ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲାରେ ଏବେ ଲୁଟେରାଙ୍କ ଟାର୍ଗେଟରେ ବ୍ୟବସାୟୀ। ବିଚ୍ ରାସ୍ତାରୁ ହିଁ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। କେବଳ ସେତିକି ନୁହେଁ, ଲୁଟେରାଙ୍କ ଆକ୍ରମଣରେ କିଏ ଆଖି ବୁଜୁଛି ତ କିଏ ମୃତ୍ୟୁ ସହ ସଂଗ୍ରାମ କରୁଛି।
ଗତ ୧୮ ତାରିଖରେ ଝରିଗାଁ ଅଞ୍ଚଳରୁ ଜଣେ ବ୍ୟବସାୟୀଙ୍କୁ ହାଣି ଲୁଟେରା ୪ ଲକ୍ଷ ନେଇ ଯାଇଥିବା ବେଳେ ଗତକାଲି ହୋଇଛି ୨ଟି ବଡ଼ ଧରଣର ଲୁଟପାଟ। ଜିଲ୍ଲାର ରାଇଘର ଥାନା ଭାରସୁଣ୍ଡି ଗ୍ରାମ ନିକଟରୁ ଜଣେ ବ୍ୟବସାୟୀଙ୍କ ନିକଟରୁ ୧୧ ଲକ୍ଷ ଟଙ୍କା ସୁନା, ରୂପା ଲୁଟ ହୋଇଥିବା ବେଳେ କୋଡିଙ୍ଗା ଥାନା ଅଞ୍ଚଳରୁ ଜଣେ ବ୍ୟବସାୟୀଙ୍କ ମୁହଁରେ ଗାମୁଛା ପକାଇ ଲୁଟେରା ଅଢେଇ ଲକ୍ଷ ନେଇପଳାଇଲେ।
ଗତ ୧୮ ତାରିଖ ଲୁଟ୍ ଘଟଣାରେ ପୁଲିସ୍ ଗତକାଲି ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ପରେ ଏହି ୨ ଟି ଘଟଣା ଘଟିଥିବାରୁ ନବରଙ୍ଗପୁର ଜିଲ୍ଲାରେ ଏବେ ଲୁଟେରାଙ୍କ ରାଜ ଚାଲିଥିବା କୁହାଯାଉଛି।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ସୁନା ବ୍ୟବସାୟୀ ରାଇଘର ଥାନା ମହୁଭାଟ୍ଟା ଗ୍ରାମର ଆଶାରାମ ଗଣ୍ଡଙ୍କ ନିକଟରୁ ୧୧ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଗହଣା ଲୁଟ୍ ହୋଇଛି। ଗତକାଲି ନିକଟସ୍ଥ ଗୋନା ସପ୍ତାହିକ ହାଟରୁ ବ୍ୟବସାୟ ସାରି ଆଶାରାମ ନିଜ ବାଇକ୍ ଯୋଗେ ଘର ମହୁଭାଟ୍ଟାକୁ ଫେରୁଥିଲେ । ଭାରସୁଣ୍ଡି ଗ୍ରାମ ନିକଟରେ ଦୁଇଟି ବାଇକ୍ରେ ମୁଖା ପିନ୍ଧା ୪ ଦୁର୍ବୃତ୍ତ ହଠାତ୍ ପହଞ୍ଚି ଆଶାରାମଙ୍କୁ ଅଟକାଇଥିଲେ। ଏହାପରେ ବିଭିନ୍ନ ପ୍ରକାର ଧମକ ଚମକ ଦେବା ସହ ଏକ ଛୁରୀରେ ଆକ୍ରମଣ କରି କାଠ ବାକ୍ସରେ ଥିବା ୩୦ ଗ୍ରାମ ସୁନା ଗହଣା ଏବଂ ୧୫ କେଜି ରୂପା ଗହଣା ଲୁଟି ନେଇଥିବା ଜଣାପଡିଛି ।
ଆହତ ଆଶାରାମଙ୍କୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବର ପାଇ ରାଇଘର ଥାନା ପୁଲିସ୍ ରାଇଘରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
ସେହିପରି କାଲି ସନ୍ଧ୍ୟାରେ ଜିଲ୍ଲାର କୋଡିଙ୍ଗା ଥାନା ଅନ୍ତର୍ଗତ ଦେଉଧରା ଗ୍ରାମ ନିକଟରେ ଜଣେ ବ୍ୟବସାୟୀଙ୍କ ମୁହଁରେ ଗାମୁଛା ପକାଇ ୨ ଦୁର୍ବୃତ୍ତ ଅଢେଇ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ସହର ମଧ୍ୟରେ ତଥା ସହର ବାହାରେ ବେଧଡ଼କ ଭାବେ ଏପରି ଘଟଣା ଘଟୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।
ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଘଟି ଚାଲିଥିବାବେଳେ ଗତକାଲି ଗୋଟିଏ ଦିନରେ ଦୁଇ ଦୁଇଟି ଘଟଣା ଜିଲ୍ଲ ପୋଲିସର ନିଦ ହଜାଇ ଦେଇଛି । ସେପଟେ ପୋଲିସ ପକ୍ଷରୁ ସେଭଳି କୌଣସି ଆଖିଦୁସିଆ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହେଉଛି ।
The post ନବରଙ୍ଗପୁରରେ ଲୁଟେରାଙ୍କ ରାଜ; ବିଚ୍ ରାସ୍ତାରୁ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା appeared first on Odisha Reporter.
from Odisha Reporter https://ift.tt/2KB1GkQ
No comments:
Post a Comment