ନୂଆଦିଲ୍ଲୀ: ପ୍ରତିଦିନ ଦେଶର କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଦୈନିକ ସଂକ୍ରମଣ ଆଜି ୨୪ ହଜାର ପାର କରି ଯାଇଛି। ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୨୩ ହଜାର ଅତିକ୍ରମ କରିଥିଲା। ଏହାର ଅର୍ଥ ପ୍ରତିଦିନ ଦେଶର କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି।
୨୪ ଘଣ୍ଟା ମଧ୍ୟରେ ଆଉ ୨୪,୮୮୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଛି। ବର୍ତ୍ତମାନ ସୁଦ୍ଧାରେ ଦେଶରେ ମୋଟ ୧,୧୩,୩୩,୭୨୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୦୯,୭୩, ୨୬୦ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ଟିକ କେସ୍ ସଂଖ୍ୟା ୨,୦୨,୦୨୨ ରହିଛି।
ସେହିପରି ଦେଶରେ କରୋନା ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗୋଟିଏ ଦିନରେ ଏହି ପ୍ରାଣଘାତୀ ଭାଇରସରେ ଆଉ ୧୪୦ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୫୮,୪୪୬ରେ ପହଞ୍ଚି ଯାଇଛି।
ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଦେଶରେ ଏପରି ସ୍ଥିତି ସୃଷ୍ଟି ହୋଇଛି। ଦେଶର ପ୍ରାୟ ୬୦% ସଂକ୍ରମିତ କେବଳ ମହାରାଷ୍ଟ୍ରରୁ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫, ୮୧୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଚଳିତ ବର୍ଷରେ ଏହା ସବୁଠାରୁ ଅଧିକ ଦୈନିକ ସଂକ୍ରମଣ।
ସେହିପରି କରୋନା ମହାରାଷ୍ଟ୍ରରେ ଆଉ ୫୮ ଜଣଙ୍କ ମୁଣ୍ଡ ନେଇଛି। କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବେଶ କିଛି ମାସ ଧରି ନିମ୍ନଗାମୀ ହୋଇଥିଲା। ତେବେ ଧୀରେଧୀରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିଲା। ଏବେ ସ୍ଥିତି ଏପରି ହୋଇଛି ଯେ ରାଜ୍ୟରେ ଦୈନିକ ସଂକ୍ରମଣ ୧୬ ହଜାର ଛୁଇଁବାକୁ ବସିଲାଣି।
ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ୨ ଲକ୍ଷ ୨ ହଜାର ଥିବା ବେଳେ କେବଳ ମହାରାଷ୍ଟ୍ରରେ ଏହି ସଂଖ୍ୟା ୧,୧୦,୪୮୫ ରହିଛି। ଗତକାଲି ତୁଳନାରେ ଆଜି ଆକ୍ଟିଭ କେସ୍ ସଂଖ୍ୟା ପ୍ରାୟ ୪ ହଜାର ବଢ଼ିଛି। ରାଜ୍ୟରେ ଏବେ ୫,୪୨,୬୯୩ ଜଣ ଲୋକ ହୋମ କ୍ୱାରେଣ୍ଟାଇନରେ ଥିବା ବେଳେ ୪,୮୮୪ ଜଣ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରେ ରହିଛନ୍ତି।
ମହାରାଷ୍ଟ୍ର ବ୍ୟତୀତ କେରଳ, ପଞ୍ଜାବ, କର୍ଣ୍ଣାଟକା, ଗୁଜରାଟ ଓ ତାମିଲନାଡୁରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି। ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଏହି ରାଜ୍ୟଗୁଡ଼ିକରୁ ୮୫% ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ଏଯାଏ ଦେଶରେ ମୋଟ ୨,୮୨,୧୮,୪୫୭ ଜଣ ଲୋକ କରୋନା ଟିକାର ଡୋଜ୍ ନେଇ ସାରିଲେଣି।
The post ବଢ଼ୁଛି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା, ଦୈନିକ ସଂକ୍ରମଣ ୨୪ ହଜାର ପାର୍ appeared first on Odisha Reporter.
from Odisha Reporter https://ift.tt/3vjvtRv
No comments:
Post a Comment