
ନୂଆଦିଲ୍ଲୀ: ପୁଣିଥରେ ସିବିଆଇ ବିବାଦକୁ ନେଇ ସୁପ୍ରିମକୋର୍ଟ ଆଇନଗତ ଲଢ଼େଇ ଆରମ୍ଭ ହୋଇଛି। ସିବିଆଇ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଅଲୋକ ବର୍ମା ପଦରୁ ବିଦା ହେବା ପରେ ଅନ୍ତରୀଣ ମୁଖ୍ୟ ଭାବେ ଏମ୍ ନାଗେଶ୍ୱର ରାଓଙ୍କୁ ନିଯୁକ୍ତି ମିଳିଛି। ତେବେ ଏମ୍ ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ବେଆଇନ୍ ଦର୍ଶାଇ ଏକ ଆବେଦନ ଆଜି ସୁପ୍ରିମକୋର୍ଟରେ କରାଯାଇଛି।
‘କମନ୍ କଜ୍’ ନାମକ ଏକ ଏନ୍ଜିଓ ସଂସ୍ଥା ପକ୍ଷରୁ ବରିଷ୍ଠ ଆଇନ୍ଜୀବୀ ପ୍ରଶାନ୍ତ ଭୂଷଣ ଏଭଳି ଆବେଦନ କରି କେନ୍ଦ୍ର ସରକାର ଦେଇଥିବା ନିଯୁକ୍ତିକୁ ରଦ୍ଦ କରିବାକୁ ନିବେଦନ କରିଛନ୍ତି।
ଆବେଦନରେ ଦର୍ଶାଯାଇଛି ଯେ, ଦିଲ୍ଲୀ ପୁଲିସ୍ ସ୍ପେଶାଲ ଏଷ୍ଟାବ୍ଲିଶମେଣ୍ଟ ଆକ୍ଟକୁ ଉଲ୍ଲଙ୍ଘନ କରି କେନ୍ଦ୍ର ସରକାର ଏମ୍ ନାଗେଶ୍ୱର ରାଓଙ୍କୁ ନିଯୁକ୍ତି ଦେଇଛି। ଏହା ସଂପୂର୍ଣ୍ଣ ରୂପେ ବେଆଇନ୍। ଏଥିସହ କେନ୍ଦ୍ର ସରକାର ନିୟମ ଅନୁସାରେ ନିୟମିତ ସିବିଆଇ ମୁଖ୍ୟ ନିଯୁକ୍ତ କରନ୍ତୁ ବୋଲି ଏଥିରେ କୁହାଯାଇଛି।
୧୯୮୬ ଓଡ଼ିଶା କ୍ୟାଡ୍ର ଆଇପିଏସ୍ ଏମ୍ ନାଗେଶ୍ୱର ରାଓ ବେଶ ନାଟକୀୟ ଢଙ୍ଗରେ ଅକ୍ଟୋବର ୨୩ ରାତି ପ୍ରାୟ ୨ଟାରେ ପ୍ରଥମେ ସିବିଆଇର ଅନ୍ତରୀଣ ମୁଖ୍ୟ ହୋଇଥିଲେ।
ଏହାର ୭୭ ଦିନ ପରେ ଆଲୋକ ବର୍ମା ପୁଣି ପଦକୁ ଫେରିଥିଲେ। ଏହାର ଦୁଇ ଦିନ ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ହାଇପାୱାର ସିଲେକ୍ସନ୍ କମିଟି ଶ୍ରୀ ବର୍ମାଙ୍କୁ ପଦରୁ ହଟାଇ ଦେଇଥିଲା। ଏହାପରେ ପୁଣି ନାଗେଶ୍ୱର ରାଓ ସିବିଆଇର ଅନ୍ତରୀଣ ମୁଖ୍ୟ ହୋଇଥିଲେ।
from Odisha Reporter http://bit.ly/2D9B7g4
No comments:
Post a Comment