କାହିଁକି ନବୀନ ଖେଳିଲେ ‘ପଶ୍ଚିମ ଓଡ଼ିଶା’ କାର୍ଡ : ପ୍ରାୟୋଜିତ ଡ୍ରାମା ପଛର ଅସଲ କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

କାହିଁକି ନବୀନ ଖେଳିଲେ ‘ପଶ୍ଚିମ ଓଡ଼ିଶା’ କାର୍ଡ : ପ୍ରାୟୋଜିତ ଡ୍ରାମା ପଛର ଅସଲ କାହାଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ପ୍ରାର୍ଥୀ ଚୟନ କସରତକୁ ନେଇ ନିର୍ବାଚନୀ ଉଷ୍ମତା ଲାଗି ରହିଥିବାବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବାର ସମ୍ଭାବନା ଥିବା ସଙ୍କେତ ଦେଇଛନ୍ତି। ପଶ୍ଚିମ ଓଡ଼ିଶାର ନେତା, ଛାତ୍ର, ମହିଳା ଓ ବୁଦ୍ଧିଜୀବୀ ତାଙ୍କୁ ସେଠାରୁ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରିଥିବାରୁ ସେ ଏହି ପ୍ରସ୍ତାବକୁ ଗୁରୁତ୍ୱର ସହ ବିଚାର କରୁଛନ୍ତି ବୋଲି ନବୀନ ଗଣମାଧ୍ୟମକୁ କହିଛନ୍ତି। ତେବେ ଦୁଇ ଦଶନ୍ଧି ଧରି ରାଜ୍ୟରେ କ୍ଷମତାସୀନ ଥିବା ନବୀନ ଅଚାନକ କାହିଁକି ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହେବାକୁ ଆଗ୍ରହୀ ହେଲେ ଓ କ’ଣ ରହିଛି ଏହା ପଛର ଅସଲ ଉଦ୍ଦେଶ୍ୟ ତାକୁ ନେଇ ରାଜ୍ୟବାସୀଙ୍କ ମନରେ ଉତ୍ସୁକତା ସୃଷ୍ଟି ହୋଇଛି।

ବିଜେଡିର ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ପଶ୍ଚିମ ଓଡ଼ିଶାର ବିଜେଡି ସମର୍ଥିତ ନାଗରିକମାନେ ଆଜି ନବୀନଙ୍କୁ ସାକ୍ଷାତ କରି ସେମାନଙ୍କ ଅଂଚଳରୁ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତାବ ଦେବାର ଯେଉଁ କାର୍ଯ୍ୟକ୍ରମ ହୋଇଥିଲା ତା’ର ନେତୃତ୍ୱ ଦଳର ଦୁଇଜଣ ବରିଷ୍ଠ ନେତା ନେଇଥିଲେ। ନବୀନଙ୍କୁ ପଶ୍ଚିମ ଓଡ଼ିଶାର ନାଗରିକମାନେ ଭେଟିବା ଓ ସେ ଏଭଳି ପ୍ରସଙ୍ଗକୁ ଗୁରୁତ୍ୱର ସହ ଚିନ୍ତା କରୁଛନ୍ତି ବୋଲି କହିବା ମଧ୍ୟ ଦଳର ନିର୍ବାଚନୀ ରଣନୀତିର ଏକ ଅଂଶବିଶେଷ। ତେଣୁ ଚଳିତ ନିର୍ବାଚନରେ ନବୀନ ପଶ୍ଚିମ ଓଡ଼ିଶାର ପ୍ରାର୍ଥୀ ହେବା ଏକରକମ ନିଶ୍ଚିତ।

ପଶ୍ଚିମ ଓଡ଼ିଶାର ୭-୮ଟି ଜିଲ୍ଲାରେ ବିଜେଡି ସଂଗଠନ ଏବେ ଦୁର୍ବଳ ସ୍ଥିତିରେ ଥିବାରୁ ନବୀନଙ୍କୁ ସେଠାରେ ପ୍ରାର୍ଥୀ କରାଇ ଦଳ ନିର୍ବାଚନୀ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ବିଜେପିର ପ୍ରଭାବ ବିସ୍ତାର ଓ କଂଗ୍ରେସ ପୁନଃସଂଗଠିତ ହେଉଥିବାରୁ ବିଜେଡି ନିଜର ସ୍ଥିତି ରକ୍ଷା କରିବା ପାଇଁ ଏଭଳି ଗେମପ୍ଲାନ୍ ପ୍ରସ୍ତୁତ କରିଛି। ନବୀନ ନିଜର ପାରମ୍ପରିକ ଆସନ ହିଞ୍ଜିଳିରେ ପ୍ରାର୍ଥୀ ହେବେ। ଏହାସହ ପଶ୍ଚିମ ଓଡ଼ିଶାର ସମ୍ବଲପୁର କିମ୍ବା ବିଜେପୁର ବିଧାନସଭା ଆସନ ମଧ୍ୟରୁ ଗୋଟିଏରେ ଛିଡ଼ା ହୋଇପାରନ୍ତି। ସମ୍ବଲପୁର ବିଧାନସଭା କ୍ଷେତ୍ରଟି ସହରାଞ୍ଚଳ (ସମ୍ବଲପୁର ମ୍ୟୁନିସପାଲଟି, ହୀରାକୁଦ ଓ ବୁର୍ଲା ଏନ୍‌ଏସି କ୍ଷେତ୍ର) ହୋଇଥିବାରୁ ସେହି ଆସନ ନବୀନଙ୍କ ପାଇଁ ଅଧିକ ସହଜ ହେବ ବୋଲି ବିଜେଡି ଚିନ୍ତା କରିଛି।

ସମ୍ବଲପୁର ବିଜେଡି ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପ୍ରତି ମଧ୍ୟ ଦଳୀୟ ଅସନ୍ତୋଷ ବଢ଼ିବାରେ ଲାଗିଛି ଓ ତା’ର ଫାଇଦା ବିଜେପିର ଜୟନାରାୟଣ ମିଶ୍ରଙ୍କୁ ମିଳିବାର ଯଥେଷ୍ଟ ସମ୍ଭାବନା ଅଛି। ତା’ଛଡ଼ା ହିଞ୍ଜିଳିରେ ଦ୍ୱିତୀୟ ପର୍ଯ୍ୟାୟ ଓ ସମ୍ବଲପୁରରେ ତୃତୀୟ ପର୍ଯ୍ୟାୟରେ ଭୋଟ୍ ହେବାର ଥିବାରୁ ପ୍ରଚାର କରିବା ମଧ୍ୟ ନବୀନଙ୍କ ପାଇଁ ସହଜ ହେବ। ବିଜେପୁର ଉପନିର୍ବାଚନବେଳେ ସେହି ନିର୍ବାଚନମଣ୍ଡଳୀକୁ ନିଜେ ବ୍ୟକ୍ତିଗତ ଭାବେ ତଦାରଖ କରିବେ ବୋଲି ନବୀନ ଘୋଷଣା କରିଥିଲେ। ତେଣୁ ଏହି ଦୁଇଟି ଆସନ ମଧ୍ୟରୁ ଯେକୌଣସି ଗୋଟିଏ ସିଟରୁ ନବୀନ ପ୍ରାର୍ଥୀ ହୋଇପାରନ୍ତି ।

ବିଜେଡି ସୂତ୍ର ଅନୁସାରେ, ବିଜୁ ପରିବାରର ଅରୁଣ ପଟ୍ଟନାୟକଙ୍କୁ ଚଳିତ ନିର୍ବାଚନରେ ପ୍ରାର୍ଥୀ କରିବା ପାଇଁ ହୋଇଥିବା ବିଭିନ୍ନ ପ୍ରକାରର ସର୍ଭେ ଉତ୍ସାହଜନକ ନହେବାରୁ ଦଳ ତାଙ୍କୁ ବ୍ୟାକଡୋରରେ ବିଧାନସଭା ଆଣିବା ପାଇଁ ଏଭଳି ବ୍ୟବସ୍ଥା ହେଉଛି। ଯାଜପୁର ଓ କୋରୋଇ ବିଧାନସଭାରୁ ଅରୁଣଙ୍କୁ ଲଢ଼ାଇବା ପାଇଁ ହୋଇଥିବା ସର୍ଭେର ରିପୋର୍ଟ ସନ୍ତୋଷଜନକ ନଥିଲା। ତେଣୁ ଏବେ ଏଭଳି ନୂଆ ରଣନୀତି ପ୍ରସ୍ତୁତ ହୋଇଛି।

ନିର୍ବାଚନରେ ବିଜେଡି ଯଦି ୧୦୦ରୁ ଅଧିକ ସିଟରେ ବିଜୟୀ ହୁଏ ତା’ହେଲେ ନବୀନ ନିଜର ପାରମ୍ପରିକ ହିଞ୍ଜିଳି ଆସନ ଛାଡ଼ି ପଶ୍ଚିମ ଓଡ଼ିଶାରୁ ପ୍ରତିନିଧିତ୍ୱ ଜାରି ରଖିବେ । ଆଉ ହିଞ୍ଜିଳି ଆସନରେ ନିଜର ପୁତୁରା ଅରୁଣ ପଟ୍ଟନାୟକଙ୍କୁ ଛିଡ଼ା କରାଇ ବିଧାନସଭାକୁ ଏଣ୍ଟ୍ରି ପ୍ରଶସ୍ତ କରାଇବେ। ବିଜେଡିର ନେତୃତ୍ୱ ବିଜୁ ପରିବାର ହାତରେ ରଖିବା ଉଦ୍ଦେଶ୍ୟରେ ଭଉଣୀ ଗୀତା ମେହେଟ୍ଟାଙ୍କ ପରାମର୍ଶରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୦୯ ମସିହା ନିର୍ବାଚନ ପୂର୍ବରୁ ମଧ୍ୟ ନବୀନଙ୍କୁ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହେବା ପାଇଁ ସେଠାର ବିଭିନ୍ନ ନାଗରିକ ସଂଗଠନ ଦାବି ଜଣାଇଥିଲେ। କିନ୍ତୁ ବିଜେଡି ସେତେବେଳେ ଏଭଳି ପ୍ରସ୍ତାବକୁ ସାମାନ୍ୟତମ ଗୁରୁତ୍ୱ ଦେଇନଥିଲା। ଆଉ ଏବେ ନିଜ ଦଳର ନେତାମାନଙ୍କ ମାଧ୍ୟମରେ ପ୍ରାୟୋଜିତ ଭେଟଘାଟ କାର୍ଯ୍ୟକ୍ରମ କରାଇ ବିଜେଡି ନିଜର ନୂଆ ନେତାଙ୍କ ଆଗମନର ମାର୍ଗ ପ୍ରଶସ୍ତ କରାଉଥିବା ଜଣାପଡ଼ିଛି।



from Odisha Reporter https://ift.tt/2ObLfJ9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages