
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଫୋନି’ ଯୋଗୁ ପୁରୀ, ଖୋର୍ଦ୍ଧା ଓ ଭୁବନେଶ୍ୱରରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ବିଦ୍ୟୁତ୍ ସେବା ବହୁ ମାତ୍ରାରେ ପ୍ରଭାବିତ ହୋଇଛି। କଟକରେ ମଧ୍ୟ ସମାନ ଅବସ୍ଥା। କଟକ ଓ ଭୁବନେଶ୍ୱରରେ ଧୀରେ ଧୀରେ ବିଦ୍ୟୁତ୍ ସଂଯୋଗ ଦିଆଯାଉଥିବା ବେଳେ ପୁରୀ ବଡ଼ଦାଣ୍ଡରେ ଆସନ୍ତା ୧୨ ତାରିଖରେ ବିଦ୍ୟୁତ୍ ସଂଯୋଗ ଦିଆଯିବ। ସୂଚନା ଓ ଲୋକ ସଂପର୍କ ସଚିବ ସଞ୍ଜୟ ସିଂହ ଆଜି ଏ ସୂଚନା ଦେଇଛନ୍ତି।
ସେ କହିଛନ୍ତି-“ପୂର୍ବ ଟାର୍ଗେଟ ଅନୁଯାୟୀ ରାଜଧାନୀ ଭୁବନେଶ୍ୱରରେ ୧୦ ତାରିଖ ସୁଦ୍ଧା ୮୦ ପ୍ରତିଶତ ଓ ୧୨ ତାରିଖ ସୁଦ୍ଧା ସମସ୍ତଙ୍କୁ ବିଜୁଳି ସଂଯୋଗ ଯୋଗାଇ ଦିଆଯିବ। ଆଜି ସୁଦ୍ଧା ଭୁବନେଶ୍ୱରରେ ମୋଟ ୮୬ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି।ସେହିପରି ପୁରୀରେ ୧୨ ତାରିଖରୁ ବଡ଼ ଦାଣ୍ଡରେ ବିଜୁଳି ଦେବା ପାଇଁ କାମ ଚାଲିବ। ୧୫ ସୁଦ୍ଧା ପୁରୀ ଓ କୋଣାର୍କ ସହରକୁ ବିଜୁଳି ସଂଯୋଗ ଦିଆଯିବ। ତେବେ ପ୍ରତି ଘରକୁ ବିଦ୍ୟୁତ ପହଞ୍ଚିବାରେ ସମସ୍ୟା ଦେଖାଦେଇପାରେ। ତେଣୁ ୫୦୦ ଆଇଟିଆଇ ପିଲାଙ୍କୁ ନେଇ ଟିମ୍ ଗଠନ କରାଯିବ ଓ ଘରକୁ ଘର ପଠାଯିବ। ଏହି ଆଇଟିଆଇ ଟିମ୍ ଘରକୁ ଘର ଯାଇ ବିଦ୍ୟୁତ୍ ସଂଯୋଗରେ ସହାୟତା କରିବେ।”
ଶ୍ରୀ ସିଂହ ଆହୁରି କହିଛନ୍ତି,“ଖୋର୍ଦ୍ଧାରେ ୧୦୦ଟି ଟିମ୍ କାମ କରୁଛନ୍ତି। ସେମାନେ ଦିନ ରାତି କାମରେ ନିୟୋଜିତ ହୋଇଛନ୍ତି। ଏହାଛଡ଼ା ଆଉ କିଛି ଟିମ୍ ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼ ଓ ତେଲେଙ୍ଗାନାରୁ ଆସୁଛନ୍ତି। ସେମାନେ ଏଠାରେ ପହଞ୍ଚିଲେ କାମ ଆହୁରି ଦ୍ରୁତ ଗତିରେ ଆଗେଇବ।”
ବାତ୍ୟା ପ୍ରଭାବିତ ଜିଲ୍ଲାରେ କାର୍ଯ୍ୟକ୍ଷମ ଏଟିଏମ୍ ସଂପର୍କରେ ବି ସୂଚନା ଓ ଲୋକ ସଂପର୍କ ସଚିବ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୁରୀରେ ୧୭୩ଟି ଏଟିଏମ୍ରୁ ୨୦ଟି କାର୍ଯ୍ୟକ୍ଷମ ହୋଇଛି। ଖୋର୍ଦ୍ଧା ଓ ଭୁବନେଶ୍ୱରରେ ୧୧୬୪ଟି ଏଟିଏମ୍ରୁ ୧୯୭ଟି କାର୍ଯ୍ୟକ୍ଷମ ଅଛି। କଟକ ସହର ତଥା ପୂରା ଜିଲ୍ଲାରେ ୫୯୩ ଏଟିଏମ୍ରୁ ୧୬୨ଟି କାର୍ଯ୍ୟକ୍ଷମ ହୋଇଛି। ଜଗତସିଂହପୁରରେ ୧୯୬ଟି ଏଟିଏମ୍ରୁ ୧୧୨ଟି ଚାଲୁଛି। କେନ୍ଦ୍ରାପଡ଼ାରେ ୧୬୯ ଏଟିଏମ୍ରୁ ୧୦୫ଟି କାର୍ଯ୍ୟକ୍ଷମ ରହିଛି। ଇଣ୍ଟରନେଟ୍ ଓ ବିଦ୍ୟୁତ୍ ନଥିଲେ ମଧ୍ୟ ବ୍ୟାଙ୍କ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।”
ବାଲୁଖଣ୍ଡ ଓ ନନ୍ଦନକାନନରେ କୌଣସି ବନ୍ୟଜନ୍ତୁ ମରିଥିବାର ରିପୋର୍ଟ ନାହିଁ ବୋଲି ଶ୍ରୀ ସିଂ କହିଛନ୍ତି।
from Odisha Reporter http://bit.ly/2Vb9YiD
No comments:
Post a Comment