
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ଆସନ୍ତା ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ଏହି ଜିଲ୍ଲାଗୁଡ଼ିକରେ ହିଟୱେଭକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚଆର ବିଶ୍ୱାସ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ୧୧ଟି ଜିଲ୍ଲା ଯଥା ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ(ହିଟ୍ ୱେଭ) ଓ ତତଲା ହାୱା ଅନୁଭୂତ ହେବ। ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୮ଟା ମଧ୍ୟରେ ହିଟ୍ ୱେଭ୍ ଅନୁଭୂତ ହେବାର ଆଶଙ୍କା ଥିବାରୁ ଏହି ଅବଧି ମଧ୍ୟରେ ଶିଶୁ, ବୃଦ୍ଧବୃଦ୍ଧା ଓ କ୍ରୋନିକ୍ ଡିଜିଜ୍ ଥିବା ବ୍ୟକ୍ତିମାନେ ଘରୁ ନବାହାରିବା ପାଇଁ ପରାମର୍ଶ ଜାରି କରାଯାଇଛି। ଅନ୍ୟମାନେ ଅତି ଜରୁରୀ ନଥିଲେ ଖରାରେ ଘରୁ ନବାହାରିବାକୁ ପାଣିପାଗ ବିଭାଗ ସତର୍କତା ଜାରି କରିଛି।
ସୂଚନାଯୋଗ୍ୟ, ଏବେ ରାଜ୍ୟର ସର୍ବାଧିକ ଉତ୍ତପ୍ତ ଅଞ୍ଚଳ ଭାବେ ଟିଟିଲାଗଡ଼ରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବାବେଳେ ସୁନ୍ଦରଗଡ଼ରେ ତାପମାତ୍ରା ସର୍ବନିମ୍ନ ୨୨ ଡିଗ୍ରୀ ରେକର୍ଡ ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନାରୁ ଜଣାପଡ଼ିଛି।
from Odisha Reporter http://bit.ly/2vOcTUo
No comments:
Post a Comment