ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ହୋଇଛି ରଥଖଳା। ବିଳମ୍ବରେ ହେଲେ ମଧ୍ୟ ଆଜିଠୁ ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ଆରମ୍ଭ ହୋଇଛି । ବିଶ୍ୱକର୍ମାମାନେ ରଥଖଳାରେ ଉପସ୍ଥିତ ରହି କାମ ଆରମ୍ଭ କରିଛନ୍ତି। ଆଜି ତୁମ୍ବ ନିର୍ମାଣ କାମ ଆରମ୍ଭ ହୋଇଛି। ଚକ ନିର୍ମାଣର ପ୍ରାରମ୍ଭିକ କାର୍ଯ୍ୟ ହେଉଛି ତୁମ୍ବ କାମ। ରଥଖଳାରେ ବିଶ୍ୱକର୍ମାମାନଙ୍କୁ ସାହାଯ୍ୟ କରୁଛନ୍ତି ଭୋଇ ସେବାୟତ।
ଗତକାଲି ସଂଧ୍ୟାରେ ଜିଲ୍ଲାପାଳଙ୍କ ସହ ୩ ମୁଖ୍ୟ ମହାରଣା ଓ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ବୈଠକରେ ଏନେଇ ସବିଶେଷ ଆଲୋଚନା ହୋଇଥିଲା। ଲକ୍ଡାଉନ ନିୟମାବଳୀ ଆଧାରରେ ସାମାଜିକ ଦୂରତା ରକ୍ଷା କରି ରଥ ନିର୍ମାଣ କାମରେ ଅଳ୍ପ ସଂଖ୍ୟକ ମହାରଣା ନିୟୋଜିତ ହେଉଛନ୍ତି। ଶ୍ରୀଜିଉଙ୍କ ଘୋଷଯାତ୍ରା ଲାଗି ରଥ ନିର୍ମାଣ ପାଇଁ ଅନୁମତି ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ତେବେ ଏଥିଲାଗି କିଛି ସର୍ତ୍ତ ରଖାଯାଇଛି। ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନି ବୋଲି ମନ୍ତ୍ରଣାଳୟ କହିଛି। ରଥ ନିର୍ମାଣ ବେଳେ ସାମାଜିକ ଦୂରତ୍ୱ ନିୟମର ଯେଭଳି କଡ଼ା ଅନୁପାଳନ ହେବ, ତାହା ସୁନିଶ୍ଚିତ କରିବାକୁ ଗୃହ ମନ୍ତ୍ରଣାଳୟ ପରାମର୍ଶ ଦେଇଛି।
ଜଣେ ରୂପକାର ସେବାୟତ କହିଛନ୍ତି, “ମହାପ୍ରଭୁଙ୍କ ଇଚ୍ଛାରେ ସବୁ ଚାଲିଛି। ଆଜି ତୁମ୍ବ ଅନକୂଳ ହୋଇଛି, ତୁମ୍ବ କାର୍ଯ୍ୟ ମଧ୍ୟ ଚାଲିଛି।”
from Odisha Reporter https://ift.tt/2WzzwZu
No comments:
Post a Comment