
ମାଉଣ୍ଟ ମାଙ୍ଗାନୁଇ: ଅଷ୍ଟ୍ରେଲିଆ ପରେ ନ୍ୟୁଜିଲ୍ୟାଣ୍ଡରେ ମଧ୍ୟ କମାଲ କରିଛି ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆରେ ପ୍ରଥମଥର କୌଣସି ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ଜିତିଥିବା ବିରାଟ୍ ଆଣ୍ଡ କୋ ନ୍ୟୁଜିଲ୍ୟାଣ୍ଡରେ ମଧ୍ୟ ଦୀର୍ଘ ୧୦ ବର୍ଷ ପରେ ଦିନିକିଆ ସିରିଜ୍ ଜିତିବାର ରେକର୍ଡ କରିଛି। ଆଜି ମାଉଣ୍ଟ ମାଙ୍ଗାନୁଇ ଠାରେ ଅନୁଷ୍ଠିତ ତୃତୀୟ ଦିନିକିଆକୁ ଟିମ୍ ଇଣ୍ଡିଆ ୭ ୱିକେଟ୍ରେ ଜିତି ୫ଟିକି ଆ ଦିନିକିଆ ସିରିଜ୍କୁ ଆଗୁଆ ୩-୦ରେ କବଜା କରିନେଇଛି।
ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୪୩ ରନ୍ କରିଥିବା ବେଳେ ଟିମ୍ ଇଣ୍ଡିଆ ୪୨ଟି ବଲ୍ ପୂର୍ବରୁ ୩ ୱିକେଟ୍ ହରାଇ ୨୪୫ ରନ୍ କରିନେଇଛି। ମହେନ୍ଦ୍ର ସିଂହ ଧୋନିଙ୍କ ପରେ ବିରାଟ୍ କୋହଲି ଦ୍ୱତୀୟ ଭାରତୀୟ ଅଧିନାୟକ ଭାବେ ନ୍ୟୁଜିଲ୍ୟାଣ୍ଡରେ ଦିନିକିଆ ସିରିଜ୍ ଜିତିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି।

ଭାରତ ବିଜୟ ବେଳକୁ ଦୀନେଶ କାର୍ତ୍ତିକ ୩୮ ଓ ଅମ୍ବାତି ରାୟୁଡୁ ୪୦ ରନ୍ କରି ଅପରାଜିତ ରହିଥିଲେ।
୯ ଓଭରରେ ମାତ୍ର ୪୧ ରନ୍ ଦେଇ ୩ଟି ୱିକେଟ୍ ଦଖଲ କରିଥିବା ଟିମ୍ ଇଣ୍ଡିଆର ମହମ୍ମଦ ଶାମିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଛି।
୨୪୪ ରନ୍ର ଟାର୍ଗେଟ ପାଇଥିବା ଟିମ୍ ଇଣ୍ଡିଆ ଭଲ ଆରମ୍ଭ କରିଥିଲା। ତେବେ ଦ୍ରୁତ ଗତିରେ ରନ୍ କରିବା ଲୋଭରେ ଓପନର ଶିଖର ଧୱନ ୨୭ ରନ୍ କରି ପ୍ରଥମେ ଆଉଟ୍ ହୋଇଯାଇଥିଲେ। ଏହି ସମୟରେ ଭାରତର ସ୍କୋର ୩୯ ରନ୍ ରହିଥିଲା। ଏହାପରେ ଅଧିନାୟକ ବିରାଟ୍ କୋହଲି(୬୦) ଏବଂ ତାଙ୍କ ଡେପୁଟି ରୋହିତ ଶର୍ମା(୬୨) ଦ୍ୱିତୀୟ ୱିକେଟ୍ ପାଇଁ ୧୧୩ ରନ୍ର ଭାଗୀଦାରି କରିବା ସହ ସ୍ଥିତି ସମ୍ଭାଳିଥିଲେ। ଇତି ମଧ୍ୟରେ ଉଭୟ ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

ଦଳୀୟ ସ୍କୋର ୧୫୨ ଥିବା ବେଳେ ବ୍ୟକ୍ତିଗତ ୬୨ ରନ୍ କରି ରୋହିତ ପ୍ୟାଭିଲୟନ୍ ଫେରିଥିଲେ। ରୋହିତଙ୍କ ପରେ ବିରାଟ୍ ମଧ୍ୟ ୬୦ ରନ୍ କରି ଟ୍ରେଣ୍ଟ ବୋଲ୍ଟଙ୍କ ବଲ୍ରେ ଆଉଟ୍ ହୋଇଯାଇଥିଲେ। ବିରାଟ୍ ଆଉଟ୍ ହେବା ବେଳକୁ ଦଳୀୟ ସ୍କୋର ୧୬୮ ରହିଥିଲା। ଅର୍ଥାତ ଭାରତ ବିଜୟ ଠାରୁ ଆହୁରି ୭୬ ରନ୍ ଦୂରରେ ରହିଥିଲା। ତେବେ ଅମ୍ବାତି ରାୟୁଡୁ ଓ ଦୀନେଶ କାର୍ତ୍ତିକ ୪ର୍ଥ ୱିକେଟ୍ ପାଇଁ ଆଉ କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ। ଉଭୟ କିୱି ବୋଲରଙ୍କୁ ମୁକାବିଲା କରିବା ସହ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିଥିଲେ।
ଶେଷ ୭ ଓଭର୍ରୁ ବିଜୟ ପାଇଁ ଦଳକୁ ମାତ୍ର ୪ ରନ୍ ଦରକାର ଥିଲା। ୪୩ତମ ଓଭର୍ଟିକୁ ବୋଲିଂ କରିବାକୁ ଆସିଥିବା ଡଗ୍ ବ୍ରାସୱେଲ ପ୍ରଥମ ବଲଟି ୱାଇଡ୍ ପକାଇଥିଲେ। ଏହାକୁ ୱିକେଟ୍ କିପର ଟମ୍ ଲାଥାମ ଧରି ନ ପାରିବାରୁ ଏହା ୪ ରନ୍ ହୋଇଯାଇଥିଲା। ଫଳରେ ଟିମ୍ ଇଣ୍ଡିଆ ୪୨ଟି ବଲ୍ ପୂର୍ବରୁ ମ୍ୟାଚ୍ ଜିତି ନେଇଥିଲା।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୨ଟି ୱିକେଟ୍ ନେଇଥିବା ବେଳେ ମିଚେଲ ସାଣ୍ଟନର ଗୋଟିଏ ୱିକେଟ୍ ପାଇଛନ୍ତି। ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ୪୯ ଓଭର୍ରେ ସମସ୍ତ ୱିକେଟ୍ ହରାଇ ମାତ୍ର ୨୪୩ ରନ୍ କରିଥିଲା।
ଦଳ ପକ୍ଷରୁ ରସ୍ ଟେଲର ସର୍ବାଧିକ ୯୩ ରନ୍ କରିଥିଲେ।
from Odisha Reporter http://bit.ly/2Up4Yai
No comments:
Post a Comment