ଗାଜିଆବାଦ୍: ଭାରତୀୟ ବାୟୁସେନାର ପରାକ୍ରମ ଆଜି ସାରା ଦୁନିଆ ଦେଖିଛି। ୮୭ତମ ପ୍ରତିଷ୍ଠା ଦିବସରେ ବାୟୁସେନା ପକ୍ଷରୁ ଯୁଦ୍ଧ କୌଶଳ ପ୍ରଦର୍ଶନ କରାଯାଇଛି। ଗାଜିଆବାଦର ହିଣ୍ଡୋନ ଏୟାର ବେସରେ ନୂଆ ପୁରୁଣା ଅନେକ ଯୁଦ୍ଧ ବିମାନ ଆକାଶରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।
ଏହି ଅବସରରେ ବାୟୁସେନାର ୯ ନଂ ସ୍କ୍ୱାର୍ଡନକୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଛି। ଏହି ୯ ନଂ ସ୍କ୍ୱାର୍ଡନ ଫେବୃଆରୀ ୨୬ରେ ପାକିସ୍ତାନର ବାଲାକୋଟ୍ରେ ଏୟାର ଷ୍ଟ୍ରାଇକ କରିଥିଲା। ଏହି ବୀରତା ପାଇଁ ସ୍କ୍ୱାର୍ଡନକୁ ବାୟୁସେନାର ପ୍ରତିଷ୍ଠା ଦିବସରେ ସମ୍ମାନିତ କରାଯାଇଛି। ବାୟୁସେନାର ଆଉ ଦୁଇଟି ସ୍କ୍ୱାର୍ଡନ ୟୁନିଟକୁ ମଧ୍ୟ ସିଆସନ୍(ବୀରତା ପାଇଁ ଲିଖିତ ପ୍ରମାଣପତ୍ର) ଦ୍ୱାରା ପୁରସ୍କୃତ କରାଯାଇଛି।
ପାକିସ୍ତାନର ବାଲାକୋଟ୍ରେ ଥିବା ଜୈଶ ଶିବିର ଉପରେ ଏୟାର ଷ୍ଟ୍ରାଇକରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ସ୍କ୍ୱାର୍ଡନ ଲିଡର ମଣ୍ଟି ଅଗ୍ରୱାଲଙ୍କ ସିଗନାଲ ୟୁନିଟ୍କୁ ସିଆସନ୍ରେ ସମ୍ମାନିତ କରାଯାଇଛି। ସେହିପରି ବାଲାକୋଟ୍ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ କରିଥିବା ହମ୍ଲାର କଡ଼ା ମୁକାବିଲା କରିଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ୫୧ ସ୍କ୍ୱାର୍ଡନକୁ ମଧ୍ୟ ଆଜି ବାୟୁସେନା ପକ୍ଷରୁ ୟୁନିଟ ସିଆସନରେ ପୁରସ୍କୃତ କରାଯାଇଛି।
ଫେବୃଆରୀ ୧୪ରେ ଜୈଶର ଜଣେ ଆତଙ୍କୀ ପୁଲୱାମାରେ ସୁରକ୍ଷାକର୍ମୀଙ୍କ କନଭୟକୁ ଟାର୍ଗେଟ କରି ଆତ୍ମଘାତୀ ବିସ୍ଫୋରଣ କରିଥିଲା। ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହାର ବଦଲା ନେବାକୁ ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରିଥିଲେ। ତେବେ ପାକିସ୍ତାନ ଏଥିପାଇଁ ତା’ପରଦିନ ଭାରତସୀମାରେ ଯୁଦ୍ଧ ବିମାନ ଧରି ପ୍ରବେଶ କରିଥିଲା।
କିନ୍ତୁ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପରାକ୍ରମ ଯୋଗୁ ପାକିସ୍ତାନର ଏଫ୍-୧୬ ଯୁଦ୍ଧ ବିମାନ ଛତ୍ରଭଙ୍ଗ ଦେଇଥିଲା। ତଥାପି ଅଭିନନ୍ଦନ ଗୋଟିଏ ଏଫ୍-୧୬ ଯୁଦ୍ଧ ବିମାନକୁ ଖସାଇବାରେ ସକ୍ଷମ ହୋଇଥିଲେ।
from Odisha Reporter https://ift.tt/2oezE3E
No comments:
Post a Comment