
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେଡିକୁ କିଏ ଦେବ ଚେକ୍ ? ଏହି ପ୍ରସଙ୍ଗ ଏବେ ରାଜ୍ୟ ଓ ଜାତୀୟ ରାଜନୀତିକୁ ସରଗରମ କରିଛି। କଂଗ୍ରେସ୍ର ଶକ୍ତି କ୍ଷୟ ଓ ବିଜେଡି ପ୍ରତି ବିଜେପିର ନରମ ଆଭିମୁଖ୍ୟ ସମ୍ପର୍କରେ ଚର୍ଚ୍ଚା ଭିତରେ ନବୀନଙ୍କୁ ରୋକିବା ଲାଗି ବିଜୁ ପରିବାରର ପୁରୁଣା ସଦସ୍ୟକୁ ନେଇ ନୂଆ ସମୀକରଣ ଦାନା ବାନ୍ଧୁଥିବା କୁହାଯାଉଛି। ଆଉ ଏହି ଚର୍ଚ୍ଚାକୁ ଖୋରକ୍ ଯୋଗାଇଛି ଜାତୀୟ ଗଣମାଧ୍ୟମରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସାକ୍ଷାତକାର।
ଉକ୍ତ ସାକ୍ଷାତକାରରେ ବୈଜୟନ୍ତ କହିଥିଲେ, “୨୦୧୪ ନିର୍ବାଚନରେ ବିଜେଡି ପ୍ରାୟ ୩୫ ପ୍ରତିଶତ ସିଟ୍ରେ ଖୁବ୍ କମ୍ ବ୍ୟବଧାନରେ ଜିତିଥିଲା। ସେଠାରେ ମିଳିତ ଭାବେ ନିର୍ବାଚନ ଲଢ଼ିଲେ ଚିତ୍ର ଭିନ୍ନ ହେବ।”
ଏବେ ପ୍ରଶ୍ନ ଉଠୁଛି ବୈଜୟନ୍ତଙ୍କ ଏହି ମନ୍ତବ୍ୟ କି ସଙ୍କେତ ଦେଉଛି ? ଆସନ୍ତା ନିର୍ବାଚନରେ ନବୀନଙ୍କୁ ଚେକ୍ ଦେବା ପାଇଁ ପ୍ରସ୍ତୁତ ହେଉଛି କି ନୂଆ ଷ୍ଟ୍ରାଟେଜି ? ଏକାଠି ହେବେ କି ବିଜୁ ପରିବାରର ପୁରୁଣା ସଦସ୍ୟ ଓ ଅନ୍ୟ ନେତା ? ବୈଜୟନ୍ତଙ୍କ ସମେତ ଦାମୋଦର ରାଉତ, ବ୍ରଜକିଶୋର ତ୍ରିପାଠୀ, ବିଜୟ ମହାପାତ୍ର, ଦିଲୀପ ରାୟ, ଖାରବେଳ ସ୍ୱାଇଁଙ୍କ ପରି ବରିଷ୍ଠ ନେତା ଏକ୍ ହୋଇ ନବୀନଙ୍କ ବିରୋଧରେ ଲଢିବେ କି ? ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ ଓ ବରିଷ୍ଠ ବିଧାୟକ ଦାମୋଦର ରାଉତ ପୂର୍ବରୁ ନୂଆ ସମୀକରଣ ନେଇ ସଂକେତ ଦେଇଥିଲେ, ଯାହାକୁ ଖୋରାକ୍ ଯୋଗାଇଛି ବୈଜୟନ୍ତଙ୍କ ସାକ୍ଷାତକାର।
ବୈଜୟନ୍ତଙ୍କ ମନ୍ତବ୍ୟ ସହ ଏକମତ ହୋଇଛନ୍ତି ଦାମ, ବ୍ରଜ ଓ ଖାରବେଳ।
ଦାମୋଦର ରାଉତ କହିଛନ୍ତି, “ସମସ୍ତେ ଏକାଠି ହେଲେ ନିର୍ବାଚନରେ ନବୀନ ପଟ୍ଟନାୟକ ଧରାଶାୟୀ ହେବେ।”
ସେହିପରି ସମତାକ୍ରାନ୍ତି ଦଳ ପ୍ରତିଷ୍ଠାତା ସଦସ୍ୟ ବ୍ରଜକିଶୋର ତ୍ରିପାଠୀ କହିଛନ୍ତି, “ସେ (ବୈଜୟନ୍ତ) ଭୁଲ କଥା କହିନାହାନ୍ତି। ଏକାଠି ହେଲେ ଏହା ସମ୍ଭବ। ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି, ତେଣୁ ପରିବର୍ତ୍ତନ ଅସମ୍ଭବ ନୁହେଁ।”
ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ କହିଛନ୍ତି, “ନବୀନ ପଟ୍ଟନାୟକଙ୍କର ଯେଉଁ ଅପାରଗ ଓ ଭ୍ରଷ୍ଟାଚାର ସରକାର ଅଛି, ଆମେ ତା’ ବିରୋଧରେ ଲଢ଼ିବୁ। ସମସ୍ତଙ୍କୁ ନେଇ ନବୀନ ବିରୋଧୀ ମେଣ୍ଟ କରିବାକୁ କଥାବାର୍ତ୍ତା ଚାଲିଛି। ଯାହା ହେବାର ବହୁ ସମ୍ଭାବନା ରହିଛି।”
ରାଜ୍ୟରେ କଂଗ୍ରେସ୍ ଏବେ ତୃତୀୟ ସ୍ଥାନରେ ଥିବାବେଳେ ପଞ୍ଚାୟତ ନିର୍ବାଚନରେ ନିଜ ସ୍ଥିତି ଦୃଢ଼ କରିଥିବା ବିଜେପି ବି ବିଜେଡି ସହ ଭିତିରି ସଂପର୍କ ରଖିଥିବା ଚର୍ଚ୍ଚା ହେଉଛି। ଏବେ ପ୍ରଶ୍ନ ଉଠୁଛି, ୧୮ ବର୍ଷର ଶାସନ ପରେ ନବୀନ ସରକାରରେ ଦୁର୍ନୀତି ଓ ଅପରାଧ ବୃଦ୍ଧି ପାଇଥିବାରୁ ସରକାର ବିରୋଧୀ ହାଓ୍ୱାରୁ ଫାଇଦା ଉଠାଇବାକୁ ଏପରି ଉଦ୍ୟମ ହେଉନାହିଁ ତ ?
ଏପରି କିଛି ହେବାର ନାହିଁ : ବିଜେଡି
ତେବେ ଏପରି ଚର୍ଚ୍ଚାକୁ ବିଜେଡି ବାଏଁ ବାଏଁ ଉଡାଇ ଦେଇଛି। ବିଜେଡି ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, “ନବୀନଙ୍କ ବିରୋଧରେ ଯିଏ ଟିପ୍ପଣୀ ଦେଇଛି ତାକୁ ଲୋକ ପ୍ରତ୍ୟାଖାନ କରିଛନ୍ତି। ଏପରି କିଛି ହେବାର ନାହିଁ।”
୨୦୧୯ ରଣ ଜିତିବା ଲାଗି ବିଜେପି, କଂଗ୍ରେସ ଓ ବିଜେଡି ନିଜ ନିଜ ଯୋଜନା ଅନୁଯାୟୀ ଆଗକୁ ବଢୁଛନ୍ତି। ସେପଟେ ବିଜେଡିରେ ଦିନେ ପ୍ରମୁଖ ଭୂମିକା ତୁଲାଉଥିବା ବିଜୟ, ଦିଲୀପ, ବୈଜୟନ୍ତ ଓ ଦାମ ଆଗାମୀ ଦିନରେ କ’ଣ ପଦକ୍ଷେପ ନେବେ ଓ ତାହା ରାଜ୍ୟ ରାଜନୀତିକୁ କେତେଦୂର ପ୍ରଭାବିତ କରିବ ତା ଉପରେ ସମସ୍ତଙ୍କ ନଜର ରହିଛି।
from Odisha Reporter http://bit.ly/2spiL4E
No comments:
Post a Comment