
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ସରକାରର ସ୍ଥାଣୁତା ଓ ଅପାରଗତା ଯୋଗୁ ରାଜ୍ୟରେ ଅନେକ ଲୋକାଭିମୁଖୀ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁନି। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଦେଇଥିବା ଅର୍ଥକୁ ଖର୍ଚ୍ଚ ନକରି ସବୁ ସମୟରେ କେନ୍ଦ୍ରକୁ ଦାୟୀ କରି ଦୋଷ ଲୁଚାଇବାକୁ ଶାସକ ବିଜେଡି ଉଦ୍ୟମ କରୁଛି ବୋଲି ବିଜେପି ଅଭିଯୋଗ କରିଛି।
ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ପଞ୍ଚଦଶ ଅର୍ଥ କମିଶନଙ୍କ ଏକ ରିପୋର୍ଟରୁ ଜଣାପଡ଼ିଛି, ୨୦୧୮-୧୯ ଆର୍ଥିକବର୍ଷରେ ଅର୍ଥ କମିଶନ ଦେଇଥିବା ୧୨୭୮କୋଟି ୩ଲକ୍ଷ ୧୦ହଜାର ଟଙ୍କାରୁ ମାତ୍ର ୩୫୫.୨୨ କୋଟି ଟଙ୍କା ଓଡ଼ିଶା ସରକାର ଖର୍ଚ୍ଚ କରିବାରେ ସକ୍ଷମ ହୋଇଛନ୍ତି। ୮ମାସ ପରେ ବି କୌଣସି ଗୋଟିଏ ଜିଲ୍ଲା ଏହି ଖର୍ଚ୍ଚର ବିନିଯୋଗ ପତ୍ର ଦାଖଲ କରିନାହାନ୍ତି। ବାଲେଶ୍ୱର, ନୟାଗଡ଼ ଓ ରାୟଗଡ଼ା ଜିଲ୍ଲାରେ ୧୦ ପ୍ରତିଶତ ଅର୍ଥ ମଧ୍ୟ ଖର୍ଚ୍ଚ ହୋଇପାରିନାହିଁ। କେବଳ ବୌଦ୍ଧ ଜିଲ୍ଲାରେ ୭୫ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି।”
ସେ ଆହୁରି କହିଛନ୍ତି, “ରାଜ୍ୟରେ ପଞ୍ଚାୟତିରାଜ ବିଭାଗ ସମ୍ପୂର୍ଣ୍ଣ ଭାବେ ସ୍ଥାଣୁ ପାଲଟି ଯାଇଛି। ଭିତ୍ତିଭୂମିର ବିକାଶ, ସଡ଼କ, ପାନୀୟ ଜଳ ଓ ବିଦ୍ୟୁତ ଆଦି ଅନେକ କାର୍ଯ୍ୟର ଦାୟିତ୍ୱ ନେଇଥିବା ପଞ୍ଚାୟତିରାଜ ବିଭାଗ ଅର୍ଥ ଖର୍ଚ୍ଚ କରିପାରୁନାହିଁ। ତେଣୁ ରାଜ୍ୟ ସରକାର ନିଜର ଦୋଷ ଲୁଚାଇବା ପାଇଁ ‘ଆମ ଗାଁ ଆମ ବିକାଶ’, ‘ପିଠା’ ଓ ‘କାଳିଆ’ ଆଦି ଯୋଜନା କରି କେବଳ ନିର୍ବାଚନୀ ବୈତରଣୀ ପାର ହେବାକୁ ଉଦ୍ୟମ କରୁଛନ୍ତି। ନିଜର ଅପାରଗତାରୁ କେନ୍ଦ୍ର ଦେଇଥିବା ଅନୁଦାନର ମାତ୍ର ୨୮ ପ୍ରତିଶତ ଖର୍ଚ୍ଚ କରିଥିବା ଓଡ଼ିଶା ସରକାର ସବୁକଥାରେ କେନ୍ଦ୍ର ଅବହେଳାକୁ ଦୋଷ ଦେଇ ନିଜର ଦାୟିତ୍ୱରୁ ଓହରି ଯାଆନ୍ତୁ ନାହିଁ। ଏ ନେଇ ସ୍ପଷ୍ଟୀକରଣ ରଖିବାକୁ ବିଜେପି ଦାବି କରିଛି।”
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ।
from Odisha Reporter http://bit.ly/2UYhH3X
No comments:
Post a Comment