କାହିଁକି ସୁଧୁରିପାରିଲାନି କଂଗ୍ରେସର ଅବସ୍ଥା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

କାହିଁକି ସୁଧୁରିପାରିଲାନି କଂଗ୍ରେସର ଅବସ୍ଥା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମେଣ୍ଟ ପୁଣିଥରେ ବିରୋଧୀ ଦଳ ଭୂମିକାରେ ରହିବ ଓ ଓଡ଼ିଶାରେ ମଧ୍ୟ କଂଗ୍ରେସର ସ୍ଥିତିରେ ସେଭଳି ଆଖିଦୃଶିଆ ସୁଧାର ଆସିବ ନାହିଁ ବୋଲି ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ ଆକଳନ କରିଛନ୍ତି। କଂଗ୍ରେସକୁ ଓଡ଼ିଶାରେ ଅତିବେଶୀରେ ଗୋଟିଏ ଲୋକସଭା ଓ ୧୦ରୁ ୧୫ ବିଧାନସଭା ଆସନରେ ସଫଳତା ମିଳିବ ବୋଲି ଏକଜିଟ୍ ପୋଲରେ ଆକଳନ ହୋଇଛି। ଯାହାକି କଂଗ୍ରେସ ସଂଗଠନକୁ ପୁଣିଥରେ ବିପର୍ଯ୍ୟସ୍ତ ସ୍ଥିତି ଆଡ଼କୁ ନେଇଯିବ ବୋଲି ରାଜନୀତିକ ବିଶ୍ଲେଷକମାନେ ଆଶଙ୍କା ବ୍ୟକ୍ତ କଲେଣି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ରାଜ୍ୟରେ ନବୀନ ପଟ୍ଟନାୟକ ସରକାର ବିରୋଧରେ କ୍ଷମତାବିରୋଧୀ ହାୱା, ରାଜ୍ୟରେ ବାବୁଗିରି ଶାସନକୁ ନେଇ ପରିବର୍ତ୍ତନର ମାନସିକତା ଓ ବିଜେପିର କଠୋରବାଦୀ ଚିନ୍ତାଧାରାରୁ ଯେଉଁ ଫାଇଦା କଂଗ୍ରେସ ନେବା କଥା, ତାହା ସମ୍ଭବପର ହେବାଭଳି ଲାଗୁନି। କଂଗ୍ରେସ ମଧ୍ୟ ନିଜର ଆକର୍ଷଣୀୟ ନିର୍ବାଚନୀ ଘୋଷଣାପତ୍ରରୁ ଫାଇଦା ଉଠାଇ ପାରିନି କି ସଂଗଠିତ ହୋଇ ସାଧାରଣ ଭୋଟରଙ୍କ ନିକଟରେ ତାହା ପହଞ୍ଚାଇ ପାରିନି। ତା’ଛଡ଼ା ନିର୍ବାଚନର ଠିକ ପୂର୍ବରୁ ଜଣେ ପରେ ଜଣେ ବିଧାୟକ ଅନ୍ୟ ଦଳକୁ ଡ଼ିଆଁ ମାରିବା ଓ କିଛି ନେତା ଟିକେଟ୍ ଫେରସ୍ତ କରିବା ଆଦି ଘଟଣା ଯୋଗୁ ଦଳ ସାଧାରଣ ଭୋଟରଙ୍କ ଆସ୍ଥା ହରାଇଥିଲା। ଏପରିକି ଦଳ ପ୍ରତି ଲୋକଙ୍କ ମନରେ ବୃଦ୍ଧି ପାଉଥିବା ଅବିଶ୍ୱାସର ବାତାବରଣକୁ ସୁଧାରିବା ପାଇଁ କଂଗ୍ରେସର ଶୀର୍ଷ ନେତୃତ୍ୱ କିମ୍ବା ରାଜ୍ୟ ନେତୃତ୍ୱ କୌଣସି ପଦକ୍ଷେପ ମଧ୍ୟ ନେଇନଥିଲେ।

ପିସିସି ମୁଖିଆ ଦାୟିତ୍ୱ ନିରଞ୍ଜନ ପଟ୍ଟନାୟକ ନେବାପରେ ଅତିକମରେ ୬ମାସ ପୂର୍ବରୁ ଦଳୀୟ ଟିକେଟ୍ ଚୂଡ଼ାନ୍ତ ହେବ ବୋଲି ସେ ଘୋଷଣା କରିଥିଲେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିବାର ଡେଡଲାଇନ ପୂରିବାର ୪୮ଘଣ୍ଟା ପୂର୍ବରୁ ବି ଟିକେଟ୍ ଚୂଡ଼ାନ୍ତ ହୋଇପାରିନଥିଲା। ଆଉ କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧି ନିର୍ବାଚନ ସମୟରେ ଓଡ଼ିଶା ପ୍ରତି ବିଶେଷ ଦୃଷ୍ଟି ନଦେବା ଏବଂ କେନ୍ଦ୍ରୀୟ ନେତାମାନେ ପ୍ରଚାରକୁ ନଆସିବା ମଧ୍ୟ ଦଳ ପ୍ରତି ଲୋକଙ୍କ ମଧ୍ୟରେ ଅବିଶ୍ୱାସର ବାତାବରଣକୁ ଅଧିକ ଜୀବନ୍ତ କରାଇଲା। ନିର୍ବାଚନ ପୂର୍ବରୁ ଦଳ ରାଜ୍ୟରେ ଯେଉଁ ଜୋସ୍ ଓ ରଣନୀତି ଆଧାରରେ ନିଜକୁ ସଂଗଠିତ କରୁଥିଲା, ନିର୍ବାଚନ ପାଖେଇ ଆସିବାବେଳକୁ ସେଥିରେ ବ୍ରେକ୍ ଲାଗିଥିଲା। ଏହାରି ସୁଯୋଗରେ ବହୁଧା ବିଭକ୍ତ ହୋଇଥିବା ରାଜ୍ୟ କଂଗ୍ରେସର ନେତାମାନେ ନିଜ ନିଜର ସ୍ୱାର୍ଥ ଲାଭ ଆଶାରେ ଦଳୀୟ ଟିକେଟକୁ ବାଣ୍ଟିକୁଣ୍ଟି ନେଇଯାଇଥିଲେ। ବିଜେଡିର ବି-ଗ୍ରୁପ୍ ଭାବେ କଂଗ୍ରେସ ରାଜ୍ୟରେ ନିର୍ବାଚନ ଲଢ଼ୁଛି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହେଲା। ଏସବୁ କାରଣ ଯୋଗୁ ଦଳ ତୃଣମୂଳସ୍ତରରେ ଥିବା ନିଜର ଭୋଟବ୍ୟାଙ୍କ ଓ ପୁରୁଣା ସଂଗଠନ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାରେ ରାଜ୍ୟ ନେତୃତ୍ୱ ସକ୍ଷମ ହୋଇପାରିନଥିଲା।

ଏକଜିଟ୍ ପୋଲ ରିପୋର୍ଟ ଓ କଂଗ୍ରେସର ସମ୍ଭାବ୍ୟ ନିରାଶାଜନକ ପ୍ରଦର୍ଶନକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “କଂଗ୍ରେସ ଆସନ ସଂଖ୍ୟା କମିବା ପାଇଁ ଆମେ ନିଜେ ଦାୟୀ। ବିଧାନସଭାରେ ୨୦ରୁ ୩୦ଟି ଆସନ ପାଇବୁ ବୋଲି ଆକଳନ କରିଥିଲୁ। ତେବେ ଆସିଥିବା ଏକଜିଟ୍ ପୋଲ ବିଶ୍ୱାସଯୋଗ୍ୟ ନୁହେଁ।” ସେ ଘଷିପୁରାରୁ ଜିତିବାର ସମ୍ଭାବନା କ୍ଷୀଣ କିନ୍ତୁ ଭଣ୍ଡାରୀପୋଖରୀରେ ନିଶ୍ଚିତ ଜିତିବେ ବୋଲି ଦୃଢ଼ୋକ୍ତି କରିଛନ୍ତି।

ତେଣୁ କଂଗ୍ରେସ ଆପଣା କଲାକର୍ମ ଓ ଅପାରଗତାରୁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ପରିବର୍ତ୍ତେ ତୃତୀୟ ସ୍ଥାନରେ ରହିବାକୁ ବାଧ୍ୟ ହେବାର ପରିସ୍ଥିତି ସୃଷ୍ଟି ହୋଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ରାଜ୍ୟରେ ଦୁଃସ୍ଥିତିକୁ ଖସିଥିଲେ ମଧ୍ୟ ଏଥିରୁ କୌଣସି ଶିକ୍ଷା ଲାଭ କରିପାରିଲାନି। ଯାହାର ଫଳ ଦଳକୁ ଆଗାମୀ ଦିନରେ ବେଶ୍ ମହଙ୍ଗା ପଡ଼ିବ। ଏପରିକି ଦଳ ଓଡ଼ିଶାରୁ ସମ୍ପୂର୍ଣ୍ଣ ମୂଳପୋଛ ହେବାକୁ ମଧ୍ୟ ବେଶୀଦିନ ସମୟ ଲାଗିବ ନାହିଁ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।



from Odisha Reporter http://bit.ly/2JujQ5w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages