କେନ୍ଦ୍ରରେ ଓଡ଼ିଶାରୁ ଧର୍ମେନ୍ଦ୍ର ଓ ପ୍ରତାପ ମନ୍ତ୍ରୀ, ବାଦ୍ ପଡ଼ିଲେ ଜୁଏଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

କେନ୍ଦ୍ରରେ ଓଡ଼ିଶାରୁ ଧର୍ମେନ୍ଦ୍ର ଓ ପ୍ରତାପ ମନ୍ତ୍ରୀ, ବାଦ୍ ପଡ଼ିଲେ ଜୁଏଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଏନଡିଏ ସରକାରରେ ଓଡ଼ିଶାରୁ ପୁଣିଥରେ ୨ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ତେବେ ଅଟଳ ବିହାରୀ ବାଜପେୟୀ ଓ ନରେନ୍ଦ୍ର ମୋଦି ସରକାରରେ ୨ଥର ଆଦିବାସୀ ବ୍ୟାପାରର କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ଜୁଏଲ ଓରାମ ଏଥର ବାଦ୍ ପଡ଼ିଛନ୍ତି। ଓଡ଼ିଶାରେ ବିଜେପିର ଚେହେରା ସାଜିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣିଥରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବାବେଳେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଛନ୍ତି। ଧର୍ମେନ୍ଦ୍ର ଓ ପ୍ରତାପଙ୍କ ମାଧ୍ୟମରେ ବିଜେପି ଓଡ଼ିଶାରେ ନିଜର ସଂଗଠନକୁ ସୁଦୃଢ଼ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ଓଡ଼ିଶାରେ କ୍ରମାଗତ ଭାବେ ବିଜେପିର ଭୋଟ ହାର ସହ ସିଟ୍ ସଂଖ୍ୟା ମଧ୍ୟ ବଢ଼ୁଥିବାବେଳେ ଶାସକ ବିଜେଡି ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ କଂଗ୍ରେସକୁ ପଛରେ ପକାଇ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ପାଲଟିଥିବାବେଳେ ଗତ ପଞ୍ଚାୟତ ନିର୍ବାଚନ ଓ ଏବେ ସାଧାରଣ ନିର୍ବାଚନରେ ଦଳ ଆଖିଦୃଶିଆ ପ୍ରଦର୍ଶନ କରିପାରିଛି। ଦଳର ଏହି ପ୍ରଦର୍ଶନ ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରମୁଖ ଭୂମିକା ରହିଥିବା ଚର୍ଚ୍ଚା ହେଉଛି। ଯଦିଓ ରାଜ୍ୟରେ ବିଜେପିର ଭୋଟହାର ବୃଦ୍ଧି ଦିଗରେ ଧର୍ମେନ୍ଦ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ତଥାପି ଦଳର ରାଜ୍ୟ ସଂଗଠନରେ ଏକ ବୃହତ୍ ଗୋଷ୍ଠୀ ସହ ତାଙ୍କର ମତଭେଦ ଓ କନ୍ଦଳ ଯୋଗୁ ଚଳିତ ସାଧାରଣ ନିର୍ବାଚନରେ ବିଜେପି ଯେଭଳି ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲା, ତାହା ସମ୍ଭବପର ହୋଇପାରିଲା ନାହିଁ।

ବିଜେପି ଦୀର୍ଘ ୫ବର୍ଷ ଧରି ରାଜ୍ୟରେ ଧର୍ମେନ୍ଦ୍ରଙ୍କୁ ଦଳର ଚେହେରା କରିଥିଲେ ମଧ୍ୟ ନିର୍ବାଚନ ସମୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିପାରିଲା ନାହିଁ। ରାଜ୍ୟରେ ବିଜେଡି ସରକାର ବିରୋଧରେ ଶାସନବିରୋଧୀ ହାୱା ଥିବା ସତ୍ତେ୍ୱ ବିଜେପି ଭିତରେ ଥିବା କନ୍ଦଳର ଫାଇଦା ବିଜେଡିକୁ ମିଳିଥିଲା। ଜୁଏଲ କେନ୍ଦ୍ରମନ୍ତ୍ରୀ ଥିଲେ ମଧ୍ୟ ସମାନ୍ତରାଳ ଭାବେ ଦଳୀୟ ସଂଗଠନକୁ ନିଜ ପାଖରେ ରଖିପାରି ନଥିଲେ କିମ୍ବା ଅସନ୍ତୁଷ୍ଟ ଥିବା ଗୋଷ୍ଠୀକୁ ବୁଝାସୁଝା କରି ନିର୍ବାଚନ ସମୟରେ ଏକଜୁଟ କରାଇ ପାରିନଥିଲେ।|

ତେଣୁ ଏହାକୁ ଦୃଷ୍ଟିରେ ରଖି ବିଜେପି ଏଥର ସୁଚିନ୍ତିତ ରଣନୀତି ଆଧାରରେ ପ୍ରତାପ ଷଡ଼ଙ୍ଗୀଙ୍କୁ ମନ୍ତ୍ରୀ ପଦରେ ଆସୀନ କରାଇଛି। ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତିସମ୍ପନ୍ନ ଶ୍ରୀ ଷଡ଼ଙ୍ଗୀ ଦୀର୍ଘବର୍ଷ ଧରି ଆରଏଏସର ପ୍ରଚାରକ ଭାବେ କାର୍ଯ୍ୟ କରିବା ସହ ୨୦୦୪ ଓ ୨୦୦୯ରେ ଦୁଇଥର ବିଧାୟକ ମଧ୍ୟ ରହିଛନ୍ତି। ଚଳିତଥର ବାଲେଶ୍ୱରରେ ବିଜେଡି ଓ କଂଗ୍ରେସର ଦୁଇ ହେଭିୱେଟଙ୍କୁ ପରାଜିତ କରି ସେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ଷଡ଼ଙ୍ଗୀଙ୍କର ସରଳ ଓ ନିରାଡ଼ମ୍ବର ଜୀବନଶୈଳୀ ଆଗରେ ବିରୋଧୀ ପ୍ରାର୍ଥୀମାନଙ୍କର ଅର୍ଥବଳ ଓ ବାହୁବଳ ଫେଲ୍ ମାରିଛି।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଓଡ଼ିଶା ଗସ୍ତରେ ଆସିଲେ ଶ୍ରୀ ଷଡ଼ଙ୍ଗୀଙ୍କୁ ଦଳର ‘ସଚ୍ଚା ଓ ପୁରୁଣା ସିପାହୀ’ କହିବାକୁ ପଛାନ୍ତି ନାହିଁ। ନିଜର ସ୍ପଷ୍ଟ ଓ ରୋକଠୋକ୍ କଥା ପାଇଁ ପରିଚିତ ଶ୍ରୀ ଷଡ଼ଙ୍ଗୀଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସାମିଲ କରି ବିଜେପି ଭବିଷ୍ୟତରେ ତାଙ୍କୁ ରାଜ୍ୟରେ ଦଳର ଚେହେରା ଭାବେ ଉପସ୍ଥାପନ କରିବାର ବିକଳ୍ପ ଖୋଲା ରଖିଛି। ଦଳର ରାଜ୍ୟ ସଂଗଠନରେ ଧର୍ମେନ୍ଦ୍ରଙ୍କ ପ୍ରତି ଥିବା ଅସନ୍ତୋଷ ଓ ଉକ୍ତ ଗୋଷ୍ଠୀକୁ ନିଜ ସପକ୍ଷରେ ରଖି ଦଳ ପାଇଁ କାମ କରିବାରେ ଶ୍ରୀ ଷଡ଼ଙ୍ଗୀ ସକ୍ଷମ ହେବେ ବୋଲି ବିଜେପି ନେତୃତ୍ୱ ଅନୁଭବ କରିଛନ୍ତି ବୋଲି କୁହାଯାଉଛି।

ତୃଣମୂଳସ୍ତରରେ କର୍ମୀ ଓ ବିଭିନ୍ନ ବର୍ଗର ଲୋକ ବା ନେତାଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାରେ ମଧ୍ୟ ଶ୍ରୀ ଷଡ଼ଙ୍ଗୀ ବେଶ୍ ସିଦ୍ଧହସ୍ତ। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏବେଠୁ ଓଡ଼ିଶାରେ ନିଜର ସ୍ଥିତି ସୁଦୃଢ଼ କରିବାରେ ଲାଗିଥିବାରୁ ପୁଣିଥରେ ୨ଜଣଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରିଛି।

ଓଡ଼ିଶାରେ ଆଉ ପ୍ରାୟ ୨ବର୍ଷ ପରେ ପଞ୍ଚାୟତ ନିର୍ବାଚନ ଓ ୫ବର୍ଷ ପରେ ସାଧାରଣ ନିର୍ବାଚନ ଥିବାରୁ ବିଜେପି ଏବେଠୁ ଓଡ଼ିଶାକୁ ଅଧିକ ସଂଖ୍ୟକ ମନ୍ତ୍ରୀ ପଦ ନଦେଇ ନିକଟ ଭବିଷ୍ୟତରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକୁ ମନ୍ତ୍ରିମଣ୍ଡଳରେ ଅଧିକ ପ୍ରତିନିଧିତ୍ୱ ଦେଇଛି। ଅବଶ୍ୟ ଅପରାଜିତା ଷଡ଼ଙ୍ଗୀଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ କେବଳ ଦୁଇଜଣଙ୍କୁ ହିଁ ମୋଦିଙ୍କ ଟିମରେ ସାମିଲ କରାଯାଇଛି।



from Odisha Reporter http://bit.ly/2Z4EhtV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages