କଂଗ୍ରେସର ବଡ଼ ଗେମପ୍ଲାନ, ବିଜେଡିକୁ ମହଙ୍ଗା ପଡ଼ିବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

କଂଗ୍ରେସର ବଡ଼ ଗେମପ୍ଲାନ, ବିଜେଡିକୁ ମହଙ୍ଗା ପଡ଼ିବ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିବାବେଳେ କଂଗ୍ରେସ ରାଜ୍ୟରେ ଏକ ବଡ଼ ଗେମପ୍ଲାନ ଚୂଡ଼ାନ୍ତ ମୋହର ଅପେକ୍ଷାରେ ରହିଛି। ଯାହାକି ବିଜେଡିକୁ ଆଗାମୀ ନିର୍ବାଚନରେ ବେଶ୍ ମହଙ୍ଗା ପଡ଼ିବାର ଆଶଙ୍କା ରହିଛି। ସମ୍ଭବତଃ କଂଗ୍ରେସ ରାହୁଲ ଗାନ୍ଧିଙ୍କ ଜାନୁଆରୀ ୨୫ ଓ ଫେବୃୟାରୀ ପ୍ରଥମ ସପ୍ତାହରେ ଓଡ଼ିଶା ଗସ୍ତ ପରେ ହିଁ ଏହି ସମ୍ଭାବ୍ୟ ଗେମ ପ୍ଲାନ୍ ବାସ୍ତବ ରୂପ ନେବାର ସମ୍ଭାବନା ରହିଛି।

ରାଜ୍ୟ କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳରୁ ୩ଜଣ ବିଧାୟକଙ୍କ ଇସ୍ତଫା ଓ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଦଳ ରାଜ୍ୟରେ ଭଲ ଫଳାଫଳ କରିବାକୁ ନେଇ ଆଶ୍ୱସ୍ତ। କାରଣ କଂଗ୍ରେସ ଏବେ ନିଜର ସଂଗଠନକୁ ସୁଦୃଢ଼ କରିବା ପାଇଁ ନେତାମାନଙ୍କୁ ଶୃଙ୍ଖଳାର ପାଠ ପଢ଼ାଇବା ଓ ଦଳୀୟ ଗଣ୍ଡି ଭିତରେ ରହିବାକୁ ପ୍ରାଥମିକତା ଦେଉଛି। ଏହି କାରଣରୁ ରାଜ୍ୟରେ କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ଏଥର ନୂଆ ରଣନୀତି ପ୍ରସ୍ତୁତ କରିଛି। ବିଭିନ୍ନ ଛୋଟ ଦଳ ଓ ଅସନ୍ତୁଷ୍ଟ ବିଜୁ ପ୍ରେମୀଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗରେ କଂଗ୍ରେସ ରାଜ୍ୟରେ ନିର୍ବାଚନ ମଇଦାନକୁ ଓହ୍ଲାଇ ବିଜେଡିକୁ କଡ଼ା ଟକ୍କର ଦେବ।

କଂଗ୍ରେସର ସଂଗଠନ ରାଜ୍ୟର ସମସ୍ତ ୧୪୭ ବିଧାନସଭା ମଣ୍ଡଳୀରେ ଥିଲେ ମଧ୍ୟ ଦଳ ଏଥର ନିଜର ସହଯୋଗୀଙ୍କ ସହ ମେଣ୍ଟ ଓ ପରୋକ୍ଷ ସମର୍ଥନ ନିମନ୍ତେ ମାତ୍ର ୧୨୦ଟି ଆସନରେ ନିଜର ପ୍ରାର୍ଥୀ ଦେବ। ସହଯୋଗୀଙ୍କ ପାଇଁ ୨୭ଟି ଆସନ ଛାଡ଼ିଦେବ। ସାଧାରଣ ନିର୍ବାଚନରେ କଂଗ୍ରେସ ରାଜ୍ୟରେ ବାମଦଳ ସହ ମେଣ୍ଟ କରିବା ପ୍ରାୟତଃ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବାବେଳେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ସହ ଆସନ ବୁଝାମଣା କରିବ। ତା’ଛଡ଼ା ୨୦୧୪ ସାଧାରଣ ନିର୍ବାଚନରେ ଯେଉଁ ୨୫ଟି ଆସନରେ କଂଗ୍ରେସକୁ କଡ଼ା ଟକ୍କର ଦେଇ ବିଜେଡି ବିଜୟୀ ହୋଇଥିଲା ସେହି ଆସନକୁ ହାତେଇବା ନିମନ୍ତେ ଦଳ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି।

ଛୋଟ ଦଳ ସହ ମେଣ୍ଟ ଏବଂ ବିଜୁପ୍ରେମୀ ଭାବେ ରାଜ୍ୟରେ ନିଜସ୍ୱ ରାଜନୀତିକ ପତିଆରା ଥିବା ବିଜୟ ମହାପାତ୍ର, ଡାକ୍ତର ଦାମୋଦର ରାଉତ, ବୈଜୟନ୍ତ ପଣ୍ଡା, ଦିଲ୍ଲୀପ ରାୟ ଓ ପଞ୍ଚାନନ କାନୁନଗୋ ଆଦି ବରିଷ୍ଠ ନେତାଙ୍କ ନିର୍ବାଚନୀ ବୁଝାମଣା କରିବା ସପକ୍ଷରେ କଂଗ୍ରେସ ରହିଛି। ସାଧାରଣ ନିର୍ବାଚନରେ ଏହି ସହଯୋଗୀ ଦଳ ଓ ନେତାଙ୍କ ପାଇଁ ପ୍ରାୟ ୨୭ରୁ ୩୦ଟି ଆସନ ଛାଡ଼ିବାକୁ ରାଜି ଥିବା କଂଗ୍ରେସ ସମ୍ଭବତଃ ଏଥର ଆଖିଦୃଶିଆ ଫଳ ହାସଲ କରିବ ବୋଲି ଆଶାବାଦୀ ଅଛି।

୨୦୧୪ ସାଧାରଣ ନିର୍ବାଚନରେ ବିଜେଡିକୁ ୧୧୭ଟି ଆସନ ମିଳିଥିଲା। ଦଳ ସପକ୍ଷରେ ୪୩.୪% ଭୋଟ୍ (୯୩,୩୪ହଜାର ୮୫୨) ପଡ଼ିଥିବାବେଳେ ଜାତୀୟ କଂଗ୍ରେସକୁ ୧୬ଟି ଆସନ ସହ ୨୫.୭ ପ୍ରତିଶତ ଭୋଟ୍ (୫୫,୩୫ହଜାର ୬୭୦) ଓ ବିଜେପିକୁ ୧୦ଟି ଆସନ ସହ ମୋଟ୧୮ ପ୍ରତିଶତ ଭୋଟ୍ (୩୮,୭୪,୭୩୯) ମିଳିଥିଲା। ଏହାଛଡ଼ା ବାକି ଥିବା ପ୍ରାୟ ୧୩ ପ୍ରତିଶତ ଭୋଟକୁ ବିଜେଡି ବିରୋଧରେ ଉପଯୋଗ କରିବା ସହ ରାଜ୍ୟରେ କ୍ଷମତାବିରୋଧୀ ହାୱା ସୃଷ୍ଟି କରିବାକୁ କଂଗ୍ରେସ ଏବେ ବିଜୁପ୍ରେମୀ ବରିଷ୍ଠ ନେତାମାନଙ୍କଠୁ ପରୋକ୍ଷ ଅବା ପ୍ରତ୍ୟକ୍ଷ ସହଯୋଗ ନେବାକୁ ନିଷ୍ପତ୍ତି ନେଇଛି। ଏହି ବିଜୁପ୍ରେମୀ ନେତାମାନେ ପ୍ରତ୍ୟକ୍ଷ ଭାବେ କଂଗ୍ରେସରେ ସାମିଲ ନହେଲେ ମଧ୍ୟ ବିଜେଡିକୁ ପରାଜିତ କରିବା ଭଳି କାର୍ଯ୍ୟକ୍ରମମାନ ରାଜ୍ୟବ୍ୟାପୀ ଆୟୋଜନ କରିବେ। ବିଜୁ ପ୍ରେମୀ ନେତାମାନେ ନିର୍ବାଚନରେ ପ୍ରାର୍ଥୀ ହେଲେ ସେମାନଙ୍କ ଆସନରେ କଂଗ୍ରେସ ନିଜର ଦଳୀୟ ପ୍ରାର୍ଥୀ ନଦେଇ ସେମାନଙ୍କୁ ଖୋଲା ସମର୍ଥନ କରିବ। ଯାହାଫଳରେ ବିଜେଡି ପ୍ରାର୍ଥୀଙ୍କୁ ପରାଜିତ କରିବା ଦଳ ପାଇଁ ସହଜ ହୋଇପାରିବ ବୋଲି ଫର୍ମୂଲା ପ୍ରସ୍ତୁତ ହୋଇଛି। ସେହିପରି ୨୦୧୪ ସାଧାରଣ ନିର୍ବାଚନରେ ଯେଉଁ ୨୫ଟି ସିଟରେ ବିଜେଡି ସ୍ୱଳ୍ପ ବ୍ୟବଧାନରେ ବିଜୟୀ ହୋଇଥିଲା ସେଗୁଡ଼ିକର ତାଲିକା ପ୍ରସ୍ତୁତ କରି ଦଳ ଏବେ ସେସବୁ ଆସନକୁ ହାତେଇବା ନିମନ୍ତେ ରଣନୀତି ପ୍ରସ୍ତୁତ କରିଛି।

ଛତିଶଗଡ଼ରେ କଂଗ୍ରେସ କାହାରିକୁ ନେତା ଭାବେ ଉପସ୍ଥାପିତ ନକରି ମଧ୍ୟ ବିଧାନସଭା ନିର୍ବାଚନରେ ଯେଭଳି ନିର୍ବାଚନୀ ସଫଳତା ପାଇଲା, ତା’ର ସକାରାତ୍ମକ ପ୍ରଭାବ ସୀମାବର୍ତ୍ତୀ ସିଟଗୁଡ଼ିକରେ ପଡ଼ିବ ବୋଲି କଂଗ୍ରେସ ଆଶାବାଦୀ ଅଛି। ଯଦି କଂଗ୍ରେସର ଏହି ସମ୍ଭାବ୍ୟ ରଣନୀତି ନିର୍ବାଚନ ଆଚରଣ ବିଧି ଘୋଷଣା ପୂର୍ବରୁ ବାସ୍ତବ ରୂପ ନିଏ, ତା’ହେଲେ ବିଜେଡି ପ୍ରତି ବଢ଼ୁଥିବା କ୍ଷମତାବିରୋଧୀ ହାୱାକୁ ନିଜ ସପକ୍ଷରେ ଆଣିବାରେ କଂଗ୍ରେସକୁ କେହି ଅଟକାଇ ପାରିବେ ନାହିଁ ବୋଲି କୁହାଯାଉଛି। ଅବଶ୍ୟ ରାଜ୍ୟରେ ବିଜେପିର ବିଜେଡି ପ୍ରତି ଆଭିମୁଖ୍ୟ କିଭଳି ରହିବ ତା’ ଉପରେ ବି କଂଗ୍ରେସର ସମ୍ଭାବ୍ୟ ରଣନୀତି ଅନେକାଂଶରେ ନିର୍ଭର କରୁଛି ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ବ୍ୟକ୍ତ କରିଛନ୍ତି।



from Odisha Reporter http://bit.ly/2CKzvZ0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages