍ଡା ପାହାଡ଼ ଆଜି ସବୁଜ ବନାନୀରେ ପରିଣତ ହୋଇପାରିଛି।

ରାଜ୍ୟ କି ଦେଶବାହାରର ନୁହେଁ, କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍‌ ବଡ଼ କର୍ଲାକୋଟ ପଞ୍ଚାୟତର ପାବଲି ଗାଁରେ ରହିଛି ଏହି ସବୁଜ ଜଙ୍ଗଲର ‘ଚାଉଳ’ ପାହାଡ଼। ଏବେ ଅନେକ ଅମୂଲ୍ୟ ବୃକ୍ଷ ସଂପଦକୁ ନେଇ ଏହି ପାହାଡ଼ଟି ଏକ ଘଞ୍ଚ ଜଙ୍ଗଲର ରୂପ ନେଇଛି। ତେବେ ଲଣ୍ଡା ପାହାଡ଼ରେ ସବୁଜ ବଳୟ ସୃଷ୍ଟି କରିବା ପାଇଁ ସ୍ଥାନୀୟ ଲୋକଙ୍କୁ କିଛି କମ୍‌ ତ୍ୟାଗ ଓ ଝାଳ ବୁହାଇବାକୁ ପଡ଼ିନାହିଁ।

କିଛି ବର୍ଷ ତଳେ ଏହି ପାହାଡ଼କୁ ରାଜ୍ୟ ସରକାର କମ୍ପାନୀ ହାତରେ ଟେକି ଦେବାକୁ ନିଷ୍ପତ୍ତି ନେଇଥିଲେ। କାରଣ ପାହାଡ଼ ତଳେ ମୂଲ୍ୟବାନ କ୍ୱାର୍ଚ୍ଚ ପଥର ଗଚ୍ଛିତ ଥିବା ଜଣାପଡ଼ିଥିଲା। ଆଉ ଏହି ମୂଲ୍ୟବାନ ଖଣିଜ ସଂପଦ ସବୁକୁ ଲିଜ୍‌ ଦେବା ପାଇଁ ରାଜ୍ୟ ସରକାର ଟେଣ୍ଡର୍‌ ଡାକିଥିଲେ। କିନ୍ତୁ ସରକାରଙ୍କ ନିଷ୍ପତ୍ତିକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ପ୍ରତିବାଦରେ ମେଳି ବାନ୍ଧି ଆନ୍ଦୋଳନ ବି କଲେ। ଲୋକଙ୍କ ଯୁକ୍ତି ଥିଲା, ପଥର ଖୋଳା ହୋଇ ଡଙ୍ଗର(ପାହାଡ଼) ଧ୍ୱଂସ ପାଇଗଲେ, ଚାଉଳ(‘ଆହାର’) ମିଳିବ ନାହିଁ। କାରଣ ଏହି ପାହାଡ଼ ଗାଁ ଲୋକଙ୍କୁ ପ୍ରତିଦିନର ‘ଆହାର’ ଯୋଗାଏ। ଲୋକଙ୍କ ଯୁକ୍ତିସଙ୍ଗତ ପ୍ରତିବାଦ ଓ ଆନ୍ଦୋଳନ ଯୋଗୁ ରାଜ୍ୟ ସରକାର ଲିଜ୍‌କୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ।

‘ଚାଉଳ’ର ଲିଜ୍‌ ବାତିଲ୍‌ ହେବା ପରେ ପାହାଡ଼କୁ ସୁରକ୍ଷା ଦେବା ପାଇଁ ସ୍ଥାନୀୟ ଲୋକେ ସମୂହ ଅଣ୍ଟା ଭିଡ଼ିଲେ। ପାହାଡରେ ଜଙ୍ଗଲ ସୃଷ୍ଟି କରିବାରେ ଲାଗି ପଡ଼ିଲେ। ଗଛ ଲଗାଇଲେ ଏବଂ ନିଜ ଛୁଆଙ୍କୁ ଯତ୍ନ ନେଲା ପରି ଛୋଟ ଛୋଟ ଚାରାକୁ ସୁରକ୍ଷା ଦେଲେ। ଗାଁର ଆବାଳ-ବୃଦ୍ଧ-ବନିତା ପାଳି କରି ପାହାଡ଼ ଓ ଏଥିରେ ଲଗା ଯାଇଥିବା ଗଛ ସବୁକୁ ଜଗି ରହିଲେ।

ଦିନେ କି ମାସେ ନୁହେଁ, ଦୀର୍ଘ ୩୦ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ନିଷ୍ଠା ଓ ଅକ୍ଲାନ୍ତ ପରିଶ୍ରମ ଯୋଗୁ ପାହାଡ଼ର ୧୦୨ଏକର ବିଶିଷ୍ଟ ଅଞ୍ଚଳରେ ଏବେ ବିଶାଳ ଜଙ୍ଗଲ ସୃଷ୍ଟି ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜଙ୍ଗଲ କେମିତି ବଞ୍ଚିବ ଓ ପରିବେଶ କିପରି ସବୁଜ ଓ ସୁରକ୍ଷିତ ରହିବ, ସେଥିପାଇଁ ଲୋକେ ପ୍ରତିବର୍ଷ ଏଠାରେ ନିୟମିତ ହୋମଯଜ୍ଞ କରୁଛନ୍ତି। ହୋମଯଜ୍ଞ ଓ ପୂଜାର୍ଚ୍ଚନା ଦ୍ୱାରା ଭଲ ବର୍ଷା ହେବ ଏବଂ ଜଙ୍ଗଲର ସବୁଜିମା ଅକ୍ଷୟ ରହିବ ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ ରଖିଛନ୍ତି।

ସବୁଜିମା ପରିବେଶର ସୁରକ୍ଷା ଓ ବିକାଶ ପାଇଁ ଜଙ୍ଗଲ ଭିତରେ ସଭାସମିତିର ଆୟୋଜନ କରି ସ୍ଥାନୀୟ ଲୋକେ ବିଭିନ୍ନ ଉନ୍ନତିମୂଳକ ନିଷ୍ପତ୍ତି ନେଇ ଥା’ନ୍ତି। କେବଳ ପୁରୁଷ ନୁହନ୍ତି, ଜଙ୍ଗଲର ଏପରି ସୁରକ୍ଷା ଓ ବିକାଶରେ ମହିଳାମାନେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ପୁରୁଷମାନେ ବାହାରକୁ କାମ ଧନ୍ଦାରେ ବାହାରି ଗଲେ, ନିଜର ପିଲା ଛୁଆଙ୍କୁ ସାଥୀରେ ଧରି ଜଙ୍ଗଲ ଜଗନ୍ତି ମହିଳା। ଏପରିକି ଜଙ୍ଗଲକୁ ନିୟମିତ ସଫାସୁତୁରା ମଧ୍ୟ ରଖିଥା’ନ୍ତି।

ତେବେ ବିଡ଼ମ୍ବନାର କଥା, ଜଙ୍ଗଲ ବୃଦ୍ଧି ଓ ଏହାର ସୁରକ୍ଷାରେ ସମର୍ପିତ ଏହି ଲୋକମାନଙ୍କୁ ଏଯାଏ ଏହି କାମ ପାଇଁ କୌଣସି ସରକାରୀ ପ୍ରୋତ୍ସାହନ କି ସ୍ୱୀକୃତି ମିଳି ନ ଥିବା ଅଭିଯୋଗ ହୋଇଛି। ସରକାରଙ୍କ ଏପରି ଅବହେଳା ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ସୃଷ୍ଟି କରିଛି।



from Odisha Reporter http://bit.ly/2Tiwoyh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages