
ପାରାଦୀପ (ଓଡ଼ିଶା ରିପୋର୍ଟର): ଗତକାଲି ବିଧାନସଭାରେ ଚିଟ୍ଫଣ୍ଡ୍ ଦୁର୍ନୀତି ତାତି ଦେଖିବାକୁ ମିଳିଥିଲା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ଚାଲି ପାରିନଥିଲା। ଆଜି ମଧ୍ୟ ଗୃହରେ ସମାନ ଚିତ୍ର ଦେଖିବାକୁ ମିଳିଥିଲା।
ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ବିଧାନସଭାରେ ହଙ୍ଗାମା କରିଥିଲେ। ଫଳରେ ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ ଏକ ପ୍ରକାର ନଷ୍ଟ ହୋଇଯାଇଛି।
ଆଜି ଦିବଂଗତ ନେତା ପ୍ରିୟନାଥ ଦେ ଓ ଲଡୁକିଶୋର ସ୍ୱାଇଁଙ୍କ ବିୟୋଗରେ ଶୋକପ୍ରସ୍ତାବ ଆଗତ ଓ ଆଲୋଚନା କରାଯାଇଥିଲା। ପରେ ପ୍ରଶ୍ନକାଳ ଆରମ୍ଭରୁ ଚାଷୀଙ୍କ ସମସ୍ୟା ନେଇ ଉଭୟ ବିଜେପି ଓ କଂଗ୍ରେସ ହୋ-ହଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ଘଣ୍ଟାଏ ଯାଏ ମୁଲତବୀ କରିଥିଲେ।
ଶୂନ୍ୟକାଳରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା। ଯଦିଓ ଧାନମଣ୍ଡି ସମସ୍ୟାକୁ ନେଇ ବିରୋଧୀ କଂଗ୍ରେସ ତରଫରୁ ମୁଲତବୀ ନୋଟିସ୍ ଦିଆଯାଇଥିଲା, ତଥାପି ଗୃହ ବାରମ୍ବାର ମୁଲତବୀ ହେବା ଯୋଗୁ ଏହା ଉପରେ ଆଲୋଚନା ହୋଇପାରିନଥିଲା। ଗୃହ ନ ଚଳାଇ ଦେବା ପାଇଁ ନିଜ ବିଧାୟକଙ୍କୁ ବିଜେପି ବିଧାୟକ ଦଳ ନେତା ପ୍ରବର୍ତ୍ତାଇଥିଲେ ବୋଲି ଅଭିଯୋଗ ଆଣିଥିଲେ ବିଧାୟକ ସଂଜୟ ଦାସବର୍ମା।
ଅପରାହ୍ନରେ ପୁଣି ବିରୋଧୀଙ୍କ ନାରାବାଜି ଯୋଗୁ ଗୃହ ଚାଲି ପାରିଲା ନାହିଁ। ଗୃହ ସ୍ୱଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ କିଛି ନିଷ୍କର୍ଷ ବାହାରି ପାରିନଥିଲା। ପାଟିତୁଣ୍ଡ ଭିତରେ ରାଜ୍ୟପାଳଙ୍କ ଅଭିଭାଷଣ ସମ୍ପର୍କିତ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ କେବଳ ଶାସକ ଦଳର ବିଧାୟକ ଅଂଶଗ୍ରହଣ କରିଥିଲେ। ବିରୋଧୀ କକ୍ଷତ୍ୟାଗ କରିଥିଲେ।
ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି-“ରାଜଧାନୀକୁ ଆସୁଥିବା ଚାଷୀମାନଙ୍କୁ ପୁଲିସ ଲଗାଇ ରାଜ୍ୟ ସରକାର ମାଡ଼ ମାରିଛନ୍ତି। ମହିଳା ଓ ଝିଅମାନଙ୍କୁ ପୁଲିସ ମାଡ଼ ମାରିଛି। ଏହାର ଜବାବ ମାଗିଲା କଂଗ୍ରେସ। ମାତ୍ର ଦୁର୍ଭାଗ୍ୟର ବିଷୟ ଏହାର ଜବାବ ନଦେଇ ରାଜ୍ୟ ସରକାର କାଳିଆର ଗୋଳିଆ କଥା କହୁଛନ୍ତି।”
ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା କହିଛନ୍ତି-“ଗୃହରେ ବିଶୃଙ୍ଖଳା କରିବା ପାଇଁ କୁଚିଣ୍ଡା ବିଧାୟକଙ୍କୁ ବିଜେପି ନେତା କନକବର୍ଦ୍ଧନ ସିଂହଦେଓ ବାରମ୍ୱାର କହୁଥିଲେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା।”
ବିଜେପି ବିଧାୟକ ରବି ନାୟକ କହିଛନ୍ତି-“ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମୋତେ ମୋ ନେତା କହିଥିଲେ। ଏହାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ।”
କାଲି ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା।
from Odisha Reporter http://bit.ly/2t4DUS2
No comments:
Post a Comment