ନୂଆଦିଲ୍ଲୀ: ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କ ପାଇଁ ଅଡୁଆ ବଢ଼ିପାରେ। କାରଣ ସେ ସାମ୍ୱିଧାନିକ ପଦବୀରେ ଅବସ୍ଥାପିତ ଥିବାରୁ ତାଙ୍କ ବିରୋଧରେ ଥିବା ବାବ୍ରି ମସଜିଦ୍ ମାମଲା ବନ୍ଦ ରହିଥିଲା। ଏବେ କାର୍ଯ୍ୟକାଳ ଶେଷ ହେବା ପରେ ପୁଣି ଥରେ ସିବିଆଇ ଜେରାର ସମ୍ମୁଖୀନ ହୋଇପାରନ୍ତି କଲ୍ୟାଣ ସିଂହ।
ସୂଚନାଯୋଗ୍ୟ, ଗତକାଲି ରାଷ୍ଚ୍ରପତି ରାମନାଥ କୋବିନ୍ଦ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହଙ୍କ ସ୍ଥାନରେ ହିମାଚଳ ପ୍ରଦେଶ ରାଜ୍ୟପାଳ କାଲରାଜ ମିଶ୍ରଙ୍କୁ ନିଯୁକ୍ତି ଦେଇଛନ୍ତି। ୨୦୧୭ରେ ସୁପ୍ରିମକୋର୍ଟ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ଓ ଉମା ଭାରତୀଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ମାମଲା ଚଳାଇବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କଲ୍ୟାଣ ସିଂହ ରାଜ୍ୟପାଳ ପଦବୀରେ ଅବସ୍ଥାପିତ ଥିବାରୁ ତାଙ୍କ ବିରୋଧରେ କୌଣସି ମାମଲା ଚାଲିପାରିବ ନାହିଁ ବୋଲି ସମ୍ୱିଧାନର ଧାରା ୩୬୧ରେ ଉଲ୍ଲେଖ ରହିଛି।
୧୯୯୨ରେ ହୋଇଥିବା ଏହି ବାବ୍ରି ମସଜିଦ୍ ଭଙ୍ଗାଯିବା ସମୟରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ କଲ୍ୟାଣ ସିଂହ। ୨୦୧୪ରେ ମୋଦି ସରକାର ଆସିବା ପରେ ରାଜସ୍ଥାନ ରାଜ୍ୟପାଳ ଭାବରେ କଲ୍ୟାଣ ସିଂହ ନିଯୁକ୍ତ ହୋଇଥିଲେ। କଲ୍ୟାଣ ସିଂହ ହେଉଛନ୍ତି ରାଜସ୍ଥାନର ଚତୁର୍ଥ ରାଜ୍ୟପାଳ ଯିଏକି ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିବାକୁ ଯାଉଛନ୍ତି।
from Odisha Reporter https://ift.tt/2knOIdd
No comments:
Post a Comment