ନାଗପୁର: ବିଜେପିର ମାର୍ଗଦର୍ଶକ ତଥା ହିନ୍ଦୁବାଦ ଚିନ୍ତାଧାରାରେ ପରିଚାଳିତ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଆଜି ମୋଦି-୨ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ମୋଦି-୨ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିବାରୁ ଭାଗବତ ଏହାକୁ ଏକ ସାହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି।
ସେହିପରି ଭିଡ଼ ହିଂସାରେ ଆରଏସ୍ଏସ୍ କେବେ ହେଲେ ସାମିଲ ହୋଇନାହିଁ ବୋଲି ମଧ୍ୟ ସେ ସଫେଇ ଦେଇଛନ୍ତି। ଏଥିସହ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି କୁଆଡ଼େ ମୋଦି ସରକାର ଅମଳରେ ହେଉଥିବା ବିକାଶକୁ ସହ୍ୟ କରିପାରୁନାହାନ୍ତି ବୋଲି ସେ ମତ ଦେଇଛନ୍ତି।
ବିଜୟାଦଶମୀ ଉପଲକ୍ଷେ ଆରଏସ୍ଏସ୍ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଭାଗବତ କହିଛନ୍ତି, “ଲୋକଙ୍କ ଆଶାନୁଯାୟୀ ସରକାର କାର୍ଯ୍ୟ କରୁଛନ୍ତି। ଏଥିପାଇଁ ଦ୍ୱିତୀୟଥର ମୋଦି ସରକାର କ୍ଷମତାକୁ ଆସିଛନ୍ତି। ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ମୋଦି-୨ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି।”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଧାରା ୩୭୦ ଉଚ୍ଛେଦ ପାଇଁ ଯେଉଁଭଳି କାର୍ଯ୍ୟକ୍ରମ ସବୁ ହାତକୁ ନେଇଥିଲେ, ତା’କୁ ମଧ୍ୟ ଭାଗବତ ପ୍ରଶଂସା କରିଛନ୍ତି। ସେ ସରକାରଙ୍କ ପ୍ରଶଂସା କରିଥିଲେ ହେଁ ବିକାଶ ପଥରେ ଥିବା କଣ୍ଟା ଓ ଏହାକୁ କାଢ଼ିବା ପାଇଁ ବ୍ୟବସ୍ଥା ପ୍ରଣୟନ ଉପରେ ଗୁରୁତ୍ୱ ଦେଇଛନ୍ତି।
ସେ କହିଛନ୍ତି, “ଏବେ ଅନେକ କିଛି ପ୍ରଶ୍ନ ରହିଛି,ଯାହାର ଉତ୍ତର ଆମକୁ ଖୋଜିବାକୁ ପଡ଼ିବ। ସେହିପରି ବର୍ତ୍ତମାନ ଦେଖାଯାଇଥିବା ସମସ୍ୟାକୁ ଖୋଜି ବାହାର କରିବା ସହ ଏହାର ପ୍ରତିକାର ମଧ୍ୟ କରିବା ଦରକାର। ଭାରତ ବିକାଶ ଅଭିମୁଖେ ଯାଉଥିବାରୁ ଏହା କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ ମନରେ ଭୟ ସୃଷ୍ଟି କରୁଛି। କେବଳ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିମାନେ ହିଁ ଏକ ଶକ୍ତିଶାଳୀ ଓ ସମୃଦ୍ଧ ଭାରତ ଗଠନ ପ୍ରକ୍ରିୟାକୁ ବିରୋଧ କରୁଛନ୍ତି। ତେଣୁ ଆମକୁ ସେଭଳି ଲୋକଙ୍କ ଖୋଜି ବାହାର କରିବା ସହ ସେମାନଙ୍କୁ ବୃଦ୍ଧିମତାର ସହ ଜବାବ ଦେବାକୁ ପଡ଼ିବ। ସତର୍କତା ହିଁ ଏବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ।
ଏବେ ଦେଶରେ ଭାଷା, ଜାତି ଓ ଧର୍ମକୁ ନେଇ ଲୋକଙ୍କ ମଧ୍ୟରେ ବିଭେଦତା ସୃଷ୍ଟି କରିବାକୁ ଉଦ୍ୟମ ହେଉଛି। ଗୋଟିଏ ଧର୍ମର ଲୋକ ଅନ୍ୟ ଧର୍ମ ବିଷୟରେ ମିଥ୍ୟା ପ୍ରଚାର କରି ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବିଭେଦତା ସୃଷ୍ଟିକାରୀଙ୍କୁ ଆରଏସ୍ଏସ ସ୍ୱେଚ୍ଛାସେବୀଙ୍କ ସହ ଯୋଡ଼ା ଯାଉଛି। ଆଦର୍ଶଗତ ବିଭେଦତା ଦୁଇ ଜଣଙ୍କୁ ଅଲଗା କରିପାରେ।
ହେଲେ ସବୁକିଛି ସମ୍ବିଧାନର ସୀମା ମଧ୍ୟରେ କରାଯିବା ଉଚିତ। ଭିଡ଼ ହିଂସା ଆମ ସଂସ୍କୃତିରେ ନାହିଁ। ଆରଏସ୍ଏସ୍ କେବେ ହେଲେ ଏହାକୁ ସମର୍ଥନ କରେନାହିଁ। ଏହା ପାଶ୍ଚାତ୍ୟ ସଂସ୍କୃତିରୁ ଆସିଛି। ଭାରତକୁ ବଦନାମ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର। ସମାଜର କିଛି ହିଂସାକୁ ଭିଡ଼ ହିଂସାର ନାଁ ଦିଆଯାଉଛି। ଏମିତି କରି ଆମ ଦେଶକୁ ଓ ହିନ୍ଦୁ ସମାଜକୁ ବଦନାମ କରାଯିବା ସହ କିଛି ସଂପ୍ରଦାୟ ମଧ୍ୟରେ ଭୟର ଭୟର ବାତାବରଣ ସୃଷ୍ଟି କରାଯାଉଛି। ପ୍ରକୃତରେ ଭିଡ଼ ହିଂସା ଭାରତ ପାଇଁ ଏଲିଅନ ସହ ସମାନ। ତା’କୁ ଅନ୍ୟ କେଉଁ ସଂସ୍କୃତିରୁ ଏଠାକୁ ଅଣାଯାଇଛି।
ଦେଶର ଅର୍ଥନୀତି ନିମ୍ନଗାମୀ ହେବା ପଛରେ ଅନ୍ତର୍ଜାତୀୟ ପ୍ରସଙ୍ଗ ଦାୟୀ ବୋଲି କହି ଭାଗବତ ମୋଦି ସରକାରଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ ଅର୍ଥନୀତିର ପ୍ରଭାବ ବିଶ୍ୱର ସମସ୍ତ ଦେଶ ଉପରେ ପଡ଼ିଛି ବୋଲି ସେ କହିଛନ୍ତି।
from Odisha Reporter https://ift.tt/31TGjig
No comments:
Post a Comment