
ଜଗତସିଂହପୁର (ଶଶାଙ୍କଶେଖର ପଣ୍ଡା): ଦୁଇ ଦିନ ତଳେ ଟ୍ରେନ୍ ଧକ୍କାରେ ଢ଼େଙ୍କାନାଳ ଜିଲ୍ଲାରେ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଥିଲା। ଏହି ଘଟଣା ମନରୁ ଲିଭିନଥିବା ବେଳେ ଗତକାଲି ରାତିରେ ପୁଣି ଥରେ ଟ୍ରେନ୍ ଧକ୍କାରେ ୩ଟି ହରିଣଙ୍କ ଜୀବନ ଯାଇଛି। ହରିଣମାନେ ମୁଗ ଖାଇବା ପାଇଁ ଟ୍ରାକ୍ ଅତିକ୍ରମ କରି ଯାଉଥିବା ବେଳେ ଟ୍ରେନ୍ ଧକ୍କା ଦେଇଥିବା ଆଲୋଚନା ହେଉଛି। ଏପରି ଅଭାବନୀୟ ଘଟଣା ଜଗତସିଂହପୁର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ବନ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି।
ଦିନକୁ ଦିନ ଜଙ୍ଗଲ କ୍ଷୟ ହେବାରେ ଲାଗୁଛି। ଯାହାଫଳରେ ଖାଦ୍ୟ ଅନ୍ୱେଷଣରେ ବନ୍ୟଜନ୍ତୁମାନେ ଗ୍ରାମାଞ୍ଚଳକୁ ଚାଲି ଆସି ବିପଦରେ ପଡ଼ୁଛନ୍ତି। ସେମିତି ଏକ ଘଟଣା ଗତକାଲି ରାତିରେ ଘଟିଛି। ରାତି ପ୍ରାୟ ସାଢ଼େ ୯ଟା ବେଳେ ଏକ ହରିଣ ପଲ ରଘୁନାଥପୁର ବ୍ଲକ ଛପୋଲିଆ ନିକଟସ୍ଥ ଟ୍ରେନ୍ ଲାଇନ୍ ଅତିକ୍ରମ କରୁଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରେନ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ୩ଟି ହରିଣଙ୍କ ମୃତ୍ୟୁ ଘଟିଥିଲା।
ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଵା ସହ ହରିଣଙ୍କ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ରଘୁନାଥପୁର ପ୍ରାଣୀଧନ ଚିକିତ୍ସକ ହରିଣଙ୍କ ଶବ ବ୍ୟବଚ୍ଛେଦ କରିବା ପରେ ସେଗୁଡ଼ିକ ପୋତି ଦିଆଯାଇଛି। ଏପରି ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା, ତାହାର ତଦନ୍ତ ହେବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।
from Odisha Reporter http://bit.ly/2t7A6za
No comments:
Post a Comment