ରାଉରକେଲା (ସତ୍ୟାନନ୍ଦ ମହାନ୍ତି): କୋଭିଡ୍ ଟିକା ନେବା ପରେ ରାଉରକେଲାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ମହିଳାଙ୍କ ନାଁ କବିତା ଦନ୍ତାଳୀ। ତାଙ୍କୁ ୩୨ ବର୍ଷ ହୋଇଥିଲା। ସେ ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମାଗୁଣି ବସ୍ତିରେ ରହୁଥିଲେ।
ଜୁନ୍ ୧୭ ତାରିଖ ଅପରାହ୍ନ ୪ ଟା ବେଳେ ସେ ଗୁରୁଦ୍ୱାରା ରୋଡ୍ ଟିକାକରଣ କେନ୍ଦ୍ରରେ କୋଭିଡ୍ ଟିକା ନେଇଥିଲେ। ୧୮ ତାରିଖ ସକାଳେ ସେ ଅସୁସ୍ଥ ଅନୁଭବ କରିଥିଲେ। ଏହା ପରେ ପରିବାର ଲୋକେ ତାଙ୍କୁ ଆର୍ଜିଏଚ୍ରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା।
କୋଭିଡ୍ ଟିକା ଯୋଗୁ କବିତାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଟିକା ନେବା ପରେ ତାଙ୍କର ମୃତ୍ୟୁ ଘଟିଥିବାରୁ କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍ ଅନୁସାରେ ତାଙ୍କ ବ୍ୟବଚ୍ଛେଦ କରାଯିବ। ସେଥିପାଇଁ ତାଙ୍କ ମୃତ ଶରୀରକୁ ବୁର୍ଲା ମେଡିକାଲ୍ କଲେଜକୁ ପଠାଯାଇଛି। ଅନ୍ୟପକ୍ଷରେ ଆର୍ଜିଏଚ୍ରୁ ଡେଥ୍ ମେମୋ ପାଇବା ପରେ ପ୍ଲାଣ୍ଟ ସାଇଟ୍ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ସୁନ୍ଦରଗଡ଼ ସିଡିଏମ୍ଓ ସରୋଜ ମିଶ୍ର କହିଛନ୍ତି, ଯେହେତୁ ଟିକା ନେବାର ୭୨ ଘଣ୍ଟା ଭିତରେ ତାଙ୍କର ମୃତ୍ୟୁ ଘଟିଛି, ତେଣୁ କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍ ଅନୁସାରେ ଶବ ବ୍ୟବଚ୍ଛେଦ କରାଯିବ। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣାପଡ଼ିବ ଯେ ତାଙ୍କର ମୃତ୍ୟୁ କେଉଁ କାରଣରୁ ହୋଇଛି। ସେହିପରି ଏକ ଡାକ୍ତରୀ ଟିମ୍କୁ ସେ ଚିକିତ୍ସିତ ହେଉଥିବା ଡାକ୍ତରଖାନାକୁ ପଠାଯାଇଛି। ସେମାନେ ଉକ୍ତ ମହିଳାଙ୍କ ସମସ୍ତ ରିପୋର୍ଟକୁ ଅନୁଧ୍ୟାନ କରିବେ। ତାଙ୍କ ପରିବାର ଲୋକଙ୍କ ସହିତ ଟିକାକରଣରେ ସାମିଲ ଆଶା, ଅଙ୍ଗନୱାଡି ତଥା ଏଏନ୍ମ୍ମାନଙ୍କ ସହିତ ବି ଆଲୋଚନା କରିବେ। ତାଙ୍କର ପୂର୍ବରୁ କିଛି ରୋଗ ଥିଲା କି ନାହିଁ, ଟିକା ନେବା ପୂର୍ବରୁ ତାଙ୍କ ଠାରେ କିଛି ଲକ୍ଷଣ ଥିଲା କି ନାହିଁ- ସେ ସବୁ ବିଷୟରେ ତଦନ୍ତ କରିବେ।
The post କୋଭିଡ୍ ଟିକା ନେବା ପରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ appeared first on Odisha Reporter.
from Odisha Reporter https://ift.tt/3wK9ILg
No comments:
Post a Comment