ପ୍ରକାଶ ମିଶ୍ରଙ୍କ ରାଜନୀତିକ ଇନିଂସକୁ ନେଇ ଚର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ପ୍ରକାଶ ମିଶ୍ରଙ୍କ ରାଜନୀତିକ ଇନିଂସକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ଡିଜିପି ତଥା ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର ଆଜି ବିଜେପିରେ ସାମିଲ ହୋଇ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ପ୍ରାୟତଃ ଅନ୍ୟ ପ୍ରତି କଡ଼ା ଟିପ୍ପଣୀ ଦେଉନଥିବା ଶ୍ରୀ ମିଶଙ୍କ ଏକ ଭିନ୍ନ ରୂପ ଆଜି ଓଡ଼ିଶାବାସୀ ଦେଖିବାକୁ ପାଇଛନ୍ତି। ରାଜନୀତିରେ ପାଦ ଥାପୁ ଥାପୁ ଆରମ୍ଭରୁ ହିଁ ତାଙ୍କର ଆଭିମୁଖ୍ୟ ବେଶ୍ ଆକ୍ରଣାତ୍ମକ ରହିଥିବା ଦେଖିବାକୁ ମିଳିଛି। ତେବେ ୪୧ବର୍ଷର ପ୍ରଶାସନିକ କ୍ୟାରିୟରରେ ସଫଳତାର ଶୀର୍ଷରେ ପହଞ୍ଚି ପାରିଥିବା ଶ୍ରୀ ମିଶ୍ର ରାଜନୀତିରେ କେତେ ସଫଳ ହେବେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ବିଜେପି ସୂତ୍ର ଅନୁସାରେ ଶ୍ରୀ ମିଶ୍ରଙ୍କୁ ଦଳ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିବ। ସେ ନିଜର ଦୀର୍ଘଦିନର ଅଭିଜ୍ଞତା ଆଧାରରେ କଟକରେ ଏକ ନୂଆ ରାଜନୀତିକ ସମୀକରଣ ସୃଷ୍ଟି କରିବା ସହ ସଫଳତା ହାସଲ କରିବେ, ବିଜେପି ସେଥିପାଇଁ ରଣନୀତି ପ୍ରସ୍ତୁତ କରିଛି। ବିଶେଷକରି କଟକ ଲୋକସଭା ଆସନରୁ କଂଗ୍ରେସ ପଞ୍ଚାନନ କାନୁନଗୋଙ୍କୁ ଓ ବିଜେଡି ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଥିବାରୁ ତା’ର ଫାଇଦା ଶ୍ରୀ ମିଶ୍ରଙ୍କୁ ମିଳିବ ବୋଲି ଆକଳନ କରାଯାଉଛି।

ଶ୍ରୀ ମିଶ୍ର ଦୀର୍ଘବର୍ଷ ଧରି ବରିଷ୍ଠ ପୁଲିସ ଅଫିସର ଭାବେ କଟକର ସାହି-ଗଳିକନ୍ଦି ସହ ପରିଚିତ। ତା’ଛଡ଼ା ରାଜ୍ୟର ଗୁଇନ୍ଦା ମୁଖ୍ୟ ଭାବେ ସେ କାର୍ଯ୍ୟ କରିବାବେଳେ ନିଜର ଏକ ସ୍ୱତନ୍ତ୍ର ନେଟୱାର୍କ ପ୍ରସ୍ତୁତ କରିପାରିଥିଲେ। ଯାହା ତାଙ୍କ ପାଇଁ ଏବେ ଅଧିକ ସହାୟକ ହେବ। ରାଜ୍ୟର ପୁଲିସ ମୁଖିଆ ଭାବେ କାର୍ଯ୍ୟ କରିବାବେଳେ ବିଜେଡିର ନିର୍ବାଚନୀ ପରିଚାଳନାକୁ ସେ ବେଶ୍ ନିକଟରୁ ଦେଖିଛନ୍ତି। ତେଣୁ ଜିତିବା ପାଇଁ ବିଜେଡି ନିଜର ପୁରୁଣା ଫର୍ମୂଲାକୁ ଉପଯୋଗ କରିବାର ସମ୍ଭାବନା ମଧ୍ୟ କ୍ଷୀଣ । ଜଣେ ସଚ୍ଚୋଟ ଓ ସ୍ପଷ୍ଟବାଦୀ ଅଫିସର ଭାବେ ରାଜ୍ୟରେ ଶ୍ରୀ ମିଶ୍ରଙ୍କ ଏକ ସ୍ୱତନ୍ତ୍ର ପରିଚୟ ତଥା ସମ୍ମାନ ରହିଛି। ତା’ଛଡ଼ା ତାଙ୍କୁ ନବୀନ ସରକାରରେ ଯେଉଁଭଳି ଢଙ୍ଗରେ ମିଛ ମାମଲାରେ ହଇରାଣ କରାଯାଇଥିଲା ତାକୁ ମଧ୍ୟ ରାଜ୍ୟବାସୀ ମନେ ରଖିଛନ୍ତି।

ରାଜନୀତିକ ଦୃଷ୍ଟିରୁ ଦେଖିଲେ ସାଂସଦ ଭାବେ କ୍ରମାଗତ ଜିଣିଥିଲେ ମଧ୍ୟ କୌଣସି ଆଖିଦୃଶିଆ ଉନ୍ନୟନମୂଳକ କାର୍ଯ୍ୟ ଓ ଲୋକସମ୍ପର୍କ ରଖୁନଥିବାରୁ ଶ୍ରୀ ମହତାବ ଏବେ କଟକର ଭୋଟରଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ସେହିପରି ଶ୍ରୀ କାନୁନଗୋ ମଧ୍ୟ ଦୀର୍ଘବର୍ଷ ଧରି ସକ୍ରିୟ ରାଜନୀତିରୁ ଦୂରେଇ ରହି ଗତ କିଛିମାସ ତଳେ କଂଗ୍ରେସରେ ମିଶିଛନ୍ତି। ସେ ଅଣକଂଗ୍ରେସ ରାଜନୀତିରୁ ଯାଇ ଅଚାନକ କଂଗ୍ରେସରେ ସାମିଲ ହୋଇଥିବାରୁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଗ୍ରହଣୀୟତାରେ ସମସ୍ୟା ରହିବ।

କିନ୍ତୁ ଶ୍ରୀ ମିଶ୍ରଙ୍କ କ୍ଷେତ୍ରରେ ଲୋକଙ୍କ ପାଖରେ ପହଞ୍ଚିବାରେ ସେଭଳି ସମସ୍ୟା ହେବନାହିଁ। କାରଣ ୨୦୧୪ ସାଧାରଣ ନିର୍ବାଚନବେଳେ ଶ୍ରୀ ମିଶ୍ର ରାଜ୍ୟର ପୁଲିସ ମୁଖ୍ୟ ଥିଲେ । ତାଙ୍କ ପ୍ରତି ଦଳମତ-ନିର୍ବିର୍ଶେଷରେ ସାଧାରଣ ଲୋକଙ୍କ ମଧ୍ୟରେ ସମ୍ମାନବୋଧ ରହିଛି। ଯାହାକୁ ପୁଞ୍ଜି କରି ସିଏ ନିର୍ବାଚନୀ ବୈତରଣୀ ପାର ହେବେ। ତା’ଛଡ଼ା ବିଜେପିର ଭୋଟବ୍ୟାଙ୍କ୍ ମଧ୍ୟ ତାଙ୍କ ପାଇଁ ପାୱାରପ୍ଲସ୍ ସାବ୍ୟସ୍ତ ହେବ। ଶ୍ରୀ ମିଶ୍ର ଆଜି ବିଜେପିରେ ସାମିଲ ହେଉ ହେଉ ଯେଭଳି ନବୀନ ସରକାରକୁ ଟାର୍ଗେଟ୍ କରିଛନ୍ତି ତାହା ଆଗାମୀ ଦିନରେ ତାଙ୍କର ଆଭିମୁଖ୍ୟକୁ ଅଧିକ ଶାଣିତ କରିବ ବୋଲି ଆଭାସ ମିଳିଛି।

ଶ୍ରୀ ମିଶ୍ର କହିଥିଲେ ଯେ, ଗତ ୫ବର୍ଷ ଭିତରେ ଓଡ଼ିଶାରେ ଶାସନ ଅତ୍ୟନ୍ତ ତଳ ସ୍ତରକୁ ଖସିଆସିଲାଣି। ଓଡ଼ିଆ ଜାତିର ଆତ୍ମସମ୍ମାନକୁ ସବୁଦିନ ଆଘାତ ଦିଆଯାଉଛି। ଏବେ ପ୍ରତିକାର କରିବାର ସମୟ ଆସିଛି। ଓଡ଼ିଶାରେ କିଛି ଭବିଷ୍ୟତ ଥିବା ଭଳି ଲାଗୁ ନାହିଁ। ଏଣୁ ଏ ସରକାରକୁ ବଦଳାଇବାର ସମୟ ଆସିଛି। ପରିବର୍ତ୍ତନ ଆଣିବା ପାଇଁ ସେ ବିଜେପିରେ ସାମିଲ ହୋଇଛନ୍ତି। ରାଜନୀତିକୁ ଆସିବା କଥା ସେ କେବେ ଚିନ୍ତା କରିନଥିଲେ। କିନ୍ତୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖି ସେ ବିଜେପିରେ ସାମିଲ ହୋଇଥିବା ଶ୍ରୀ ମିଶ୍ର କହିଛନ୍ତି।

ତେବେ ଚୋର-ପୁଲିସ ଖେଳରେ ସର୍ବଦା ଜିତାପଟ୍ ହାସଲ କରି ସଫଳତାର ଶ୍ରେୟ ସାଉଁଟିଥିବା ଶ୍ରୀ ମିଶ୍ର ରାଜନୀତିର ଛକିଶୂନ ଖେଳରେ କିଭଳି ବିରୋଧୀଙ୍କୁ ବାଜିମାତ୍ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।



from Odisha Reporter https://ift.tt/2Ov5HVL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages