
ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗମ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କୁଲଗମ ଜିଲ୍ଲାର ଗୋପାଲପରା ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀ ସୂଚନା ପାଇଥିଲେ। ଏହାପରେ ସଂପୃକ୍ତ ଅଞ୍ଚଳକୁ ଘେରି ଯାଇ ସର୍ଚ୍ଚ ଅପରେସନ କରିଥିଲେ ସୁରକ୍ଷାକର୍ମୀ।
ଘେରାବନ୍ଦୀ ହୋଇଯିବା ପରେ ଆତଙ୍କବାଦୀ ମାନେ ବାଧ୍ୟ ହୋଇ ସେନା ଉପରକୁ ଗୁଳି ଚଳାଇଥିଲେ। ଏହାପରେ ସୁରକ୍ଷାକର୍ମୀ ମାନେ କଡ଼ା ଜବାବ ଦେଇଥିଲେ। ମୃତ ଦୁଇ ଆତଙ୍କୀ ଆତଙ୍କବାଦୀ ସଂଗଠନ ହିଜବୁଲ-ମୁଜାହିଦ୍ଦିନ ସହିତ ଜଡ଼ିତ ଥିଲା ବୋଲି ସୂଚନା ମିଳିଥିବା ବେଳେ ତାଙ୍କର ସଠିକ୍ ପରିଚୟ ମିଳିପାରି ନାହିଁ।
ସୁରକ୍ଷାକର୍ମୀ ମାନେ ମୃତ ଆତଙ୍କବାଦୀ ପାଖରୁ ମାରଣାସ୍ତ୍ର ଓ ବନ୍ଧୁକ ଜବତ କରିଥିବା ସୂଚନା ରହିଛି। ତେବେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ନେଇ ଆଶଙ୍କା କରି ସୁରକ୍ଷାକର୍ମୀ ସଂପୃକ୍ତ ଗାଁରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଏଥିସହ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କୁଲଗମ ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ ସେବା ସାମୟିକ ବ୍ୟାହତ ଥିବା ଜଣାପଡ଼ିଛି।
ସୂଚନା ଥାଉ କି ମାସକ ମଧ୍ୟରେ ଜମ୍ମୁ କଶ୍ମୀରର ପୁଲଓ୍ୱାମା, ଶୋପିଆନ, କୁଲଗମ ଆଦି ଜିଲ୍ଲାରେ ପାଖାପାଖି ୧୨ରୁ ଅଧିକ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି। ମୁଖ୍ୟତଃ ଗାଁ ଗୁଡ଼ିକରେ ଆତଙ୍କବାଦୀ ମାନେ ଲୁଚି ରହୁଛନ୍ତି। ଏବଂ ଅଧିକାଂଶ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଯାହାକି ଉଭୟ ସେନା ଓ ସ୍ଥାନୀୟ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।
from Odisha Reporter http://bit.ly/2JSmiCi
No comments:
Post a Comment