ଧନ୍ୟ ତୁ ଗୁଣ୍ଡୁଚିମୂଷା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 23, 2021

ଧନ୍ୟ ତୁ ଗୁଣ୍ଡୁଚିମୂଷା!

ଦୀନବନ୍ଧୁ ନାୟକ

ଗୁଣ୍ଡୁଚିମୂଷା-କ୍ଷୁଦ୍ର ପ୍ରାଣୀଟିଏ, ନିରୀହ ବି। କିନ୍ତୁ ତା’ ନାଁଟି ଶୁଣିଲେ ବା ତାକୁ ଦେଖିଲେ ସ୍ୱତଃ ଶ୍ରୀରାମଚନ୍ଦ୍ରଙ୍କର ସେତୁନିର୍ମାଣ ଦୃଶ୍ୟ ଭାସି ଉଠେ। ମାତା ସୀତାଙ୍କ ସନ୍ଧାନ ପାଇବା ପରେ ଲଙ୍କାକୁ ଯିବା ପାଇଁ ସେତୁ ନିର୍ମାଣରେ ବାନରସେନା ପ୍ରାଣମୂର୍ଚ୍ଛା ଲାଗି ପଡିଛନ୍ତି। ବଡ଼ବଡ଼ ପଥରଖଣ୍ଡମାନ ବୋହିଆଣି ନଳନୀଳଙ୍କ ନିକଟରେ ପହଂଚାଇ ଦେଉଛନ୍ତି। ହନୁମାନଜୀ ସେଥିରେ ରାମନାମ ଲେଖି ସେତୁନିର୍ମାଣ କାର୍ଯ୍ୟରେ ବ୍ୟସ୍ତ। ପ୍ରଭୁ ଶ୍ରୀରାମଚନ୍ଦ୍ର ଏସବୁ ଦେଖୁଛନ୍ତି। ହଠାତ୍ ତାଙ୍କ ଦୃଷ୍ଟିରେ ପଡ଼ିଲା ଏଇ କ୍ଷୁଦ୍ର ପ୍ରାଣୀ ଗୁଣ୍ଡୁଚିମୂଷାଟି। ସମୁଦ୍ର ପାଣିରେ ଡୁବ ମାରୁଛି, ଉଠିଆସି ଶୁଖିଲା ବାଲିରେ ଗଡ଼ି ଯାଉଛି। ତା’ ଦେହରେ ଯେତେ ବାଲି ଲାଗିଯାଉଛି, ସେତକ ଆଣି ସେତୁ ଉପରେ ଝାଡ଼ି ଦେଉଛି। ପୁଣି ଯାଇ ଡୁବ ମାରୁଛି, ଗଡୁଛି, ବାଲି ଝାଡୁଛି; ଅନବରତ ଏହିପରି କରି ଚାଲିଛି। କୌଣସି ଦିଗକୁ ଲକ୍ଷ୍ୟ ନାହିଁ। ଏ ଦୃଶ୍ୟ ଦେଖି ପ୍ରଭୁ ତରଳି ଗଲେ। ସ୍ନେହରେ ଡାକି ପଚାରିଲେ –“ବାବୁରେ! ମୁଁ ଅନେକବେଳୁଁ ଲକ୍ଷ୍ୟ କରୁଛି, ତୁ ଏମିତି କାହିଁକି କରୁଛୁ?” ଗୁଣ୍ଡୁଚିମୂଷା କହିଲା-“ପ୍ରଭୁ! ମୁଁ ତ ବାନରସେନା ପରି ବଡ଼ବଡ଼ ପଥରଖଣ୍ଡ ବୋହି ପାରିବିନି, ମୋ ଦେହରେ ଯେତେ ବାଲି ଲାଗିଯାଉଛି, ସେତକ ଆଣି ବନ୍ଧରେ ଝାଡ଼ିଦେଲେ ସେଗୁଡ଼ିକ ତ ଦୁଇପଥର ସନ୍ଧିରେ ଲାଗିଯାଇ ସେଗୁଡିକୁ ବାନ୍ଧି ରଖିବ! ଏତେ ବଡ଼ ମହତ କାମରେ ମୁଁ ଆଉ କ’ଣ କରିପାରିବି ପ୍ରଭୁ!”

ପ୍ରଭୁ ଆନନ୍ଦରେ ଗଦ୍‌ଗଦ୍ ହୋଇଗଲେ। ସେ ତ ସବୁରି ଅନ୍ତର ଜାଣନ୍ତି। ଏତେ ଟିକେ ପ୍ରାଣୀ! ଏତେ ବଡ଼ ସେତୁନିର୍ମାଣରେ ସେ ଯେତେଦୂର ପାରିବ, ସେତେ ସହଯୋଗ କରୁଛି। କେତେ ଶ୍ରଦ୍ଧା, କେତେ ପ୍ରେମ, କେତେ ସମର୍ପଣ ଭାବ ସତେ ତା’ ହୃଦୟରେ! କି ନିଷ୍ଠାର ସହିତ ସେ ତା’ର ନିଷ୍କାମ କର୍ମରେ ନିମଗ୍ନ!! “ଧନ୍ୟ-ଧନ୍ୟ ତୁ ବାବୁ!” କହି ଶ୍ରଦ୍ଧାରେ ତାକୁ ଆଉଁଷି ଦେଲେ। ପ୍ରଭୁଙ୍କର ତିନୋଟି ଆଙ୍ଗୁଳିର ତିନୋଟି ଗାର ତା’ ପିଠି ଉପରେ ପଡ଼ିଗଲା। ସ୍ନେହଶ୍ରଦ୍ଧାର ସେ ଗାରତିନୋଟି ଆଜି ପର୍ଯ୍ୟନ୍ତ ରହିଛି। କାହିଁ କେତେ ହଜାର ହଜାର ବର୍ଷ ବିତିଗଲାଣି କଳନା କରି ହେଉନାହିଁ, କିନ୍ତୁ ସେ ଗାର ସେହିପରି ଅବିକଳ ଆଜି ପର୍ଯ୍ୟନ୍ତ ରହିଛି।

ଗତ ଶତାବ୍ଦୀର ଗୋଟିଏ ଘଟଣା ମନେ ପଡ଼ିଯାଉଛି। ସ୍ୱାଧୀନତା ସଂଗ୍ରାମ ଜୋର୍‌ସୋର୍‌ରେ ଚାଲୁଥାଏ। ମହାତ୍ମା ଗାନ୍ଧୀଙ୍କ ଡାକରାରେ ହଜାରହଜାର ନରନାରୀ ଅସହଯୋଗ ଆନ୍ଦୋଳନରେ ସ୍ୱତଃପ୍ରବୃତ୍ତ ହୋଇ ଯୋଗଦାନ କରୁଥାଆନ୍ତି। ବିରାଟ ବିରାଟ ସଭାସମିତି ହେଉଥାଏ। ଏହି ସଭାମାନଙ୍କରେ ଧନୀଗରିବ ନିର୍ବିଶେଷରେ ସମସ୍ତେ ନିଜନିଜ ଶକ୍ତି ଅନୁସାରେ ସ୍ୱେଚ୍ଛାରେ ଚାନ୍ଦା ଦେଉଥାଆନ୍ତି। ଏହିପରି ଏକ ସଭାରେ କେତେ ବଡ଼ବଡ଼ ଧନୀ, ଶେଠ୍ ଚାନ୍ଦା ଦେଉଥାଆନ୍ତି। ବୟସଭାରରେ ନଇଁ ପଡିଥିବା ବୁଢୀମା’ଟିଏ ନଇଁନଇଁ ଆସି ମହାତ୍ମାଙ୍କ ପାଦତଳେ ଅଧଲାଟିଏ ଥୋଇଦେଲା। ସେତେବେଳେ ଟଙ୍କାକ ଷୋଳଅଣା, ଅଣାକ ଚାରିପଇସା, ପଇସାକ ଦୁଇ ଅଧଲା ଥାଏ। ବୁଢୀମା’ଟିର ଦାନକୁ ମହାତ୍ମା ଗାନ୍ଧୀ ଠିକ୍ ଭାବେ ବୁଝି ପାରିଥିଲେ ପ୍ରଭୁ ଶ୍ରୀରାମଙ୍କ ପରି। ଅତ୍ୟନ୍ତ ଶ୍ରଦ୍ଧାସମ୍ମାନର ସହିତ ଅଧଲାଟିକୁ ଉଠାଇ ପାଖରେ ଥିବା ମହାଦେବ ଦେଶାଇଙ୍କୁ ଦେଇ କହିଲେ –“ଏଇ ଅଧଲାଟିକୁ ସ୍ୱତନ୍ତ୍ରଭାବେ ଯତ୍ନସହକାରେ ରଖିବ। ଏହା ଶେଠ୍‌ମାନଙ୍କ ଲକ୍ଷଲକ୍ଷ ଟଙ୍କାଠାରୁ ଅଧିକ ମୂଲ୍ୟବାନ।”

ଦୁଇଟିଯାକ ଘଟଣାକୁ ଲକ୍ଷ୍ୟକଲେ ଦେଖାଯାଏ, ଏଠାରେ ପରିମାଣ ନୁହେଁ, ଶ୍ରଦ୍ଧା, ଭକ୍ତି, ପ୍ରେମ, ସମ୍ମାନ, ଆନ୍ତରିକତାର ଗୁରୁତ୍ୱ ରହିଛି। ମହତ କାର୍ଯ୍ୟରେ ଅଧଲାଟିଏ, ବାଲିଗରଡ଼ାଟିଏ ବା ବାଲିକଣାଟିଏ ବି ବହୁ ମୂଲ୍ୟବାନ ହୋଇଥାଏ।

ତେବେ, ଗୋଟିଏ କଥା ମନକୁ ଆସେ, ସଦ୍‌ଭାବନାର ଚେର କେତେ ଗଭୀରକୁ ଲମ୍ବିଛି! ଏ ସୃଷ୍ଟିରେ କୀଟଠାରୁ ଆରମ୍ଭ କରି ବୃହତ୍ତମ ପ୍ରାଣୀ ପର୍ଯ୍ୟନ୍ତ ସମସ୍ତେ ପଂଚ ମହାଭୂତଙ୍କର ପ୍ରପଂଚିକରଣ ଦ୍ୱାରା ଗଠିତ ହୋଇଛନ୍ତି। ମାଟି, ପାଣି, ଅଗ୍ନି, ବାୟୁ ଓ ଆକାଶ ତ ବାହ୍ୟ ପଦାର୍ଥ। ଶ୍ରୀଗୀତା ଏହାକୁ ଅପରାପ୍ରକୃତି କହିଛନ୍ତି। ପ୍ରତ୍ୟେକ ପ୍ରାଣୀ ସେମାନଙ୍କ ପ୍ରଜାତି ଅନୁସାରେ ସଂସାରରେ ବଂଚି ରହିବା ପାଇଁ ନିଜ ନିଜ ପ୍ରକୃତିଗତ ବ୍ୟବସ୍ଥା, ଅଭ୍ୟାସ, ଖାଦ୍ୟ ଇତ୍ୟାଦି ଦ୍ୱାରା ପରିଚାଳିତ ହେଉଛନ୍ତି। ଏହା ଜନ୍ମଜାତ ବା ସହଜାତ ପ୍ରବୃତ୍ତି। ଏହାଦ୍ୱାରା ଜନ୍ମ ପରେ ପରେ ଗାଈର ବାଛୁରି ମା’ର ପହ୍ନା ଖୋଜେ, ଅଣ୍ଡାରୁ ବାହାରି ପକ୍ଷୀ ଶାବକଟି କ୍ରମେ ଉଡ଼ି ଶିଖେ, ମାଛଛୁଆଟି ଜଳରେ ପହଁରେ। କିନ୍ତୁ ମୃତ୍ୟୁ ତ ସମସ୍ତଙ୍କ ନିମନ୍ତେ ଧ୍ରୁବ ସତ୍ୟ। ମୃତ୍ୟୁ ଆସେ ସେତେବେଳେ, ଯେତେବେଳେ ଏଇ ଅପରାପ୍ରକୃତିରୁ ପରାପ୍ରକୃତିର ସତ୍ତା, ଚେତନ ସତ୍ତା ବା ଜୀବାତ୍ମା ଶରୀରକୁ ତ୍ୟାଗ କରେ।

ତା’ହେଲେ, ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଗୁଣ୍ଡୁଚିମୂଷା ପିଠିଆଉଁଷା ଚିହ୍ନ ତ କେଉଁ କାଳରୁ ଲୋପ ପାଇ ସାରିଥାଆନ୍ତା, ଆଜି ପର୍ଯ୍ୟନ୍ତ ରହିଛି କିପରି?

ସାଧାରଣତଃ, ଆମେ ପ୍ରଥମେ ଯାହା ଚିନ୍ତା କରୁଁ, ପରେ ତାହାକୁ କାର୍ଯ୍ୟରେ ପରିଣତ କରୁଁ। ଏଇ ଚିନ୍ତାଟି ଭିତରେ ହୁଏ, ହୁଏତ ମନସ୍ତରରେ ବା ବୁଦ୍ଧିସ୍ତରରେ ବା ଆହୁରି ଗଭୀରରୁ। ଅହଂକାର ସବୁଠାରେ ଥାଏ, କାରଣ ଅହଂକାର ନ ରହିଲେ କାମ କରିହେବନି। ଗୁଣ୍ଡୁଚିମୂଷାର ଚିହ୍ନ ଏ ସ୍ତରଗୁଡିକରୁ ଆହୁରି ଗଭୀର, ସେଇଥିପାଇଁ ତାହା ଆଜି ପର୍ଯ୍ୟନ୍ତ ରହିଛି। ପଂଚମହାଭୂତ, ମନ, ବୁଦ୍ଧି, ଚିତ୍ତ, ଅହଂକାରକୁ ଅତିକ୍ରମ କରିଗଲେ ଜୀବାତ୍ମା, ଚୈତ୍ୟସତ୍ତା, ଦିବ୍ୟସତ୍ତାଙ୍କ ଦର୍ଶନ ମିଳେ। ମନେ ହୁଏ, ଗୁଣ୍ଡୁଚିମୂଷାର ଶ୍ରଦ୍ଧା, ପ୍ରେମ, ଭକ୍ତି, ନିଷ୍ଠା ତା’ର ଆତ୍ମା ପର୍ଯ୍ୟନ୍ତ ଲମ୍ବି ଯାଇଛନ୍ତି। ତେଣୁ ଅପରାପ୍ରକୃତିର ଯେତେ ଯାହା ପରିବର୍ତ୍ତନ ହେଲେ ମଧ୍ୟ ମୂଳଟି ଦିବ୍ୟସତ୍ତା ସହ ଯୋଡ଼ି ହୋଇ ରହିଥିବାରୁ ତାହା ଆଜି ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିଛି। ଆଧୁନିକ ବୈଜ୍ଞାନିକ ଭାଷାରେ କହିଲେ, ଗୁଣ୍ଡୁଚିମୂଷାର ପ୍ରେମଭକ୍ତି ତା’ର ଅସ୍ଥିମଜ୍ଜାଗତ କେବଳ ନୁହେଁ, ତା’ର ଜୀନ୍ ପର୍ଯ୍ୟନ୍ତ ଲମ୍ବି ଯାଇଛି।

ଯୁକ୍ତି କରାଯାଇ ପାରେ, ଗୋଟିଏ ଗୁଣ୍ଡୁଚିମୂଷା ତ ଏହା କରି ପାରିଥିଲା! ସବୁ ଗୁଣ୍ଡୁଚିମୂଷାଙ୍କ ପିଠିରେ ଏ ଚିହ୍ନ ରହିଲା କିପରି? ଉତ୍ତରରେ କୁହାଯାଇପାରେ, ପ୍ରଭୁ ସର୍ବସମର୍ଥ। ସେ ତ ପ୍ରେମମୟ, ଦୀନବନ୍ଧୁ, କୃପାସିନ୍ଧୁ, କରୁଣାସାଗର। ଗୁଣ୍ଡୁଚିମୂଷା ପ୍ରତି ତାଙ୍କର ପ୍ରେମ ସମଗ୍ର ଜାତି ପ୍ରତି ପ୍ରସରି ଯାଇଥିବ, ସଂଚରିତ ହୋଇ ଯାଇଥିବ। ତେଣୁ ସେ ଜାତି ଥିବା ପର୍ଯ୍ୟନ୍ତ ଏ ପବିତ୍ର ଚିହ୍ନ ରହିଥିବ। ଅଧିକନ୍ତୁ, ପ୍ରଭୁଙ୍କର ସ୍ନେହ, ଶ୍ରଦ୍ଧା, ଆଦର, କୃପା, କରୁଣା ଏତେ ଗଭୀର ଥିଲା ଯେ ତାହା ଚିରଦିନ ନିମନ୍ତେ ରହିଯାଇଛି। ଧନ୍ୟ ପ୍ରଭୁ! ଧନ୍ୟ ତୁମ କୃପା, ଭକ୍ତବତ୍ସଳତା! ଆଉ ଧନ୍ୟ ତୁ ଗୁଣ୍ଡୁଚିମୂଷା!

ଟିକେ ଅଟକି ଯାଇ ଭାବିବା କି? ଯଦି ଗୁଣ୍ଡୁଚିମୂଷା ପରି କ୍ଷୁଦ୍ର ପ୍ରାଣୀଟିଏ ପ୍ରଭୁଙ୍କର ଏପରି କୃପା ଲାଭ କରିପାରେ, ତେବେ, ଏବେ ସୃଷ୍ଟିର ସର୍ବଶ୍ରେଷ୍ଠ ପ୍ରାଣୀ ବୋଲି ଡିଣ୍ଡିମ ପିଟୁଥିବା ଆମେ ମଣିଷମାନେ ଗୁଣ୍ଡୁଚିମୂଷାର ପ୍ରେମଭକ୍ତି ଆମମାନଙ୍କ ଅନ୍ତରରେ ସ୍ଥାପନ କରିପାରିବା ନାହିଁ? ମହତ କାମରେ ଗୁଣ୍ଡୁଚିମୂଷା ପରି ବାଲିକଣାଟିଏ ବା ବୁଢୀମା’ଟି ପରି ଅଧଲାଟିଏ ଯୋଗଦାନ କରି ପାରିବା ନାହିଁ?

ସା : ତରାପୁର, ପୋ : ଲକ୍ଷ୍ମୀନଗର,

ଜିଲ୍ଲା: ଯାଜପୁର

The post ଧନ୍ୟ ତୁ ଗୁଣ୍ଡୁଚିମୂଷା! appeared first on Odisha Reporter.



from Odisha Reporter https://ift.tt/3raQBX6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages