
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ର ୧୩ ଦିନ ପରେ ମଧ୍ୟ ଜଗତପୁର ଶିଳ୍ପାଞ୍ଚଳକୁ ଏପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ହୋଇପାରି ନାହିଁ। ବାତ୍ୟାର ୧୨ ଦିନ ପରେ ସ୍ଥିତି ଦେଖିବାକୁ ଯାଇଥିବା ଶିଳ୍ପ ବିଭାଗର ଅଧିକାରୀମାନେ ଶିଳ୍ପୋଦ୍ୟୋଗୀମାନଙ୍କ ସହ କ୍ଷୟକ୍ଷତି ସଂପର୍କରେ ଆଲୋଚନା କରି ନଥିଲେ। ଶିଳ୍ପୋଦ୍ୟୋଗୀମାନେ ବିଦ୍ୟୁତ ସଂଯୋଗ ନେଇ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରିନଥିଲା। ଅନ୍ୟପଟେ ଶିଳ୍ପ ବିଭାଗ ଅଧିକାରୀଙ୍କ ପାଖରେ ବିଦ୍ୟୁତ ଯୋଗାଣ ତୁରନ୍ତ ଯୋଗାଇ ଦେବା ପାଇଁ ଦାବି କରିବାରୁ ୨ ଜଣ ଶିଳ୍ପୋଦ୍ୟୋଗୀଙ୍କୁ ପୁଲିସ ଗିରଫ କରିଥିଲା। କ୍ଷୟକ୍ଷତି ଦେଖିବାକୁ ଆସିଥିବା ଅଧିକାରୀମାନେ ଶିଳ୍ପୋଦ୍ୟୋଗୀମାନଙ୍କ ସହ ଆଲୋଚନା ନକରି ଓଲଟା ପୁଲିସ ଦ୍ୱାରା ମାଡ଼ ମାରି ସେମାନଙ୍କୁ ଗିରଫ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ଉପ ସଭାପତି ସମୀର ମହାନ୍ତି କହିଛନ୍ତି।
ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାର ହେଉଛନ୍ତି ଶିଳ୍ପ ବିରୋଧୀ। ସେଥିଲାଗି ପୁଲିସ ପ୍ରଶାସନ ଲଗାଇ ଓଡିଶାର ଶିଳ୍ପୋଦ୍ୟୋଗୀଙ୍କ ସ୍ୱର ଚାପିବାକୁ ପ୍ରୟାସ କରୁଛନ୍ତି। ବିନା ପାଣି କିମ୍ବା ବିଦ୍ୟୁତରେ କୌଣସି ଶିଳ୍ପ ଚାଲିବା ଅସମ୍ଭବ। ଦୀର୍ଘ ୧୨ ଦିନ ପରେ ଜଗତପୁର ଶିଳ୍ପାଞ୍ଚଳକୁ ବିଦ୍ୟୁତ ନଯୋଗାଇବା କାରଣରୁ କୋଟି କୋଟି ଟଙ୍କାର କ୍ଷତି ହେଉଛି। ଏମଏସଏମଇ ସଚିବ ଏ ନେଇ କୌଣସି ବ୍ୟବସ୍ଥା କରିନାହାନ୍ତି। ବାତ୍ୟା ଫୋନି ପାଇଁ ରାଜ୍ୟସରକାର କିମ୍ବା ଶିଳ୍ପ ବିଭାଗ ପ୍ରସ୍ତୁତ ନଥିଲା। ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ଶିଳ୍ପୋଦ୍ୟୋଗୀଙ୍କୁ ସହାୟତା ନଦେଇ ସେମାନଙ୍କ ଉପରେ ଜୁଲମ ହେବା କଟା ଘାରେ ଚୂନ ଦେବା ସଦୃଶ।
ରାଜ୍ୟସରକାର ଓଡ଼ିଶାର ଶିଳ୍ପୋଦ୍ୟୋଗୀମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ପୁଲିସ ଦ୍ୱାରା ମାଡ଼ ମାରି ଦମନ କରିଚାଲିଛନ୍ତି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶିଳ୍ପର ବିକାଶ କରିବା କଥା ‘ମେକ ଇନ୍ ଓଡ଼ିଶା’ରେ କହୁଥିବା ସମୟରେ ଅନ୍ୟପଟେ ଜଗତପୁର ଶିଳ୍ପାଚଂଳରେ ଶିଳ୍ପପତିମାନଙ୍କୁ ପୁଲିସ ଲଗାଇ ଆକ୍ରମଣ କରୁଛନ୍ତି। କେବଳ ରାଜନୈତିକ ସ୍ୱାର୍ଥ ପାଇଁ ଶିଳ୍ପୋଦ୍ୟୋଗୀମାନଙ୍କୁ ବ୍ୟବହାର କରାଯାଉଛି। ରାଜ୍ୟସରକାରଙ୍କ ଅପାରଗତା ଏବଂ ସ୍ଥାଣୁତା ପାଇଁ ପୂର୍ବରୁ ରାଜ୍ୟରୁ ପୋସ୍କୋ ଓ ବେଦାନ୍ତ ଭଳି ଅନେକ ଶିଳ୍ପ ଫେରିଯାଇଛି। ଏବେ ଶିଳ୍ପୋଦ୍ୟୋଗୀଙ୍କ ସମସ୍ୟାର ସମାଧାନ ନକରି ସେମାନଙ୍କ ଉପରେ ହୋଇଥିବା ଦମନକୁ ଶ୍ରୀ ମହାନ୍ତି ଦୃଢ଼ ନିନ୍ଦା କରିବା ସହ ଜଗତପୁର ଶିଳ୍ପାଚଂଳରେ ବାତ୍ୟା ଫୋନି ଜନିତ କ୍ଷୟକ୍ଷତିର ଆକଳନ କରି ତୁରନ୍ତ ସହାୟତା କରିବାକୁ ଦାବି କରିଛନ୍ତି।
from Odisha Reporter http://bit.ly/2Jofk8U
No comments:
Post a Comment