
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଉ ଦୁଇ ଦିନ ପର୍ଯ୍ୟନ୍ତ ବି ଏଥିରୁ ନିସ୍ତାର ମିଳିବାର ସମ୍ଭାବନା ନାହିଁ। କାରଣ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆସନ୍ତାକାଲି ପର୍ଯ୍ୟନ୍ତ ୬ଟି ଜିଲ୍ଲା ପାଇଁ ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି କରିଛି। ସେହି ଜିଲ୍ଲାଗୁଡ଼ିକ ହେଉଛି- ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, ଦେବଗଡ଼, ବରଗଡ଼ ଓ ନବରଙ୍ଗପୁର। ଏହା ସହିତ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ସାମାନ୍ୟଠାରୁ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଟିଟିଲାଗଡ଼ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରାରେ ଅସ୍ୱାଭାବିକ ଭାବେ ବଢ଼ିବାରେ ଲାଗିଛି। ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ରେ ଏଥିରେ ଏକାଧିକ ଥର ତାପମାତ୍ର ୪୫ ଡିଗ୍ରୀ ଅତିକ୍ରମ କରିଛି। ଗତକାଲି ବି ଏଠାରେ ତାପମାତ୍ର ୪୫ ଡିଗ୍ରୀ ରହିଥିଲା। ଏସବୁ ଅଞ୍ଚଳରେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ତାତି ସାଙ୍ଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁ ଲୋକେ ହନ୍ତସନ୍ତ ହେଉଛନ୍ତି। ସେହିପରି ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି।
ସୂଚନାଯୋଗ୍ୟ, ଗତକାଲି ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୪୫ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାରେ ୪୩.୮ ଡିଗ୍ରୀ, ବଲାଙ୍ଗିରରେ ୪୩.୬, ସମ୍ବଲପୁରରେ ୪୩.୪, ସୋନପୁରରେ ୪୩.୨, ଭବାନୀପାଟଣାରେ ୪୩, ତାଳଚେରରେ ୪୨.୫, ହୀରାକୁଦରେ ୪୨.୪, ସୁନ୍ଦରଗଡ଼ ଓ ମାଲକାନଗିରିରେ ୪୨ ଏବଂ ଅନୁଗୋଳରେ ୪୦.୭ ଡିଗ୍ରୀ ରହିଥିଲା। ଭୁବନେଶ୍ୱର ଓ କଟକରେ ତାପମାତ୍ରା ଯଥାକ୍ରମେ ୩୭ ଓ ୩୬.୮ ଡିଗ୍ରୀ ରହିଥିଲା।
from Odisha Reporter http://bit.ly/2Hvvr2a
No comments:
Post a Comment