କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ପାଇଁ ତାରିଖ ଘୋଷଣା ହେବା ମାତ୍ରେ ସକ୍ରିୟ ହୋଇ ଉଠିଛନ୍ତି ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ଓ ସିବିଆଇ। ରାଜ୍ୟରେ ଚାଲିଥିବା ସୀମା ପାର ଗୋରୁ ଚାଲାଣ ଓ କୋଇଲା ଚୋରା କାରବାର ଅଭିଯୋଗକୁ ଭିତ୍ତି କରି ଉଭୟ ସଂସ୍ଥା ପଶ୍ଚିମବଙ୍ଗର ପ୍ରାୟ ୧୫ଟି ସ୍ଥାନରେ ରେଡ୍ କରିଛନ୍ତି। ଏଥିସହ ଏହି ଘଟଣାରେ ଅଭିଯୁକ୍ତଙ୍କ ବିଦେଶୀ ଆକାଉଣ୍ଟ ଯାଞ୍ଚ କରିବା ପାଇଁ ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବୈଦେଶିକ ମନ୍ତ୍ରଣାଳୟର ଅନୁମତି ମଧ୍ୟ ମାଗିଛନ୍ତି।
ଶୁକ୍ରବାର ଇଡିର ଅଧିକାରୀମାନେ କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କ ସହାୟତାରେ କୋଲକାତାର ଏକାଧିକ ସ୍ଥାନରେ ଚଢ଼ଉ କରିଥିଲେ। ଅଧିକାରୀମାନେ ଗଣେଶ ଚନ୍ଦ୍ର ଆଭିନ୍ୟୁ ଓ କେନ୍ଦ୍ରୀୟ କୋଲକାତାର ମହାତ୍ମା ଗାନ୍ଧି ରୋଡ୍ରେ ଚଢ଼ଉ କରି ଏକାଧିକ ବ୍ୟବସାୟୀଙ୍କୁ ପଚରାଉଚରା କରିଥିଲେ। ହାୱାଡାରେ ଥିବା ଗୋଟିଏ ମିଲ୍ ଉପରେ ଚଢ଼ଉ କରି ଇଡି ସେଠାକାର ଅଫିସ ବ୍ୟାରିୟରଙ୍କୁ ଜେରା କରିଛି।
ଅନ୍ୟପକ୍ଷରେ ସିବିଆଇ ଟିମ୍ ବନସଡ୍ରୋନି ଠାରେ ଜଣେ ବ୍ୟବସାୟୀଙ୍କ ଘରେ ଚଢ଼ଉ କରି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛି। ବେଆଇନ ଟଙ୍କା କାରବାର ପାଇଁ ଏହି ବ୍ୟବସାୟୀ ଜଣଙ୍କ ସେଲ୍ କମ୍ପାନୀ ପ୍ରତିଷ୍ଠା କରିଥିବା ଅଭିଯୋଗ ହୋଇଛି। ସେହିପରି କୋଇଲା ଚୋରା ଚାଲାଣରେ ଅନୂପ ମାଝୀ ଓରଫ ଲାଲା ଠାରୁ ଟଙ୍କା ପାଇଥିବା କିଛି ଲୋକଙ୍କୁ ଏହି ବ୍ୟବସାୟୀ ଜଣଙ୍କ ସହଯୋଗ କରିଥିବା ସିବିଆଇ ଜାଣିବାକୁ ଯାଇଛି। ତାଙ୍କ ଘର ବ୍ୟତୀତ ଅଫିସରେ ମଧ୍ୟ ସିବିଆଇ ଚଢ଼ଉ କରିଥିଲା।
ନଭେମ୍ବର ମାସରେ କୋଇଲା ଚୋରା ଚାଲାଣର ତଥାକଥିତ କିଙ୍ଗପିନ୍ କୁହାଯାଉଥିବା ଅନୂପ ଓରଫ ଲାଲା ନାଁରେ ସିବିଆଇ ମାମଲା କରିଥିଲା। ଗୋଟିଏ ରାଷ୍ଟ୍ରାୟାତ୍ତ କୋଇଲା କମ୍ପାନୀର କିଛି ଅଧିକାରୀଙ୍କ ନାଁ ମଧ୍ୟ ସିବିଆଇ ରୁଜୁ କରିଥିବା ମାମଲାରେ ରହିଥିଲା। ଏହାକୁ ଭିତ୍ତି କରି ସିବିଆଇ ଏବେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ରେଡ୍ କରିବା ଆରମ୍ଭ କରିଛି। ଇଡି ମଧ୍ୟ ଏହି ଘଟଣାରେ ହୋଇଥିବା ବେଆଇନ ଅର୍ଥ କାରବାରର ଯାଞ୍ଚ କରୁଛି। ପଶ୍ଚିମବଙ୍ଗର ଏକାଧିକ ବଡ଼ବଡ଼ ବ୍ୟବସାୟୀ ଓ ରାଜନେତାଙ୍କ ସହ ସମ୍ପର୍କ ରଖିଥିବା ଲୋକମାନେ ଦୁଇ ତଦନ୍ତକାରୀ ସଂସ୍ଥାଙ୍କୁ ସ୍କାନରେ ରହିଛନ୍ତି।
ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଗତକାଲି ନିର୍ବାଚନ କମିଶନ ଏହାର ତାରିଖ ଘୋଷଣା କରିଛନ୍ତି। ଏଥର ରାଜ୍ୟରେ ୮ଟି ପର୍ଯ୍ୟାୟରେ ଭୋଟିଂ କରିବାକୁ ନିଷ୍ପତ୍ତି ହୋଇଛି। ଏସବୁ ଭିତରେ ସିବିଆଇ ଓ ଇଡି ସକ୍ରିୟ ହୋଇଥିବାରୁ ଶାସକ ଟିଏମସି କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ତୀବ୍ର ସମାଲୋଚନା କରିଛି।
The post ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଇଡି-ସିବିଆଇ ସକ୍ରିୟ, ୧୫ଟି ସ୍ଥାନରେ ରେଡ୍ appeared first on Odisha Reporter.
from Odisha Reporter https://ift.tt/3qVuch0
No comments:
Post a Comment