ନୂଆଦିଲ୍ଲୀ: ବ୍ୟାପକ ସଚେତନା ଓ ଟ୍ରାଫିକ ନିୟମ କଡ଼ାକଡ଼ି ସତ୍ତ୍ୱେ ୨୦୧୮ ବର୍ଷରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣା ହୁହୁ ହୋଇ ବଢ଼ିଛି। ୨୦୧୮ ବର୍ଷରେ ସଡ଼କ ଦୁର୍ଘଟଣା ଯୋଗୁ ୧.୫ ଲକ୍ଷ ଲୋକଙ୍କ ଜୀବନ ଯାଇଛି। ୨୦୧୭ରେ ସଡ଼କ ଦୁର୍ଘଟଣାରେ ୧.୪୭ ଲକ୍ଷଙ୍କ ମୃତ୍ୟୁ ଘଟିଥିଲା। ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ପ୍ରତିଦିନ ଭାରତରେ ୧୨୮୦ଟି ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ଏଥିରେ ୪୧୫ ଜଣଙ୍କ ଜୀବନ ଯାଇଛି। ଅର୍ଥାତ ପ୍ରତି ଘଣ୍ଟାରେ ୫୩ଟି ସଡ଼କ ଦୁର୍ଘଟଣା ଘଟୁଛି ଓ ଏଥିରେ ୧୭ ଜଣଙ୍କ ଜୀବନ ଦୀପ ଲିଭି ଯାଉଛି।
ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ୍ ଠାରୁ ମିଳିଥିବା ତଥ୍ୟ ଆଧାରରେ ଦୁର୍ଘଟଣା, ମୃତ ଏବଂ ଆହତଙ୍କ ସଂଖ୍ୟାର ହିସାବ କରି ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ୨୦୧୮ ବର୍ଷରେ ଦେଶରେ ସଡ଼କ ଦୁର୍ଘଟଣା ୦.୪୬ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୭ରେ ୪,୬୪,୯୧୦ଟି ଦୁର୍ଘଟଣା ଘଟିଥିବା ବେଳେ ୨୦୧୮ରେ ଏହା ୪,୬୭,୦୪୪ ପହଞ୍ଚିଛି।
୨୦୧୭ରେ ୧,୪୭,୯୧୩ ଜଣ ପ୍ରାଣ ହରାଇଥିବା ବେଳେ ୨୦୧୮ରେ ୧,୫୧,୪୭୧ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ସଡ଼କ ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ୨୦୧୭ ତୁଳନାରେ ୨୦୧୮ରେ ୦.୩୩ ପ୍ରତିଶତ ହ୍ରାସ ପାଇଛି।
ଦୁର୍ଘଟଣାଜନିତ ମୃତକଙ୍କ ମଧ୍ୟରେ ପାଦରେ ଚାଲି ଯାଉଥିବା ଲୋକଙ୍କ ସଂଖ୍ୟା ୧୫ ପ୍ରତିଶତ ଥିବା ବେଳେ ୨.୪ ପ୍ରତିଶତ ସାଇକେଲ ଚାଳକ, ୩୬.୫ ପ୍ରତିଶତ ଦୁଇ ଚକିଆ ଗାଡ଼ି ଚାଳକ ରହିଛନ୍ତି ।
୨୦୧୮ରେ ବିଗତ ଦୁଇ ବର୍ଷ ଭଳି ୧୮ରୁ ୪୫ ବର୍ଷ ବୟସ୍କ ପାଖାପାଖି ୬୯.୬ ପ୍ରତିଶତ ଲୋକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ମୋଟ ସଡ଼କ ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ମଧ୍ୟରୁ ୧୮ରୁ ୬୦ ବର୍ଷ ଆୟୁ ବର୍ଗର କର୍ମଜୀବୀଙ୍କ ସଂଖ୍ୟା ୮୪.୭ ପ୍ରତିଶତ ଥିବା ଜଣାପଡ଼ିଛି। ୨୦୧୮ରେ ହିଟ୍ ଆଣ୍ଡ ରନ ମାମଲାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି।
୨୦୧୮ରେ ୧୮.୯ ପ୍ରତିଶତ ମୃତ୍ୟୁ ଘଟଣା ଘଟିଥିବା ବେଳେ ୨୦୧୭ରେ ଏହା ୧୭.୫ ପ୍ରତିଶତ ଥିଲା। ୨୦୧୮ରେ ପାଖାପାଖି ୫୬ ପ୍ରତିଶତ ଲୋକଙ୍କ ମୃତ୍ୟୁ ସାମ୍ନାସାମ୍ନି ଏବଂ ପଛରୁ ଗାଡ଼ି ଧକ୍କା ହେବା କାରଣରୁ ହୋଇଛି। ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ୮୬% ପୁରୁଷ ଥିବା ବେଳେ ୧୪% ମହିଳା ଅଛନ୍ତି।
ଦ୍ରୁତ ଗାଡ଼ି ଚାଳନା ଯୋଗୁ ୬୪.୪% ଦୁର୍ଘଟଣାଜନିତ ମୃତ୍ୟୁ ଘଟୁଛି । ସେହିପରି ଭୁଲ ରାସ୍ତାରେ ଚଳାଇବା ଯୋଗୁ ୫.୮%, ବାହନ ଚଳାଇବା ସମୟରେ ୨.୪% ଏବଂ ମଦ ପିଇ ଗାଡ଼ି ଚଳାଇବା ଯୋଗୁ ୨.୮% ଲୋକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।
ହେଲମେଟ ବ୍ୟବହାର ନକରିବା ଯୋଗୁ ୨୯% ଏବଂ ସିଟ ବେଲ୍ଟ ବ୍ୟବହାର ନକରିବା ଯୋଗୁ ୧୬% ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି । ୧୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଯୋଗୁ ୪୧% ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି ।
୨୦୧୮ରେ ତାମିଲନାଡ଼ୁରେ ସର୍ବାଧିକ ଦୁର୍ଘଟଣା ଘଟିଥିବା ବେଳେ ଉତ୍ତର ପ୍ରଦେଶରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି ।
from Odisha Reporter https://ift.tt/2CWcxhQ
No comments:
Post a Comment