ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ଏକ ୪୦ ଟିକିଆ ହାତୀ ପଲ ବ୍ୟାପକ ଉପଦ୍ରଵ କରୁଛନ୍ତି। ରାତି ହେଲେ ଜଙ୍ଗଲରୁ ଜନବସତି ଆଡକୁ ଆସି ଘର ଭାଙ୍ଗି ଧାନ ଚାଉଳ ଖାଇଯାଉଛନ୍ତି l ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
ଦୁଇ ଦିନ ତଳେ ବିମଳା ଫରେଷ୍ଟ ବିଟ୍ ଅଧୀନ ଗୋଳାଗାଡ଼ିଆ ଗ୍ରାମରେ ବିଷ୍ଣୁ ମହାକୁଡ଼ ନାମକ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ହାତୀପଲ ଧାନ ଚାଉଳ ଖାଇ ଦେଇଥିଲେ। ସେହି ସମୟରେ ପରିବାର ଲୋକେ ଘରେ ଶୋଇଥିଲେ ଓ କାନ୍ଥ ପଡ଼ିବାରୁ ପରିବାରର ୪ ସଦସ୍ୟ ଅଳ୍ପକେ ରକ୍ଷା ପାଇଥିଲେ।
ହାତୀପଲ ଗତକାଲି ରାତିରେ ପୁଣି ଗୋଳାଗାଡ଼ିଆ ଗ୍ରାମରେ ପଶିଥିଲେ ଓ ବାସନ୍ତୀ ମୁଣ୍ଡା ନାମ୍ନୀ ଜଣେ ବିଧବାଙ୍କ ଘର କାନ୍ଥ ଭାଙ୍ଗି ଧାନ ଚାଉଳ ଖାଇଦେଇଥିଲେ। ତେବେ ବାସନ୍ତୀ ଓ ତାଙ୍କ ପୁଅ ନିର୍ମଳ ମୁଣ୍ଡା ଅନ୍ୟ ଏକ ଘରେ ଶୋଇଥିବାରୁ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତି ଯାଇଥିଲେ।ଏଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।
ତେଲକୋଇ ବିଚ୍ଛିନାଞ୍ଚଳରେ ୩ଟି ହାତୀ ରହିଥିଲେ। କିଛି ଦିନ ହେଲାଣି ଦେବଗଡ଼ ବନାଞ୍ଚଳର ଖମାର ଅଂଚଳରୁ ୩୧ଟି ହାତୀ ଓ ଆନନ୍ଦପୁର ବନଖଣ୍ଡ ଅଂଚଳରୁ ୬ ଟି ହାତୀ ତେଲକୋଇ ବନାଞ୍ଚଳକୁ ଆସି ଉପଦ୍ରଵ କରୁଛନ୍ତି।
ହାତୀ ପଲ ଯେପରି ଜନବସତିକୁ ନ ଆସିବେ ସେଥିପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ତେବେ କରୋନା ଯୋଗୁଁ ହାତୀ ପଲକୁ ଟ୍ରାକିଙ୍ଗ କରିବାକୁ ଅଧିକ ଲୋକ ନିୟୋଜିତ କରିହେଉନାହିଁ।
କ୍ଷୟକ୍ଷତିର ଆକଳନ କରାଯାଇ ଲୋକଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ତେଲକୋଇ ବନାଞ୍ଚଳ ଅଧିକାରୀ ପ୍ରକାଶ କରିବା ସହିତ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି।
The post ରାତି ହେଲେ ଆସୁଛନ୍ତି, ଘରେ ଶୋଇବାକୁ ଲୋକେ ଡରିଲେଣି appeared first on Odisha Reporter.
from Odisha Reporter https://ift.tt/3zFLrHM
No comments:
Post a Comment