ଆଜିକୁ ଠିକ୍ ବର୍ଷେ ତଳେ ଫନି ଟେକିଥିଲା ଫଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 2, 2020

ଆଜିକୁ ଠିକ୍ ବର୍ଷେ ତଳେ ଫନି ଟେକିଥିଲା ଫଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିକୁ ଠିକ୍ ବର୍ଷେ ତଳେ ଓଡ଼ିଶାର ଶିରି ଉଜାଡିବାକୁ ଫଣା ଟେକିଥିଲା ଫନି। ମେ ମାସରେ ସାମୁଦ୍ରିକ ଝଡ଼ର ଏଭଳି କରାଳ ରୂପ ବିଶେଷଜ୍ଞମାନଙ୍କୁ ବି ଚକିତ କରିଥିଲା। ଆଖି ଆଗରେ ସବୁକିଛି ଦୋହଲିଗଲା। ପବନର ବେଗ, ଝଡ଼ର ତାଣ୍ଡବ ଓ ଅଶାନ୍ତ ସମୁଦ୍ର ସହ ନିର୍ଦ୍ଧୁମ ବର୍ଷା ମିଶି ରାଜ୍ୟରେ ପ୍ରଳୟ ରଚିଥିଲା। ଫନି ରାଜଧାନୀରେ ପ୍ରଳୟର ପଦ ଚିହ୍ନ ଛାଡ଼ି ଯାଇଥିବା ବେଳେ ଶ୍ରୀହୀନ କରିଗଲା ଶ୍ରୀକ୍ଷେତ୍ରକୁ।

୨୦୧୯ ମେ ୩ ସକାଳ ୮ଟା। ଓଡ଼ିଶା ବିପର୍ଜୟ ଇତିହାସରେ ଆଉ ଏକ ତାରିଖ ଯୋଡ଼ି ହୋଇଗଲା। ଘଣ୍ଟା ପ୍ରତି ୨୫୦ କି.ମି ବେଗରେ ପବନର ବିକଟାଳ ଗର୍ଜନ ସହ ପୁରୀରେ ସ୍ଥଳ ଭାଗକୁ ଛୁଇଁଥିଲା ମହା ପ୍ରଳୟଙ୍କାରୀ ଘୂର୍ଣ୍ଣିଝଡ଼ ଫନି। ସତେ ଯେପରି ଭୟଙ୍କର ତାଣ୍ଡବ ରଚିବାକୁ ପଣ କରି ଆସିଥିଲା ଆଉ ପୂରା କଲା ମଧ୍ୟ। ଖୋର୍ଦ୍ଧା, ପୁରୀ, ଅନୁଗୋଳ, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୁରଭଞ୍ଜ ଓ ନୟାଗଡ଼ ଆଦି ୧୪ଟି ଜିଲ୍ଲା ଛିନଛତର ହୋଇଗଲା। ସ୍ଥଳ ଭାଗ ଛୁଇଁବା ପରେ ଫନିର ଉଗ୍ରତା ବଢ଼ିଥିବା ବେଳେ ଶ୍ରୀକ୍ଷେତ୍ରରୁ ସ୍ମାର୍ଟ ସିଟି ସବୁ ହୋଇଗଲା ଧ୍ୱଂସ। ବଡ଼ ବଡ଼ ଗଛ, ବିଜୁଳି ଖୁଣ୍ଟ, ମୋବାଇଲ ଟାଓ୍ୱାର ଓ ହୋଡିଂ ସବୁକୁ ଦଳି ମକଚି ଦେଇଥିଲା ରାକ୍ଷସ ରୂପୀ ଘୂର୍ଣ୍ଣିଝଡ଼। ଦୀର୍ଘ ସମୟ ଧରି ପ୍ରଳୟ ରଚିବା ପରେ ଉପକୂଳ ଓଡ଼ିଶାର ଚିତ୍ର ଥିଲା କିଛି ଏପରି।

ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ ପରେ କିଏ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ଖୋଜୁଥିଲା ତ ଆଉ କିଏ ଧ୍ୱଂସ ସ୍ତୁପ ତଳୁ ସ୍ମୃତି ସାଉଁଟିଲା। ବେସାହାରା ମଣିଷ ବାସହରା ହୋଇଗଲା। ଆପଣାଙ୍କୁ ହରାଇଲା। ନିମିଷକରେ ଧନଜୀବନ ସବୁ ଛାରଖାର ହେଉଥିବା ଦେଖି ଲୁହ ଝରାଇବା ଛଡ଼ା ଅନ୍ୟ ବାଟ ନ ଥିଲା। ପାଣି, ବିଜୁଳି ଦୂରର କଥା ଖାଦ୍ୟ ପାଇଁ ଡହକ ବିକଳ ହୋଇଥିଲା ପ୍ରାଣ। ଚାଷୀର ସୁନାର ଫସଲ ଉଜୁ଼ଡ଼ି ଗଲା। ଖାଲି ମଣିଷ ନୁହେଁ ଜୀବଜନ୍ତୁ ମଧ୍ୟ ତ୍ରାହି ତ୍ରାହି ଡାକିଲେ। ଝଡ଼ ପରର ନିରବତା ବଳି ବାତ୍ୟା ବିଧ୍ୱସ୍ତ ସବୁ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଉଜୁଡ଼ା ପ୍ରକୃତିର ଦାରୁଣ ରୂପ।

ବାତ୍ୟା ଫନି ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ବିଦ୍ୟୁତ ଯୋଗାଣ ବ୍ୟବସ୍ଥା। ସ୍ମାର୍ଟ ସିଟି ଭୁବନେଶ୍ୱର ହେଉ କି ଶ୍ରୀକ୍ଷେତ୍ର ଅତିକମରେ ୧୦ ଦିନ ଧରି ବିଦ୍ୟୁତ୍ ଯୋଗାଣ ସମ୍ଭବ ହୋଇପାରି ନ ଥିଲା। ଯୁଦ୍ଧ କାଳୀନ ଭିତ୍ତିରେ ଦେଢ଼ ଗୁଣା ଅଧିକ ମଜୁରୀ ହାରରେ ଶ୍ରମିକଙ୍କୁ ପୁନରୁଦ୍ଧାର କାର‌୍ୟ୍ୟରେ ଲଗାଯାଇ ସ୍ଥିତି ସୁଧାରିବା ପ୍ରୟାସ କରାଗଲା।

ଫନି ଯୋଗୁ ୨୦ ହଜାର ୩୬୭ଟି ଗାଁ ଓ ୧ କୋଟି ୬୦ ଲକ୍ଷ ଲୋକ ପ୍ରଭାବିତ ହେଲେ। ୫ ଲକ୍ଷ ୫୬ ହଜାର ୭୬୧ଟି ବାସଗୃହ ଭୁଷୁଡ଼ି ଗଲା ବା ଉଡ଼ିଗଲା। ୧ ଲକ୍ଷ ୮୮ ହଜାର ହେକ୍ଟର ଜମିର ଫସଲ ଉଜୁଡ଼ିଗଲା। ୬୪ ଜଣଙ୍କ ମୃତ୍ୟୁ ଘଟିଲା। ରାଜ୍ୟର ମୋଟ ୯ ହଜାର ୩୩୬ କୋଟି ଟଙ୍କାର କ୍ଷତି ହୋଇଥିବା ଏସଆରସି ଚୂଡ଼ାନ୍ତ ରିପୋର୍ଟରେ ସୂଚନା ଦେଇଥିଲେ। ବାତ୍ୟାରେ ରାଜ୍ୟର ଭିତ୍ତିଭୂମି ବିଶେଷ କ୍ଷତି ସହିଲା।

୧୯୯୯ ମହାବାତ୍ୟା ପରେ ଓଡ଼ିଶାର ମଞ୍ଜ ଦୋହଲାଇବାକୁ ଆସିଥିଲା ମହା ପ୍ରଳୟଙ୍କାରୀ ବାତ୍ୟା ଫନି। ପ୍ରକୃତିର ବର୍ବର କାଣ୍ଡକୁ ପୂରିଛି ବର୍ଷେ ହେଲେ ଆଜି ବି ମନେ ପଡ଼ିଗଲେ ଛାତିରେ ଚାଉଁ କରି ଛନକା ପଶିଯାଉଛି।



from Odisha Reporter https://ift.tt/2KZTw1T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages