ଅନ୍ତର୍ଜାତୀୟ ଆଦିବାସୀ ଦିବସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 8, 2020

ଅନ୍ତର୍ଜାତୀୟ ଆଦିବାସୀ ଦିବସ

ସରଳ କୁମାର ଦାସ

ଜାତିସଂଘ ତରଫରୁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖ ଦିନଟି ‘ଅନ୍ତର୍ଜାତୀୟ ଆଦିବାସୀ ଦିବସ’ (ଇଣ୍ଡିଜିନସ ପିପୁଲସ ଡେ) ରୂପେ ପାଳିତ ହୋଇ ଆସୁଛି । ବିଭିନ୍ନ ଦେଶରେ ଇଣ୍ଡିଜିନସ ପିପୁଲସ ବା ମୂଳ ନିବାସୀଙ୍କୁ ଭିନ୍ନଭିନ୍ନ ନାମରେ ସମ୍ୱୋଧିତ କରା ଯାଇଥାଏ । ଭାରତରେ ଏମାନଙ୍କୁ ‘ଅନୁସୂଚୀତ ଜନଜାତି’ ବା ‘ଆଦିବାସୀ’ ବୋଲି କୁହା ଯାଉଥିବା ବେଳେ ଚୀନରେ ଏମାନେ ‘ଏଥନିକ୍ ମାଇନରିଟି’ ଭାବେ ପରିଚିତ। ସ୍କାଣ୍ଡିନେଭୀୟ ଦେଶ ଓ ଋଷିଆର କିଛି ଅଞ୍ଚଳରେ ଏମାନଙ୍କ ପାଇଁ ‘ସାମି’ ଶବ୍ଦର ବ୍ୟବହାର ହେଉଥିବା ବେଳେ ଆଫ୍ରିକାରେ ସେମାନଙ୍କୁ ସେମାନଙ୍କ ଜୀବିକା ଆଧାରରେ ସମ୍ୱୋଧନ କରା ଯାଇଥାଏ। ହେଲେ ସର୍ବତ୍ର ଏହି ଆଦିବାସୀଙ୍କ ଚଳଣି ଓ ସଂସ୍କୃତି ସେଠାକାର ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେମାନେ ଯେଉଁ ଭୂଖଣ୍ଡରେ ବସବାସ କରନ୍ତି ପରିବେଶ ଓ ପ୍ରାକୃତିକ ସମ୍ପଦକୁ କେନ୍ଦ୍ର କରି ସେମାନଙ୍କ ଜୀବନଶୈଳୀ ଗଢି ଉଠିଥାଏ। ସେଥି ସହିତ ସେମାନେ ଏପରି ଓତଃପ୍ରୋତ ଭାବେ ଜଡିତ ହୋଇଥାଆନ୍ତି ଯେ ସେମାନଙ୍କ ପରିଚୟଠାରୁ ଆରମ୍ଭ କରି ଜୀବିକା, ସଂସ୍କୃତି, ସାମାଜିକ, ଧାର୍ମିକ ଗତିବିଧି ସବୁ କିଛି ତାରି ଉପରେ ନିର୍ଭର କରିଥାଏ। ବିଶ୍ୱର ୯୦ଟି ଦେଶରେ ପ୍ରାୟ ୪୮ କୋଟି ଆଦିବାସୀ ଲୋକ ବସବାସ କରନ୍ତି, ଯାହା ସମୁଦାୟ ବିଶ୍ୱ ଜନସଂଖ୍ୟାର ପ୍ରାୟ ୬ ପ୍ରତିଶତ। ବିଶ୍ୱ ବ୍ୟାଙ୍କର ଏକ ଅଧ୍ୟୟନରୁ ଜଣା ପଡିଛି ଯେ ବିଶ୍ୱରେ ସର୍ବତ୍ର ଆଦିବାସୀମାନେ ଅଣ-ଆଦିବାସୀଙ୍କ ତୁଳନାରେ ପ୍ରତିଶତ ଦୃଷ୍ଟିରୁ କେବଳ ଯେ ଅଧିକ ଗରିବ ତାହା ନୁହେଁ, ବରଂ ସେମାନେ ଚରମ ଦାରିଦ୍ର୍ୟ ମଧ୍ୟରେ ଜୀବନ ଯାପନ କରିଥାଆନ୍ତି । ତେଣୁ ସେମାନଙ୍କ ଆବଶ୍ୟକତା ପ୍ରତି ସରକାର ଓ ସାଧାରଣ ଲୋକେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ସାରା ବିଶ୍ୱରେ ଥିବା ଆଦିବାସୀଙ୍କ ମଧ୍ୟରୁ ପ୍ରାୟ ୮୬ ପ୍ରତିଶତରୁ ଊର୍ଦ୍ଧ୍ୱ ଅନୌପଚାରିକ ଅର୍ଥବ୍ୟବସ୍ଥାରେ ଅଣ-ସଂଗଠିତ କ୍ଷେତ୍ରରେ କାମ କରୁଥିବାରୁ ବିଭିନ୍ନ ଭାବେ ଅର୍ଥନୈତିକ ଶୋଷଣର ଶିକାର ହୋଇଥାଆନ୍ତି । ଅଣ-ଆଦିବାସୀଙ୍କ କ୍ଷେତ୍ରରେ ଏହା ମାତ୍ର ୬୬ ପ୍ରତିଶତ।

କେବଳ ଚୀନକୁ ବାଦ ଦେଲେ ପ୍ରାୟ ବାକି ସବୁ ଦେଶରେ ଆଦିବାସୀ ଓ ଅନ୍ୟମାନଙ୍କ ମଧ୍ୟରେ ଥିବା ରୋଜଗାରର ତାରତମ୍ୟ କମିବା ବଦଳରେ ବଢି ବଢି ଚାଲିଛି । ସମଗ୍ର ବିଶ୍ୱରେ ଥିବା ଚରମ ଦରିଦ୍ର ଲୋକଙ୍କ ମଧ୍ୟରୁ ପ୍ରାୟ ୧୫ ପ୍ରତିଶତ ଏହି ଆଦିବାସୀ ବର୍ଗର । ଅର୍ଥାତ୍, ଆଦିବାସୀଙ୍କ ମଧ୍ୟରୁ ଅଧିକାଂଶ ଚରମ ଦାରିଦ୍ର୍ୟ ମଧ୍ୟରେ ଜୀବନ ଅତିବାହିତ କରିଥାଆନ୍ତି। ଜଣେ ଅଣ-ଆଦିବାସୀ ଲୋକ ତୁଳନାରେ ଆଦିବାସୀ ଲୋକଟିଏ ଚରମ ଦାରିଦ୍ର୍ୟର ଶିକାର ହେବାର ଆଶଙ୍କା ପ୍ରାୟ ତିନି ଗୁଣ ଅଧିକ। ଏହାର ଏକ ପ୍ରମୁଖ କାରଣ ହେଉଛି ସେମାନେ ଦେଶର ବିକାଶ ପ୍ରକ୍ରିୟାରେ ସେହି ଭାବେ ଅଂଶଗ୍ରହଣ କରି ପାରୁ ନ ଥିବାରୁ ବିକାଶ ଯୋଜନାଗୁଡିକରୁ ତୁଳନାତ୍ମକ ଭାବେ ଅଧିକ ଲାଭ ହାସଲ କରିବାକୁ ସକ୍ଷମ ହୋଇ ନ ଥାଆନ୍ତି । ଅସୁରକ୍ଷିତ ଜମି ଓ ସମ୍ପତ୍ତି ଅଧିକାର, ଭେଦଭାବ, ଜଳବାୟୁ ପରିବର୍ତ୍ତନ ଓ ଅନ୍ୟ ବିପତ୍ତି ଯୋଗୁ ଅଧିକ କ୍ଷତିଗ୍ରସ୍ତ ହେବା, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସାମାଜିକ ଓ ଅର୍ଥନୈତିକ ଗତିବିଧିରେ ପଛରେ ପଡିଯିବା ଆଦି ମାଧ୍ୟମରେ ସେମାନଙ୍କ ଚରମ ଦାରିଦ୍ର୍ୟ ପ୍ରତିଫଳିତ ହୋଇଥାଏ । ଆଦିବାସୀମାନେ ମୁଖ୍ୟତଃ ଗ୍ରାମାଞ୍ଚଳ ଓ ଅପହଞ୍ଚ ଇଲାକାଗୁଡିକରେ ବସବାସ କରନ୍ତି, ଯାହା ସେମାନଙ୍କ ରୋଜଗାର ବୃଦ୍ଧିରେ ଅନ୍ତରାୟ ସୃଷ୍ଟି କରିଥାଏ । ଅଧିକ ରୋଜଗାରକ୍ଷମ ହେବାରେ ଶିକ୍ଷାର ଏକ ବଡ ଭୂମିକା ଥିଲେ ବି ବିଭିନ୍ନ ଭାବେ ନିଯୁକ୍ତ ଆଦିବାସୀଙ୍କ ମଧ୍ୟରୁ ପ୍ରାୟ ୪୭ ପ୍ରତିଶତ କୌଣସି ପ୍ରକାର ଶିକ୍ଷା ଲାଭ କରି ନ ଥାଆନ୍ତି । ଆଦିବାସୀ ମହିଳାଙ୍କ କ୍ଷେତ୍ରରେ ତ ଏହି ପ୍ରତିଶତ ଆହୁରି ଅଧିକ। ଅଣ-ଆଦିବାସୀଙ୍କ କ୍ଷେତ୍ରରେ ତାହା ମାତ୍ର ୧୭ ପ୍ରତିଶତ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳମାନଙ୍କରେ ଉପଯୁକ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବ ଯୋଗୁ ସେମାନେ ରୋଗାକ୍ରାନ୍ତ ହୋଇ ଅନେକ ସମୟରେ ଦିନ ଦିନ ଧରି ରୋଜଗାର ହରାଇ ଥାଆନ୍ତି ।

ଏପରିକି ସେମାନଙ୍କ ହାରାହାରି ଆୟୁଷ ଅଣ-ଆଦିବାସୀଙ୍କ ତୁଳନାରେ ପ୍ରାୟ ୨୦ ବର୍ଷ କମ । ବିଶ୍ୱ ବ୍ୟାଙ୍କର ଅନ୍ୟ ଏକ ଅଧ୍ୟୟନ ଅନୁସାରେ, ପରିବାର ମୁଖ୍ୟଙ୍କ ଶିକ୍ଷାର ସ୍ତର, ତାଙ୍କ ଜୀବିକା, ତାଙ୍କ ବାସସ୍ଥାନ ଗ୍ରାମାଞ୍ଚଳରେ ନା ସହରାଞ୍ଚଳରେ ଓ ପରିବାରରେ ନିର୍ଭରଶୀଳ ସଦସ୍ୟଙ୍କ ସଂଖ୍ୟା ଉପରେ ସେହି ପରିବାରର ଆର୍ଥିକ ସ୍ଥିତି ଅନେକଟା ନିର୍ଭର କରିଥାଏ, ଯାହା ସହଜରେ ବୁଝି ହୁଏ । ତେବେ ଏଗୁଡିକରେ ଆଦିବାସୀ ଲୋକଟିଏ ଜଣେ ସାଧାରଣ ଲୋକର ସମକକ୍ଷ ହୋଇ ମଧ୍ୟ ପ୍ରାୟ ୮ ପ୍ରତିଶତ ମାମଲାରେ ସେ ପଛରେ ପଡି ଯାଇଥାଏ, ଯାହାର ସହଜରେ ବୁଝିବା ଭଳି କାରଣଟିଏ ଖୋଜିବା କଷ୍ଟକର। ଅନ୍ୟମାନଙ୍କ ତୁଳନାରେ ଆଦିବାସୀଙ୍କ ମଧ୍ୟରେ ଦାରିଦ୍ର୍ୟ ଏତେ ଉତ୍କଟ, ବ୍ୟାପକ ହୋଇଥାଏ ଯେ ତା’ର ଦୂରୀକରଣ ସବୁ ସରକାରଙ୍କ ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି କରିଥାଏ । ସେମାନେ ପଡିଥିବା ଦାରିଦ୍ର୍ୟ ଯନ୍ତାରେ ଲାଗିଥିବା ଅଠାରେ ଏମିତି ଲାଖି ହୋଇ ଯାଇଥାଆନ୍ତି ଯେ ତାକୁ ଠିକ ରୂପେ ବୁଝି ଉଚିତ ପଦକ୍ଷେପ ଗ୍ରହଣ ନ କଲେ ସେମାନଙ୍କୁ ସେଥିରୁ ମୁକୁଳାଇବା ସମ୍ଭବ ହୋଇ ନ ଥାଏ।

ଦୀର୍ଘ ଦିନ ଧରି ସେମାନେ ଅପହଞ୍ଚ ଇଲାକଗୁଡିକରେ ରହି ଆସିଥିବାରୁ ଭୌଗୋଳିକ ଦୂରତା ଜନିତ ସମସ୍ୟା ସେମାନଙ୍କୁ ନ୍ୟାଯ୍ୟ ଅଧିକାର ପାଇବାରୁ ବଞ୍ଚିତ କରିଥାଏ । ସେହିପରି ରାଜନୈତିକ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ ନ କରି ପାରିବା ମଧ୍ୟ ସେମାନଙ୍କ ପାଇଁ ଘାତକ ହୋଇଛି । ବିଭିନ୍ନ ସମୟରେ ଅନ୍ୟାୟ, ଅତ୍ୟାଚାର ଓ ଶୋଷଣର ଶିକାର ହୋଇ ଆସିଥିବା ଓ ସେମାନଙ୍କ ପ୍ରତି ବିଭିନ୍ନ ସ୍ତରରେ ଭେଦଭାବ ହୋଇଥିବା ଯୋଗୁ ସେମାନଙ୍କ ଆତ୍ମବିଶ୍ୱାସ ବିକାଶରେ ବାଧା ଉତ୍ପନ୍ନ ହୋଇଛି । ଅଧିକନ୍ତୁ, ହଠାତ୍ ସମ୍ମୁଖୀନ ହେଉଥିବା କୌଣସି ବିପଦର ସଫଳ ଭାବେ ମୁକାବିଲା କରିବା ପାଇଁ ସେମାନଙ୍କ ନିକଟରେ ଉପଲବ୍ଧ ସୀମିତ ଭିତ୍ତିଭୂମି ଓ ପୁଂଜିଗତ ସମ୍ପତ୍ତି ଯଥେଷ୍ଟ ହେଉନାହିଁ, ଯାହା ଫଳରେ ସେମାନେ ଦାରିଦ୍ର୍ୟ ଯନ୍ତାରୁ ମୁକୁଳି ପାରୁ ନାହାନ୍ତି । ଅବଶ୍ୟ ଏ କଥା ସତ ଯେ ସବୁ ଆଦିବାସୀ ସମ୍ପ୍ରଦାୟଙ୍କ ଅର୍ଥନୈତିକ ସ୍ଥିତି ଏକା ପ୍ରକାର ନୁହେଁ ଓ ସେମାନଙ୍କୁ ଗୋଟିଏ ବନ୍ଧନୀ ଭିତରେ ରଖି ଦେଇ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମର ପରିକଳ୍ପନା କଲେ ଅପେକ୍ଷିତ ସୁଫଳ ମିଳି ପାରିବ ନାହିଁ । ପରିତାପର ବିଷୟ, ଏ ଯାଏଁ ଆଦିବାସୀଙ୍କ ସମ୍ପ୍ରଦାୟଓ୍ୱାରୀ ଦାରିଦ୍ର୍ୟର ବାସ୍ତବ ସ୍ଥିତିକୁ ଜାଣିବା ପାଇଁ କୌଣସି ସର୍ଭେ କରା ଯାଇନାହିଁ, ଯାହା ତୁରନ୍ତ ହେବା ଆବଶ୍ୟକ । ଏଥିରୁ ଦାରିଦ୍ର୍ୟର କାରଣକୁ ଅନୁଧ୍ୟାନ କରି ପ୍ରତି ସମ୍ପ୍ରଦାୟ ପାଇଁ ଅଲଗା ଅଲଗା ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବା ହୁଏତ ଅଧିକ ଯୁକ୍ତିସଙ୍ଗତ ହୋଇପାରେ । ଏଥି ସହିତ ଅନେକ ଦେଶର ଅଭିଜ୍ଞତା ରହିଛି ଯେ ଆଦିବାସୀ ପିଲାଙ୍କ ଉପରେ ପ୍ରାକ୍ ଶୈଶବାବସ୍ଥାରେ ଉଚିତ ବିନିଯୋଗ କରାଗଲେ ତା’ର ଦୀର୍ଘସ୍ଥାୟୀ ସୁଫଳ ମିଳିଥାଏ । ତେଣୁ ଏଥି ପ୍ରତି ସରକାର ଅଧିକ ଦୃଷ୍ଟି ଦେବା ସହ ସେମାନଙ୍କ ପ୍ରତି ଆଜି ମଧ୍ୟ ହେଉଥିବା ଭେଦଭାବକୁ ହ୍ରାସ କରିବା ଦିଗରେ ପଦକ୍ଷେପ ନେଲେ ଆଦିବାସୀଙ୍କ ସ୍ୱାଭିମାନ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇ ସେମାନଙ୍କୁ ଦାରିଦ୍ର୍ୟ ଯନ୍ତାରୁ ମୁକୁଳାଇବା ସହଜ ହେବ।

ଆଦିବାସୀମାନେ ଆର୍ଥିକ ଅନଟନ ଦେଇ ଗତି କରୁ ଥାଇପାରନ୍ତି, ହେଲେ ସାଧାରଣ ଲୋକେ ସେମାନଙ୍କୁ ହେୟ ଜ୍ଞାନ ନ କରି ସେମାନଙ୍କ ପ୍ରତି ଦୃଷ୍ଟି ଭଙ୍ଗୀରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । ଏପରିକି ଆଦିବାସୀଙ୍କ ବିକାଶ କରୁଛନ୍ତି ବୋଲି ଦାବି କରୁଥିବା ଲୋକଙ୍କ ମଧ୍ୟରୁ କିଛି ‘ଆଦିବାସୀମାନେ ଦେଶ ଉପରେ ବୋଝ ଓ କେବଳ ସେହିମାନଙ୍କ ବିଶେଷ ପ୍ରଚେଷ୍ଟା ଯୋଗୁ ସେମାନେ ଉଦ୍ଧାର ପାଇ ପାରିବେ’ ବୋଲି ମନେ କରନ୍ତି । ସେମାନଙ୍କୁ ହେୟ ଜ୍ଞାନ କରିବାର ମାନସିକତାରୁ ଊର୍ଦ୍ଧ୍ୱକୁ ଉଠି ପାରୁ ନ ଥିବାରୁ ମାନବ ସଭ୍ୟତା ଓ ଜୀବଜଗତର ସୁରକ୍ଷା ପାଇଁ ସେମାନଙ୍କ ଅମୂଲ୍ୟ ଯୋଗଦାନ ସମ୍ପର୍କରେ ଉଚିତ ମୂଲ୍ୟାୟନ ହୋଇ ପାରୁନାହିଁ କି ସେମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ସମ୍ମାନ ଓ ସ୍ୱୀକୃତି ମିଳି ପାରୁନାହିଁ । ଆଦିବାସୀମାନେ ଭୂପୃଷ୍ଠର ମାତ୍ର ୨୫ ପ୍ରତିଶତ ସ୍ଥଳ ଭାଗରେ ବସବାସ କରୁଥିଲେ ବି ବିଶ୍ୱର ଉପଲବ୍ଧ ଜୈବ ବିବିଧତାରୁ ୮୦ ପ୍ରତିଶତ କେବଳ ସେମାନଙ୍କ ଯୋଗୁ ସଂରକ୍ଷିତ ହୋଇ ରହି ପାରିଛି। ମଣିଷ ଓ ଜୀବଜଗତ ବଞ୍ଚି ରହିବା ପାଇଁ ଆବଶ୍ୟକ ହେଉଥିବା ଅମ୍ଳଜାନର ପ୍ରମୁଖ ଉତ୍ସ କୁହା ଯାଉଥିବା ଆମାଜନଠାରୁ ଆରମ୍ଭ କରି ଇଣ୍ଡୋନେସିଆର ବର୍ଷା-ଜଙ୍ଗଲ (ରେନ ଫରେଷ୍ଟ)ଗୁଡିକ ଆଜି ଯଦି ତିଷ୍ଠି ରହିଛନ୍ତି, ତାହା ଏହି ଆଦିବାସୀମାନଙ୍କ ପାଇଁ। ପ୍ରକୃତି ସହ ବଞ୍ଚିବାର ବାଟ ସେମାନଙ୍କୁ ଜଣା ଥିବାରୁ ପରିବେଶ ସୁରକ୍ଷା ସେମାନଙ୍କ ପାଇଁ ପାଠ୍ୟକ୍ରମର ବିଷୟବସ୍ତୁ ନୁହେଁ, ବରଂ ଜୀଇଁବାର କଳା।

ପ୍ରାକୃତିକ ସମ୍ୱଳ ପରିଚାଳନାରେ ଆଦିବାସୀଙ୍କ ଅଧିକାରକୁ ସମ୍ମାନ ଜଣାଇ ଅଷ୍ଟ୍ରେଲିଆ ଓ ନାମ୍ୱିଆରେ ଆଇନଗତ ବ୍ୟବସ୍ଥା ହୋଇଛି । ଅଷ୍ଟ୍ରେଲିଆରେ ୧୯୯୭ ମସିହାରୁ କାର୍ଯ୍ୟ କରୁଥିବା ‘ଆଦିବାସୀ ସଂରକ୍ଷଣ ଅଞ୍ଚଳ’ (ଇଣ୍ଡିଜିନସ ପ୍ରୋଟେକ୍ଟେଡ ଏରିଆ- ଆଇପିଏ) କାର୍ଯ୍ୟକ୍ରମରେ ଏ ଯାବତ୍ ୭୫ଟି ଆଇପିଏ ପ୍ରତିଷ୍ଠିତ ହୋଇଛି ଓ ସେଗୁଡିକ ସେଠାକାର ଜୈବ ବିବିଧତା ସଂରକ୍ଷଣରେ ଏକ ବଡ ଭୂମିକା ନିର୍ବାହ କରୁଛନ୍ତି । ଅନ୍ତର୍ଜାତିକ ଆଦିବାସୀ ଦିବସ ପାଳନ କେବଳ ଆଦିବାସୀଙ୍କ ଦାରିଦ୍ର୍ୟ, ସମସ୍ୟା ବା ଆବଶ୍ୟକତାକୁ ବଖାଣିବା ପାଇଁ ଉଦ୍ଦିଷ୍ଟ ନୁହେଁ । ମାନବ ସଭ୍ୟତା ଓ ଜୀବଜଗତର ସୁରକ୍ଷା ପାଇଁ ସେମାନଙ୍କ ପ୍ରୟାସ, ଯୋଗଦାନକୁ ବି ମନେ ପକାଇବାର ଦିନ ଇଏ । ତାହାହେଲେ ସାଧାରଣ ଲୋକେ ବି ସେମାନଙ୍କୁ ଓ ସେମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରିବା ସହଜ ହୋଇଥାଏ । ଏହାଦ୍ୱାରା ଆଦିବାସୀଙ୍କ ମଧ୍ୟରେ ସ୍ୱାଭିମାନ ଜାଗ୍ରତ ହେବା ସହ ସେମାନଙ୍କୁ ‘ଦୟାର ପାତ୍ର’ କରିବାର ମାନସିକତା ବି ହ୍ରାସ ପାଇବ, ଯଦ୍ଦ୍ୱାରା ସେମାନଙ୍କ ବିକାଶ ସହ ଦେଶର ପ୍ରଗତି ତ୍ୱରାନ୍ୱିତ ହୋଇପାରିବ । ତା’ ଛଡା ସେମାନେ ସୁରକ୍ଷିତ ରହିଲେ ବିଶ୍ୱରେ ଜୈବ ବିବିଧତା ସଂରକ୍ଷିତ ହୋଇ ରହି ପାରିବ । କାନାଡା ଭଳି ଦେଶ ସେଠାକାର ମୂଳ ନିବାସୀଙ୍କୁ ଗୁରୁତ୍ୱ ଓ ସମ୍ମାନ ଜଣାଇ ୧୯୯୬ ମସିହାରୁ ଜୁନ ୨୧ ତାରିଖ ଦିନଟିକୁ ‘ଜାତୀୟ ଆଦିବାସୀ ଦିବସ’ ରୂପେ ପାଳନ କରିଆସୁଛି । ଆଦିବାସୀଙ୍କ ମଧ୍ୟରେ ଥିବା ପ୍ରତିଭା, ପରମ୍ପରା, ବିବିଧତା, ଉତ୍ସବ ଆଦି ପ୍ରଦର୍ଶନ ମାଧ୍ୟମରେ ଏହି ଦିବସଟିକୁ ପାଳନ କରିବା ସହ ବିଭିନ୍ନ କ୍ଷେତ୍ରରେ ଆଦିବାସୀ ସମାଜର ସଫଳ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରା ଯାଇଥାଏ । ଏହି ଅବସରରେ, ଅଣ-ଆଦିବାସୀମାନେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରି ଆଦିବାସୀଙ୍କ ଇତିହାସ, ସଂସ୍କୃତି, ପରମ୍ପରା ଓ ଦୃଷ୍ଟିଭଙ୍ଗୀକୁ ବୁଝିବାର ଅବକାଶ ପାଇ ଥାଆନ୍ତି, ଯାହା ଉଭୟଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ପ୍ରତିଷ୍ଠାରେ ସହାୟକ ହୋଇଥାଏ। ଉଲ୍ଲେଖଯୋଗ୍ୟ, ସେଠାରେ ଆଦିବାସୀଙ୍କ ସଂଖ୍ୟା ମାତ୍ର ୧୭ ଲକ୍ଷ ଓ ଏହା ସମୁଦାୟ ଜନସଂଖ୍ୟାର ୫ ପ୍ରତିଶତରୁ କମ ହୋଇଥିଲେ ବି ସେଠାକାର ସରକାର ଏହି ଦିବସଟିକୁ ଉତ୍ସବ ମୁଖର କରି ତୋଳିଥାଆନ୍ତି।

ଅନ୍ୟ ପକ୍ଷରେ ଭାରତରେ ଆଧିକାରିକ ଭାବେ ୭୦୫ ପ୍ରକାର ଜନଜାତିର ସାଢେ ଦଶ କୋଟି ଲୋକ ବସବାସ କରନ୍ତି ଯାହା ସମୁଦାୟ ଜନସଂଖ୍ୟାର ପ୍ରାୟ ୯ ପ୍ରତିଶତ । ବିଶ୍ୱ ଆଦିବାସୀ ଜନସଂଖ୍ୟାର ପ୍ରାୟ ୨୨ ପ୍ରତିଶତ ଭାରତରେ ବସବାସ କରୁଥିଲେ ବି ଏଠାରେ ଏହି ଦିବସଟିକୁ ଉତ୍ସବ ମୁଖର କରି ପାଳନ କରିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତା ବାସ୍ତବିକ ପରିତାପର ବିଷୟ । ଜାତିସଂଘ ମୂଳନିବାସୀ ଅଧିକାର ଘୋଷଣା (ୟୁଏନଡିଆରଆଇପି), ୨୦୦୭ ସମେତ ଅନେକ ଅନ୍ତର୍ଜାତୀୟ ଘୋଷଣା ଗୃହୀତ ଓ କାର୍ଯ୍ୟକାରୀ ହୋଇ ଗତ ଦୁଇ ଦଶନ୍ଧି ମଧ୍ୟରେ ଆଦିବାସୀଙ୍କ ଅଧିକାରକୁ ଅଧିକାଧିକ ସ୍ୱୀକୃତି ମିଳିବା ସହ ସେ ନେଇ ସଚେତନତା ବୃଦ୍ଧି ପାଇ ପାରିଛି । ତଥାପି ଏକ ଦାରିଦ୍ର୍ୟ ଓ ଶୋଷଣମୁକ୍ତ ସମାଜ ଗଠନ ଦିଗରେ ଆଦିବାସୀଙ୍କ ସାମଗ୍ରିକ ଅବସ୍ଥାରେ ଉନ୍ନତି ଆଣିବା ଲାଗି ନିରନ୍ତର ପ୍ରୟାସର ଆବଶ୍ୟକତା ରହିଛି।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

The post ଅନ୍ତର୍ଜାତୀୟ ଆଦିବାସୀ ଦିବସ appeared first on Odisha Reporter.



from Odisha Reporter https://ift.tt/3fLpRGF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages