ସିୱାନ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କେମିତି ଜଣେ ପୁଲିସ୍ କର୍ମୀ ବା ସିପାହୀ ବିଚାରପତିଙ୍କ ଗାଡ଼ିକୁ ଅଟକାଇଲେ ଓ ସେ ଚାଲିଚାଲି କାହିଁକି କୋର୍ଟ ଗଲେ? କିନ୍ତୁ ବିହାରର ସିୱାନରେ ଏଭଳି ଏକ ଘଟଣା ଘଟିଛି। କଲେକ୍ଟରେଟ୍ର ଗେଟ୍ ପାଖରେ ଘଟିଥିବା ଏମିତି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।
ଫ୍ୟାମିଲି କୋର୍ଟର ମୁଖ୍ୟ ବିଚାରପତି ଜ୍ୟୋତି ସ୍ୱରୂପ ଶ୍ରୀବାସ୍ତବ ଶୁକ୍ରବାର ତାଙ୍କ ବାସଭବନରୁ କୋର୍ଟକୁ ଯାଉଥିଲେ। ତାଙ୍କ ଡ୍ରାଇଭର ଗାଡ଼ିକୁ କଲେକ୍ଟରେଟ୍ର ଦକ୍ଷିଣ ଫାଟକରେ ପ୍ରବେଶ କରାଇ କୋର୍ଟକୁ ଯିବାକୁ ଉଦ୍ୟମ କରିଥିଲେ। ପୂର୍ବରୁ ମଧ୍ୟ ଏହି ରାସ୍ତାରେ ବିଚାରପତି କୋର୍ଟ ଯାଇଛନ୍ତି। ତେଣୁ ଶୁକ୍ରବାର ମଧ୍ୟ ଏହି ରାସ୍ତାରେ ଯିବାକୁ ଚାହିଁଥିଲେ।
ତେବେ ଗୁରୁବାର ଯାଏ ଏହି ଗେଟ୍ରେ ମୁତୟନ ଥିବା ସିପାହୀ ବିଚାରପତିଙ୍କୁ ସ୍ୟାଲୁଟ ମାରୁଥିବା ବେଳେ ହଠାତ୍ ଶୁକ୍ରବାର ତାଙ୍କ ଗାଡ଼ିକୁ ଅଟକାଇ ଦେଇଥିଲେ। ବିଚାରପତିଙ୍କ ସହ ଥିବା ସୁରକ୍ଷାକର୍ମୀମାନେ ସିପାହୀଙ୍କୁ ପରିଚୟ ଦେବା ସହ ଆଗକୁ ବଢ଼ିବାକୁ ଅନୁମତି ମାଗିଥିଲେ।
ତଥାପି ସିପାହୀ ଜଣଙ୍କ ରାସ୍ତା ଛାଡ଼ି ନଥିଲେ। ସେ ବିଚାରପତିଙ୍କ ଗାଡ଼ିକୁ ଜେପି ଚୌକ ରାସ୍ତା ଦେଇ କୋର୍ଟ ଯିବାକୁ ପରାମର୍ଶ ଦେଇଥିଲେ। ଏଥିରେ ବିରକ୍ତ ପ୍ରକାଶ କରି ବିଚାରପତି ଜ୍ୟୋତି ସ୍ୱରୂପ ଶ୍ରୀବାସ୍ତବ ଗାଡ଼ିରୁ ଓହ୍ଲାଇ ଚାଲିଚାଲି କୋର୍ଟ ମଧ୍ୟକୁ ପ୍ରବେଶ କରିଥିଲେ। ତାଙ୍କ କାର ଜେପି ଚୌକ ଦେଇ କୋର୍ଟରେ ପହଞ୍ଚିଥିଲା।
ପ୍ରକୃତରେ ଡିଏମ ଅମିତ କୁମାର ପାଣ୍ଡେଙ୍କ ନିର୍ଦ୍ଦେଶକ୍ରମେ କଲେକ୍ଟରେଟ୍ର ଦକ୍ଷିଣ ଫାଟକ ବନ୍ଦ ରହିଛି। ଏଭଳି ସ୍ଥିତିରେ ଯଦି ସିପାହୀ ଜଣଙ୍କ ବିଚାରପତିଙ୍କ ଗାଡ଼ିକୁ ସେହି ରାସ୍ତାରେ ଯିବାକୁ ଦେଇଥାଆନ୍ତେ, ତା’ହେଲେ ଡିଏମଙ୍କ ନିର୍ଦ୍ଦେଶର ଉଲ୍ଲଙ୍ଘନ ହୋଇଥାଆନ୍ତା। ତେଣୁ ସେ ନିଜ କର୍ତ୍ତବ୍ୟକୁ ଠିକ୍ ଭାବେ ପାଳନ କରି ବିଚାରପତିଙ୍କ ଗାଡ଼ିକୁ ଛାଡ଼ି ନଥିଲେ।
ଅନ୍ୟପକ୍ଷରେ ଜିଲ୍ଲା ଓକିଲ ସଂଘ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି। ଘଟଣା ଉପରେ ଆଲୋଚନା କରିବା ପାଇଁ ଓକିଲ ସଂଘ ପକ୍ଷରୁ ଜରୁରୀ ବୈଠକ ମଧ୍ୟ ଡକା ଯାଇଥିଲା।
The post ବିଚାରପତିଙ୍କ ଗାଡ଼ି ଅଟକାଇ ଦେଲେ ପୁଲିସ କର୍ମୀ, ଚାଲି ଚାଲି କୋର୍ଟରେ ପହଞ୍ଚିଲେ ଜଜ୍ appeared first on Odisha Reporter.
from Odisha Reporter https://ift.tt/3kw50vk
No comments:
Post a Comment