ସାଉଥାମ୍ପଟନ: ବହୁପ୍ରତିକ୍ଷୀତ ଭାରତ-ନ୍ୟୁଜିଲ୍ୟାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଉପରେ ବର୍ଷା ଦାଉ ସାଧିବାରେ ଲାଗିଛି। ଶୁକ୍ରବାର ମ୍ୟାଚ୍ ଆରମ୍ଭ ହେବାକୁ ଥିବା ବେଳେ ବର୍ଷା ଯୋଗୁ ଟସ୍ ପଡ଼ି ପାରି ନଥିଲା। ଆଜି ଟସ୍ ପଡ଼ିବା ସହ ମ୍ୟାଚ୍ ଆରମ୍ଭ ହେବା ବୋଲି ସମସ୍ତେ ଆଶା ରଖିଛନ୍ତି।
ହେଲେ କାଲି ଭଳି ଆଜି ବି କ’ଣ ବର୍ଷା ମ୍ୟାଚ୍ରେ ବାଧକ ସାଜିବ କି? ଏହି ପ୍ରଶ୍ନ ଏବେ ଅସଂଖ୍ୟ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉଙ୍କି ମାରିବାରେ ଲାଗିଛି। ପାଣିପାଗ ବିଭାଗ ମ୍ୟାଚ୍ ହେବାକୁ ଥିବା ସମସ୍ତ ୫ ଦିନ ସହ ସଂରକ୍ଷିତ ଦିବସରେ ମଧ୍ୟ ବର୍ଷାର ଆଶଙ୍କା ଥିବା କହିଛି।
ତଥାପି ଆଜି ସକାଳୁ ସାଉଥାମ୍ପଟର ପାଣିପାଗ ନୂଆ ଆଶା ସୃଷ୍ଟି କରିଛି। ସ୍ଥାନୀୟ ସମୟ ସକାଳ ୬ଟା ବେଳେ ପାଗ ଆଂଶିକ ଖରାଟିଆ ରହିବ ବୋଲି ପାଣିପାଗ ସଂସ୍ଥା ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଫଳରେ ମ୍ୟାଚ୍ ପାଇଁ ବାଟ ଫିଟିବାର ସମ୍ଭାବନା ସୃଷ୍ଟି ହୋଇଛି।
ପାଣିପାଗ ସଂସ୍ଥା ଆକ୍ୟୁୱଦେରର ୱେବସାଇଟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଆଜି ଦିନ ତମାମ ସାଉଥାମ୍ପଟରେ ପାଗ ଆଂଶିକ ଶୁଖିଲା ରହିବ। କିନ୍ତୁ ସ୍ଥାନୀୟ ସମୟ ୨ଟା ପରେ ବର୍ଷାର ସମ୍ଭାବନା ରହିଛି। ରାତି ବେଳକୁ ବର୍ଷାର ପରିମାଣ ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଛି।
ତେଣୁ ଆଜି ବି ଯଦି କିଛି ଓଭର ଖେଳା ଯାଏ, ତା’ହେଲେ ତୃତୀୟ ଦିନର ଖେଳ ହେବା ମୁସ୍କିଲ ଭଳି ମନେ ହେଉଛି। କାରଣ ଯଦି ରାତି ତମାମ ପ୍ରବଳ ବର୍ଷା ହୁଏ, ତା’ହେଲେ ପଡ଼ିଆରୁ ପାଣି କାଢ଼ିବା କଷ୍ଟକର ହୋଇପଡ଼ିବ। ଏପରି ସ୍ଥିତିରେ ତୃତୀୟ ଦିନର ଖେଳ ହେବାର ସମ୍ଭାବନା କମ।
ସ୍ଥାନୀୟ ସମୟ ସକାଳ ୧୦ଟା ଭାରତୀୟ ସମୟ ଅପରାହ୍ନ ୨.୩୦ରେ ଟସ୍ ପଡ଼ିବ। ଏହାର ୩୦ ମିନିଟ୍ ପରେ ମ୍ୟାଚ୍ ଆରମ୍ଭ ହେବ। ସେହି ସମୟରେ ପାଗ ଓ ପଡ଼ିଆ କେମିତି ଥିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଗତକାଲି ବର୍ଷା ଲାଗି ରହିବାକୁ ଅମ୍ପାୟାର ସ୍ଥାନୀୟ ସମୟ ୨.୪୮ ବା ଭାରତୀୟ ସମୟ ସନ୍ଧ୍ୟା ୭.୧୮ରେ ଦିବସର ଖେଳକୁ ବାତିଲ କରିଥିଲେ।
ଅବଶ୍ୟ ଟେଷ୍ଟ ମ୍ୟାଚ୍ ଗୁଡ଼ିକ ୫ ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ଫାଇନାଲ ପାଇଁ ଆଉ ଗୋଟିଏ ଦିନ ସଂରକ୍ଷିତ ରଖାଯାଇଛି। ସ୍ଥିତିକୁ ଦେଖି ସଂରକ୍ଷିତ ଦିବସରେ ମ୍ୟାଚ୍ ଖେଳାଯିବ କି ନାହିଁ, ତା’ର ନିଷ୍ପତ୍ତି ନିଆଯିବ।
The post କାଲି ଭଳି ଆଜି ବି ଭାରତ-ନ୍ୟୁଜିଲ୍ୟାଣ୍ଡ ଫାଇନାଲ ମ୍ୟାଚ ବର୍ଷାରେ ଧୋଇଯିବ କି? appeared first on Odisha Reporter.
from Odisha Reporter https://ift.tt/3qbkrvq
No comments:
Post a Comment