ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନି; ମଧ୍ୟାହ୍ନ ଭୋଜନରେ ଡାଲି, ଅଣ୍ଡା ଦେଉ ନାହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 9, 2019

ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନି; ମଧ୍ୟାହ୍ନ ଭୋଜନରେ ଡାଲି, ଅଣ୍ଡା ଦେଉ ନାହାନ୍ତି

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍‌ର ପଞ୍ଚଭୂତି ଗାଁରେ ଥିବା ନୋଡ଼ାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୧୨ ଜଣ ଛାତ୍ରଛାତ୍ରୀ ପଢ଼ନ୍ତି। ସ୍କୁଲ୍‌ରେ ଅନ୍ୟାନ୍ୟ ସମସ୍ୟା ସବୁ ରହିଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଠିକ୍ ଭାବେ ମଧ୍ୟାହ୍ନ ଭୋଜନ ମଧ୍ୟ ଦିଆଯାଏ ନାହିଁ ବୋଲି ଅଭିଯୋଗ ହୋଇଛି। ଆଉ ଏଥିପାଇଁ ଛାତ୍ରଛାତ୍ରୀଙ୍କ ସହିତ ବିଦ୍ୟାଳୟ କମିଟିର ସଦସ୍ୟମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଦାୟୀ କରିଛନ୍ତି। ତାଙ୍କର ମନମାନି ଯୋଗୁ ଛାତ୍ରଛାତ୍ରୀଙ୍କୁ ଏଠାରେ ମଧ୍ୟାହ୍ନ ଭୋଜନରେ ଉତ୍ତମ ଖାଦ୍ୟ ଦିଆଯାଉ ନଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ବିଭିନ୍ନ ସମୟରେ ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ଭାତରୁ ପୋକ ବାହାରୁଛି। ସେହିପରି ବେଳେ ବେଳେ ପିଲାମାନଙ୍କୁ ଡାଲି ଦିଆଯାଉନି। ଫଳରେ ସେମାନେ ଶୁଖା ଭାତ ଖାଇବାକୁ ବାଧ୍ୟ ହେଉଛନ୍ତି। ସେହିପରି ବେଳେ ବେଳେ ଅଣ୍ଡା ମଧ୍ୟ ଦିଆଯାଉ ନାହିଁ। ଖାଲି ସେତିକି ନୁହେଁ, ପିଲାମାନେ ଦ୍ୱିତୀୟ ଥର ଭାତ ମାଗିଲେ ବି ଦିଆଯାଉନି। ସ୍କୁଲ୍‌ରେ ଆବଶ୍ୟକ ପରିମାଣଠାରୁ ଅଧିକ ଚାଉଳ ଗଚ୍ଛିତ ରଖାଯାଇଥିଲେ ବି ପିଲାମାନଙ୍କୁ ଦ୍ୱିତୀୟ ଥର ଭାତ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଏମିତିକି ବେଳେ ବେଳେ ଖାଦ୍ୟ ନିଅଣ୍ଟ ପଡ଼ୁଛି।

ଜଣେ ଛାତ୍ରୀ କହିଛନ୍ତି, “ସ୍କୁଲ୍‌ରେ ଠିକ୍‌ରେ ଖାଇବାକୁ ମିଳୁନି।  ଖାଦ୍ୟରେ ପୋକ ବାହାରୁଛି। ଏଥିସହ ଦ୍ୱିତୀୟ ଥର ଖାଇବାକୁ ମାଗିଲେ ଭାତ ସରିଗଲା ବୋଲି ଦିଦି କହୁଛନ୍ତି। ଏମିତିକି ବେଳେ ବେଳେ ଆମକୁ ଅଣ୍ଡା ମଧ୍ୟ ମିଳୁ ନାହିଁ। ସେହିଭଳି ଟଏଲେଟ୍‌ ଲାଗିଲେ ଘରକୁ ପଳାଅ ବୋଲି ଦିଦି କହୁଛନ୍ତି। ଆମ ସ୍କୁଲର ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଭଲ। ହେଲେ ହେଡ୍‌ ଦିଦି ଆମକୁ କେବେ ଭଲ ବ୍ୟବହାର ଦେଖାଉ ନାହାନ୍ତି।”

ବିଦ୍ୟାଳୟ କମିଟି ସଭାପତି ସନ୍ତୋଷ ବେହେରା କହିଛନ୍ତି, “ ଠିକ୍ ଭାବେ ଖାଇବାକୁ ଦିଆଯାଉ ନଥିବା ନେଇ ପିଲାମାନେ ମୋତେ ଅଭିଯୋଗ କରିଛନ୍ତି। ପିଲାମାନଙ୍କୁ ଅଣ୍ଡା ଦିଆଯାଉନି। ଦିନେ ଦିନେ ଡାଲି ଦେଉ ନାହାନ୍ତି ଓ ଖାଲି ଭାତ ଖାଇବାକୁ ଦେଉଛନ୍ତି। ଡାଲି ମାଗିଲେ ସରି ଯାଇଛି ବୋଲି କହୁଛନ୍ତି। ତେଣୁ ମୁଁ ଦିନେ ଯାଞ୍ଚ କରିବାକୁ ମଧ୍ୟାହ୍ନ ଭୋଜନ ସମୟରେ ସ୍କୁଲ୍‌ରେ ପହଞ୍ଚିଥିଲି। ସେତେବେଳେ ଦିଦି ସ୍କୁଲ ଗେଟ୍ ଖୋଲି କିଛି ପିଲାଙ୍କୁ ଘରକୁ ପଳାଇବାକୁ କହୁଥିଲେ। ଏନେଇ ମୁଁ ପଚାରିବାରୁ ସେହି ପିଲାମାନେ ସ୍କୁଲ୍‌ରେ ଖାଉ ନଥିବା ଦିଦି କହିଥିଲେ। ତେବେ ପରେ ଜାଣିଲି ସେଦିନ ଆହୁରି ୩୦ ପିଲାଙ୍କୁ ଖାଇବା ପାଇ ନଥିଲା।”

ସେ ଆହୁରି କହିଛନ୍ତି, “ଦିଦି ତାଙ୍କ ରେକର୍ଡ ଖାତାରେ ୯ କ୍ୱିଣ୍ଟାଲ ୩୧ କିଲୋ ୧୦୦ ଗ୍ରାମ୍ ଚାଉଳ ଅଛି ବୋଲି ଲେଖିଛନ୍ତି। ଏଥିପାଇଁ ଆମେ ଷ୍ଟୋର ରୁମ୍‌ ଖୋଲିବାକୁ କହିଥିଲୁ। ହେଲେ ସେ ପ୍ରଥମେ ନାରାଜ ହୋଇଥିଲେ। ୪ରୁ ୫ ଥର କହିଲା ପରେ ସେ ଷ୍ଟୋର ରୁମ୍ ଖୋଲିଥିଲେ। ଏହାପରେ ପରେ ଜଣାପଡ଼ିଥିଲା ସେଠାରେ ୪୦ ବସ୍ତା ଚାଉଳ ଅଧିକ ରହିଛି। ଏନେଇ ଆମେ ଶିକ୍ଷକମାନଙ୍କୁ ପଚାରିଥିଲୁ। ତେବେ ଏ ବିଷୟରେ ସେମାନେ କିଛି ଜାଣନ୍ତି ନାହିଁ ବୋଲି କହିଥିଲେ। ଆଉ ହେଡ୍‌ ଦିଦି କହିଥିଲେ ଯେ ଆଗରୁ ଏହି ଚାଉଳ ରହି ଯାଇଥିଲା ଓ ପୋକ ହୋଇଯାଇଛି। ପିଲାମାନେ ଏହି ଚାଉଳ ଭାତ ଖାଇ ପାରୁ ନାହାନ୍ତି। ଏନେଇ ଆମେ ଲିଖିତ ଆକାରରେ ବିଇଓଙ୍କୁ ଜଣାଇଥିଲୁ। ଏଥିସହ ଫୋନ୍‌ରେ ସିଆର୍‌ସିଙ୍କୁ ଜଣାଇଥିଲୁ। ଘଟଣାର ତଦନ୍ତ କରାଯିବ ବୋଲି ସେ କହିଥିଲେ।”

କେବଳ ଏତିକିରେ ସ୍କୁଲ୍‌ର ସମସ୍ୟା ସରି ନାହିଁ। ତିନି ବର୍ଷ ହେବ ସ୍କୁଲ୍‌ର ନୂଆକୋଠା କାର୍ଯ୍ୟ ସରିଗଲାଣି। ହେଲେ ଏପର୍ଯ୍ୟନ୍ତ ଝରକା, କବାଟ ଲଗାଯାଇନି। ଆଉ ଧୀରେ ଧୀରେ ତାହା ସାଇକେଲ୍ ଷ୍ଟାଣ୍ଡ ପାଲଟି ଗଲାଣି। ଅନ୍ୟପକ୍ଷରେ ଆବଶ୍ୟକ କଠୋରୀ ନଥିବାରୁ ପରୀକ୍ଷା ସମୟରେ ଭାରି ଅସୁବିଧା ହେଉଛି।  ପିଲାମାନେ ବାରଣ୍ଡା ବସି ପରୀକ୍ଷା ଦେଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ଫିଲଟର୍‌ ପାଣିର ବ୍ୟବସ୍ଥା ରହିଛି। କିନ୍ତୁ ପିଲାଙ୍କୁ ନଳକୂପ ପାଣି ପିଇବାକୁ ପ୍ରଧାନ ଶିକ୍ଷୟତ୍ରୀ ବାଧ୍ୟ କରୁଛନ୍ତି। ସ୍କୁଲରେ ଥିବା ପୁରୁଣା ଶୌଚାଳୟ ଭାଙ୍ଗି ଯାଇଥିବା ବେଳେ ନୂଆ କରି ନିର୍ମାଣ ହୋଇଥିବା ଶୌଚାଳୟରେ ତାଲା ପଡ଼ିଛି। ପିଲାମାନଙ୍କୁ ନୂଆ ଶୌଚାଳୟ ବ୍ୟବହାର କରିବାକୁ ଦିଆଯାଉ ନଥିବା ଅଭିଯୋଗ ହୋଇଛି।

ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ଦେବୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଗତ ୨୩ ତାରିଖରେ ପିଲାଙ୍କୁ ଅଣ୍ଡା ଦିଆଯାଇ ନଥିଲା। ତା’ ବଦଳରେ କଦଳୀ ଦେବାକୁ ସାର୍‌ଙ୍କୁ କହିଥିଲି। ଯେଉଁ ଚାଉଳ ଆସୁଛି, ତାକୁ ସଫା କରି ପିଲାଙ୍କୁ ଖାଇବାକୁ ଦିଆଯାଉଛି। ପୋକ କେଉଁଠୁ ଆସିବ। ସେହିପରି ଦିବ୍ୟାଙ୍ଗଙ୍କ ପାଇଁ ଗୋଟିଏ ଶୌଚାଳୟ ରହିଥିବା ବେଳେ ଅନ୍ୟ ସବୁ ଭାଙ୍ଗି ଯାଇଛି।” ଅନ୍ୟପକ୍ଷରେ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କମିଟି ସଭାପତିଙ୍କ ଅଭିଯୋଗ ସମ୍ପର୍କରେ ବ୍ଲକ୍ ଶିକ୍ଷାଧିକାରୀଙ୍କ ଜଣାଇବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।



from Odisha Reporter https://ift.tt/2Q1K6H6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages