ବାଗଦାଦ: ୨୪ ଘଣ୍ଟା ମଧ୍ୟରେ ଆମେରିକା ଦ୍ୱିତୀୟ ଥର ପାଇଁ ଆକାଶ ମାର୍ଗରୁ ଇରାନ ସମର୍ଥକଙ୍କ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଏଥିରେ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ୩ ଜଣ ଗୁରୁତର ରହିଛନ୍ତି। ମୃତକ ଓ ଆହତମାନେ ପପୁଲାର ମୋବିଲାଇଜେଶନ ଫୋର୍ସର ସଦସ୍ୟ। ଏମାନଙ୍କୁ ମିଲିଶିଆ ବୋଲି କୁହାଯାଏ। ଇରାକର ରାଜଧାନୀ ବାଗଦାଦକ ତାଜି ଅଞ୍ଚଳରେ ଏହି ଆକ୍ରମଣ ହୋଇଛି।
ସୂଚନାଯୋଗ୍ୟ, ଶନିବାର ବିଳମ୍ୱିତ ରାତି ପାଖାପାଖି ୧.୧୨ ମିନିଟରେ ମିଲିଶିଆ ସଦସ୍ୟ ମାନେ କାରରେ ଯାଉଥିଲେ। ଏହି ସମୟରେ ଆମେରିକା ତାଙ୍କୁ ଲକ୍ଷ୍ୟ କରି ଏୟାର ଷ୍ଟ୍ରାଇକ୍ କରିଥିଲା। ଫଳରେ ଗୋଟିଏ ଗାଡ଼ିରେ ଯାଉଥିବା ୫ ମିଲିଶିଆ ସଦସ୍ୟ ଜୀଅନ୍ତା ଜଳିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୋଟ୍ ୩ଟି ଗାଡ଼ି ଯାଉଥିଲା ଏଥିରୁ ୨ଟି ସମ୍ପୂର୍ଣ୍ଣ ଜଳିଯାଇଛି। ମୃତକଙ୍କ ମଧ୍ୟରେ ପପୁଲାର ମୋବିଲାଇଜେଶନ ଫୋର୍ସର ଜଣେ ପ୍ରମୁଖ ନେତାଙ୍କର ମୃତ୍ୟୁ ଘଟିଛି। ହେଲେ ଏ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
ଶୁକ୍ରବାର ବିଳମ୍ୱିତ ରାତିରେ ଆମେରିକା ଏୟାର ଷ୍ଟ୍ରାଇକ୍ ଯୋଗେ ଇରାନର ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ମାରିଥିଲା। ଇରାକର ବାଗଦାଦ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ସୁଲେମାନୀ ଓ ତାଙ୍କ ସମର୍ଥକମାନେ ଯାଉଥିବା ବେଳେ ଆମେରିକା ସେନା ଏୟାର ଷ୍ଟ୍ରାଇକ କରିଥିଲା। ଏହାପରେ ଇରାନ ଓ ଆମେରିକା ମଧ୍ୟରେ ବିବାଦ ବଢ଼ିଛି। ତେବେ ଆମେରିକା ଇରାନ ସହ ପ୍ରଥମେ ଯୁଦ୍ଧ କରିବା ପାଇଁ ଚାହୁଁନଥିବା କହିଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯଦି କୌଣସି ଇସଲାମିକ ଦେଶ ଯୁଦ୍ଧ କରିବା ପାଇଁ ଆସିବେ ତାହେଲେ ଆମେରିକା ମଧ୍ୟ ଏଥିପାଇଁ ପ୍ରସ୍ତୁତ ବୋଲି ସେ କହିଥିଲେ। ହେଲେ ନିଜ ମନ୍ତବ୍ୟର କିଛି ସମୟ ପରେ ଇରାକରେ ଇରାନର ମିଲିଶିଆ ସଦସ୍ୟଙ୍କ ଉପରେ ଆକ୍ରମଣ କରିବା ବିବାଦକୁ ଆହୁରି ବଢ଼ାଇଛି।
ସୂଚନାଯୋଗ୍ୟ, ନିକଟରେ ଇରାକର ବାଗଦାଦରେ ଥିବା ଆମେରିକାର ଦୂତବାସ ଉପରକୁ ଇରାନ ମିଲିଶିଆ ସମର୍ଥନରେ ଆକ୍ରମଣ କରିଥିଲା। ତେଣୁ ଆମେରିକା ଏଭଳି ଆକ୍ରମଣ କରିଛି ବୋଲି ଜଣାପଡ଼ିଛି।
from Odisha Reporter https://ift.tt/39DibV8
No comments:
Post a Comment