ତେଇଶି ବର୍ଷୀୟା ପ୍ୟାଡ଼ଗାର୍ଲ: ଗାଁ ଝିଅଙ୍କ ପାଇଁ ତିଆରି କରୁଛନ୍ତି ସାନିଟାରୀ ନ୍ୟାପ୍‌କିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ତେଇଶି ବର୍ଷୀୟା ପ୍ୟାଡ଼ଗାର୍ଲ: ଗାଁ ଝିଅଙ୍କ ପାଇଁ ତିଆରି କରୁଛନ୍ତି ସାନିଟାରୀ ନ୍ୟାପ୍‌କିନ୍‌

‘ପ୍ୟାଡ୍‌ ଗର୍ଲ’। ଏହା କୌଣସି ଫିଲ୍ମର ନାଁ ନୁହେଁ। ଏ ହେଉଛି ଓଡ଼ିଶାର ଜଣେ ଯୁବ ଉଦ୍ୟୋଗୀଙ୍କୁ ମିଳିଥିବା ଆଖ୍ୟା। ସେ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା କିମିରା ବ୍ଲକ୍ ବାଗଡିହି ପଞ୍ଚାୟତର ବରପାନ ଗାଁର ପାୟଲ ପଟେଲ୍‌। ସ୍ୱାବଲମ୍ବୀ ହେବାସହ ସେ ଗ୍ରାମୀଣ ମହିଳାଙ୍କ ମଧ୍ୟରେ ସାନିଟାରୀ ନାପ୍‌କିନ୍‌ର ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି କରିପାରିଛନ୍ତି।

ସାନିଟାରୀ ନାପ୍‌କିନ୍‌ ବା ‘ପ୍ୟାଡ୍‌’ ଗ୍ରାମାଞ୍ଚଳ ମହିଳାଙ୍କ ପାଇଁ ସର୍ବଦା ଏକ ଲଜ୍ଜାଜନକ ବା ନିଷିଦ୍ଧ ଶବ୍ଦ ହୋଇ ରହି ଆସିଛି। ମହିଳା ଓ ଯୁବତୀମାନେ ମାସିକ ଧର୍ମ ସମୟରେ ବ୍ୟବହାର କରୁଥିବା ଏହି ସାନିଟାରି ନ୍ୟାପ୍‌କିନ୍‌ ସହରାଞ୍ଚଳରେ ବେଶ୍‌ ପରିଚିତ। ହେଲେ ଗ୍ରାମାଞ୍ଚଳରେ ଏହାର ବ୍ୟବହାର ବହୁତ କମ୍‌। ତେଣୁ ପ୍ରାୟ ଗ୍ରାମାଞ୍ଚଳର ମହିଳା ଓ ଯୁବତୀମାନେ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ହେଉଛନ୍ତି। ତେବେ ପାୟଲ ନିଜର ପ୍ୟାଡ୍‌ ୟୁନିଟ୍ ପ୍ରତିଷ୍ଠା କରି ‘ସାନିଟାରୀ ନାପ୍‌କିନ୍‌’ ଉତ୍ପାଦନ କରୁଛନ୍ତି ଏବଂ ଗ୍ରାମାଞ୍ଚଳରେ ରହୁଥିବା ମହିଳା ଓ ଯୁବତୀଙ୍କ ମଧ୍ୟରେ ନାପ୍‌କିନ୍‌ ବ୍ୟବହାର ନେଇ ସଚେତନତା ସୃଷ୍ଟି କରିଛନ୍ତି। ଆଉ ଖୁବ୍ କମ୍‌ ବୟସରେ ସେ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରିଛନ୍ତି।

କେବଳ ଏତିକି ନୁହେଁ, ପରିବେଶ କିପରି ପ୍ରଦୂଷିତ  ହେବ ନାହିଁ ସେଥି ପ୍ରତି ମଧ୍ୟ ପାୟଲ ଧ୍ୟାନ ରଖିଛନ୍ତି। ଏହି ନାପକିନ୍‌ରେ ବ୍ୟବହାର କରୁଥିବା କଟନ୍‌, ଟିସୁ, ବାୟୋପ୍ଲାଷ୍ଟିକ୍‌ ଉପାଦାନଗୁଡ଼ିକ ମାଟିରେ ସହଜରେ ମିଶିଯିବ ବୋଲି ପାୟଲ କହିଛନ୍ତି।  ତାଙ୍କୁ ଝାରସୁଗୁଡ଼ା ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯିବା ସହ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ‘ରୋଲ୍‌ ମଡେଲ୍‌’ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।

ତାଙ୍କର ଏହି ଉଦ୍ୟମ ଏବଂ ସଫଳତା ସମ୍ପର୍କରେ ଜାଣିବା ପାଇଁ ତାଙ୍କ ସହ କଥା ହୋଇଥିଲେ ‘ଓଡ଼ିଶା ରିପୋର୍ଟର’ର ପ୍ରତିନିଧି ଚିନ୍ମୟୀ ରୟ। ପଢ଼ନ୍ତୁ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତାର କିଛି ଅଶଂ।

ଚିନ୍ମୟୀ- ଏତେ କମ୍‌ ବୟସରେ ଆପଣଙ୍କ ମନକୁ ଏଭଳି ଉପାୟ ଆସିଲା କେମିତି?

ପାୟଲ: ଏହି କାମ ପାଇଁ ମୁଁ ମୋ ବାପା ମା’ଙ୍କଠାରୁ ପ୍ରେରଣା ପାଇଛି। ସେମାନଙ୍କ ସ୍ୱପ୍ନ ଥିଲା ଯେ, ମୁଁ କିଭଳି କିଛି ଭିନ୍ନ କାମ କରେ। ସମାଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ। ଅନ୍ୟ ପକ୍ଷରେ ମହିଳାଙ୍କ କ୍ଷେତ୍ରରେ ଦେଖାଦେଉଥିବା ଏହି ସାଧାରଣ ସମସ୍ୟାଟି ମତେ ଆନ୍ଦୋଳିତ କରିଥିଲା। ଯାହାର ଫଳସ୍ୱରୂପ ମୁଁ ଆଜି ଏହି ସାନିଟାରୀ ନାପ୍‌କିନ ବିଜ୍‌ନେସ୍ କ୍ଷେତ୍ରରେ ଅଗ୍ରସର ହେଉଛି।

ଚିନ୍ମୟୀ- ଆପଣଙ୍କୁ ଏହି ବ୍ୟବସାୟ ଆରମ୍ଭ କରିବା ଲାଗି ଆର୍ଥିକ ସାହାୟତା କେଉଁଠୁ ମିଳିଲା?

ପାୟଲ: ପ୍ରଥମେ ମୁଁ ଆର୍‌.ସି.ଟିରେ ଏ ସମ୍ପର୍କରେ ପ୍ରଶିକ୍ଷଣ ଲାଭ କରିଥିଲି। ପରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ)ରୁ କିଛି ଋଣ ପାଇଥିଲି। ଅନ୍ୟପକ୍ଷରେ ସରକାରଙ୍କ ଷ୍ଟାର୍ଟଅପ୍‌ ପ୍ଲାନ୍‌ରୁ ମଧ୍ୟ କିଛି ସାହାଯ୍ୟ ପାଇଥିଲି। ଏହା ବ୍ୟତୀତ କିଛି ପୁଞ୍ଜି ନିଜ ତରଫରୁ ନିବେଶ କରି ମୁଁ ଏହି ବିଜ୍‌ନେସ୍‌ ଆରମ୍ଭ କଲି।

ଚିନ୍ମୟୀ- ଏତେ କମ୍‌ ବୟସରେ ଆପଣ ଏତେ ବଡ଼ ବିଜ୍‌ନେସ୍‌ କେମିତି ସମ୍ଭାଳିବେ, କେବେ ଡର ଲାଗିନି?

ପାୟଲ: ଯଦି ମୁଁ ଡରିଥାନ୍ତି ତେବେ ଏ ଜିନଷ ଆରମ୍ଭ ହିଁ କରି ନଥାନ୍ତି। ହଁ, ଏହା ନିଶ୍ଚିତ ଭାବରେ ମୋ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ପ୍ରଥମତଃ ସମାଜରେ ଏଥିପ୍ରତି ଉତ୍ତମ ରୂପେ ସଚେତନତା ସୃଷ୍ଟି ହୋଇନାହିଁ। ଗ୍ରାମାଞ୍ଚଳରେ ମହିଳାମାନେ ଏବେ ବି ମାସିକ ଧର୍ମ ସମୟରେ ଶୁଖିଲା ପତ୍ର, ନଡ଼ା ଓ କପଡ଼ା ବ୍ୟବହାର କରନ୍ତି। ତେଣୁ ଏ ସବୁ ଶୁଣି ମତେ ବହୁତ ଖରାପ ଲାଗେ। ତେଣୁ ମୁଁ ଏହି କାମ ଆରମ୍ଭ କରିଛି। ଏହା ମୋ ପାଇଁ କେବେଳ ଏକ ବିଜ୍‌ନେସ୍ ନୁହେଁ। ସଚେତନତା ସୃଷ୍ଟି ପାଇଁ ଏକ ଆହ୍ୱାନ। ଆଜିକାଲି ଧୀରେ ଧୀରେ ସହରାଞ୍ଚଳରୁ  ସଚେତନତାର ମାତ୍ରା ଗ୍ରାମାଞ୍ଚଳ ଆଡ଼କୁ ପ୍ରସାରିତ ହେଉଛି।

ଚିନ୍ମୟୀ- ପରିବାର ଓ ବନ୍ଧୁମାନେ ଆପଣଙ୍କୁ ସମର୍ଥନ କଲେ ନା ନାହିଁ?

ପାୟଲ: ମୋ ମାଆ ମୋତେ ଅନେକ ସପୋର୍ଟ କରନ୍ତି, ମୋ ସାନ ଭାଇ ମଧ୍ୟ ମୋତେ ଅନେକ ସପୋର୍ଟ କରେ। ପରିବାର ଲୋକେ ପ୍ରଥମେ ପ୍ରଥମେ ମୋତେ ସମର୍ଥନ କରୁନଥିଲେ। ହେଲେ ଏବେ ଲୋକଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ଆସିଲାଣି। ସମସ୍ତେ ନହେଲେ ବି କିଛି ଲୋକ ସମର୍ଥନ ଦେଉଛନ୍ତି। ଯେହେତୁ ଏହା ସମାଜରେ ଏକ ଭଲ ପରିବର୍ତ୍ତନ ଆଣୁଛି ତେଣୁ ଧୀରେ ଧୀରେ ସମସ୍ତେ ନିଶ୍ଚିତ ସପୋର୍ଟ କରିବେ ବୋଲି ମୋର ଆଶା।

ଚିନ୍ମୟୀ- ରାଜ୍ୟ ସରକାରଙ୍କ ‘ଖୁସି’ ଯୋଜନାରେ ଆପଣଙ୍କର କିଛି ଭୂମିକା ଅଛି କି?

ପାୟଲ: ନା। ଏ ପର୍ଯ୍ୟନ୍ତ ମୁଁ ଏଥିରୁ କିଛି ଲାଭ ପାଇ ନାହିଁ। କାରଣ ସରକାରଙ୍କ ନିୟମ ଅନୁସାରେ ‘ଖୁସି’ ଯୋଜନା ପାଇଁ ଆବଶ୍ୟକ ହେଉଥିବା ସାନିଟାରୀ ନାପ୍‌କିନ୍ ଯେଉଁ କମ୍ପାନୀ ଯୋଗାଇବ ଉକ୍ତ କମ୍ପାନୀ ଅତି କମ୍‌ରେ ୩ ବର୍ଷର ପଞ୍ଜୀକୃତ ସଂସ୍ଥା ହୋଇଥିବା ଆବଶ୍ୟକ। ଏହା ବ୍ୟତୀତ ଅନ୍ୟାନ୍ୟ ମାନଦଣ୍ଡ ମଧ୍ୟ ରହିଛି।

ପ୍ରଶ୍ନ: ବଲିଉଡ୍‌ ଫିଲ୍ମ ‘ପ୍ୟାଡ୍‌ମ୍ୟାନ୍‌’ରୁ ଆପଣ କ’ଣ ପ୍ରେରଣା ପାଇଲେ?

ଉତ୍ତର- ଏହି ଫିଲ୍ମଟି ମୋତେ ଅନେକ ସାହାଯ୍ୟ କରଛି। ପୂର୍ବରୁ ଯେବେ ମୁଁ ମହିଳାମାନଙ୍କୁ ନେଇ ସଚେତନତା ପ୍ରେଗ୍ରାମ୍‌ କରୁଥିଲି ସେତେବେଳେ ବିଶେଷ କେହି ଆସୁ ନ ଥିଲେ। ହେଲେ ଫିଲ୍ମ ଦେଖିବା ପରେ ଯେଉଁ ଜିନିଷକୁ ସେମାନେ ଲଜ୍ଜା କରୁଥିଲେ, ଯେଉଁ ବିଷୟରେ ଖୋଲି କଥା ହୋଇ ପାରୁନଥିଲେ ଏବେ ସେଭଳି ସଙ୍କୋଚବୋଧ ସେମାନଙ୍କ ମନରୁ ଦୂର ହୋଇଛି। ମହିଳାମାନେ ଏ ବିଷୟରେ ଖୋଲି କଥା ହେବା ସହ ସଚେତନତା କାର୍ଯ୍ୟକ୍ରମରେ ମଧ୍ୟ ସାମିଲ୍‌ ହେଉଛନ୍ତି।

ପ୍ରଶ୍ନ: ଗ୍ରାମୀଣ ମହିଳାମାନଙ୍କୁ ସଚେତନତାର ବାର୍ତ୍ତା କ’ଣ ଦେବେ?

ଉତ୍ତର: ମୁଁ କହିବାକୁ ଚାହେଁ ଯେ, ଏହା ହେଉଛି ମହିଳାମାନଙ୍କର ଏକ ପ୍ରାକୃତିକ ପ୍ରକ୍ରିୟା। ତେଣୁ ଏହା ଏକ ସମସ୍ୟା ନୁହେଁ ବରଂ ଏକ ଧାରା। ତେଣୁ ଏହାକୁ ଅଣଦେଖା ନ କରି ଏଥିପ୍ରତି ସଚେତନ ହେବା ଉଚିତ। ନଚେତ ସାମାନ୍ୟତମ ଅବହେଳା ଏକ ବଡ଼ ସମସ୍ୟାର କାରଣ ହୋଇପାରେ।

ମହିଳା ମାନେ ଜାଣି ରଖିବା ଉଚିତ ଯେ, ଏହି କାରଣରୁ ଅନେକ ବଡ଼ ବଡ଼ ରୋଗ ଯେପରିକି ଗର୍ଭାଶୟ କ୍ୟାନସର୍ ଓ ବ୍ରେଷ୍ଟ କ୍ୟାନସ୍‌ର ବଳି ମାରାତ୍ମକ ରୋଗ ମାନ ହେଉଛି। ଏବେ ଆମ ଦେଶରେ ୩୨% ମହିଳା ଗର୍ଭାଶୟ କ୍ୟାନସର୍‌ରେ ମୃତ୍ୟୁବରଣ କରୁଛନ୍ତି। ତେଣୁ ପ୍ରାଥମିକ ସ୍ତରରୁ ଏଥିପ୍ରତି ସଚେତନ ହୋଇ ସାନିଟାରୀ ନାପ୍‌କିନ୍‌ ବ୍ୟବହାରକୁ ପ୍ରାଥମିକତା ପ୍ରଦାନ କରନ୍ତୁ।



from Odisha Reporter http://bit.ly/2SrkKVH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages