ନୂଆଦିଲ୍ଲୀ: ମହାମାରୀ କରୋନା ଦ୍ୱାରା କବଳିତ ହୋଇ ମଣିଷ ତ୍ରାହି ତ୍ରାହି ଡାକୁଥିବା ବେଳେ ଏବେ ପଶୁ ବି ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହେଉଥିବା ଜଣାଯାଇଛି। ଯାହାକି ଚିନ୍ତାର ବିଷୟ ପାଲଟିଛି। ଜର୍ଜିଆସ୍ଥିତ ଆଟଲାଣ୍ଟା ଚିଡ଼ିଆଖାନାର ୧୩ ଗରିଲା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ଗରିଲାଙ୍କ ମଧ୍ୟରେ ସବୁଠୁ ବୟସ୍କ ୬୦ ବର୍ଷୀୟ ଓଜିଇ ନାମକ ଗରିଲା ବି ସାମିଲ ଅଛି।
ଏ ସମ୍ପର୍କରେ ସୂଚନା ଦେବାକୁ ଯାଇ ଚିଡ଼ିଆଖାନା କର୍ତ୍ତୃପକ୍ଷ କହିଛନ୍ତି, ଚିଡ଼ିଆଖାନାରେ କିଛି ଗରିଲା ଅସୁସ୍ଥ ଥିବା କର୍ମଚାରୀ ଲକ୍ଷ୍ୟ କରିଥିଲେ। ସେମାନଙ୍କ ନାକରୁ ପାଣି ବାହାରିବା ସହ କଫ ବି ହୋଇଥିଲା। ଏଥିସହ ସେମାନଙ୍କ ଗତିବିଧିରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା। ଏହାପରେ ଚିଡ଼ିଆଖାନା ପରିସରରେ ଥିବା ଏକ ଲ୍ୟାବରେ ୨୦ ଗରିଲାଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୩ ପଜିଟିଭ ଚିହ୍ନଟ ହୋଇଥିଲେ। ଲୋୱାସ୍ଥିତ ଜାତୀୟ ଭେଟେରାନି ସର୍ଭିସ ଲ୍ୟାବ୍କୁ ଏହି ରିପୋର୍ଟ ପୁନର୍ବାର ଅନୁଧ୍ୟାନ କରିବା ନିମନ୍ତେ ପଠାଯାଇଛି।
ଗରିଲାଙ୍କ ଯତ୍ନ ନେଉଥିବା କିଛି କର୍ମଚାରୀଙ୍କଠାରୁ ସେମାନଙ୍କ ନିକଟକୁ ଏହି ଭାଇରସ ବ୍ୟାପିଥିବା ଅନୁମାନ କରାଯାଉଛି। ହେଲେ କର୍ମଚାରୀମାନେ ଡବଲ ଡୋଜ ଭ୍ୟାକସିନେଟେଡ ହୋଇ ସାରିଥିବା ବେଳେ ସେମାନଙ୍କ ନିକଟରୁ ଗରିଳାଙ୍କୁ କୌଣସି ବିପଦ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଗୋରିଲାଙ୍କ ସଂସ୍ପର୍ଶରେ ଆସିବା ବେଳେ ସେମାନେ ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ହାତରେ ଗ୍ଲୋଭସ୍ ଓ ମୁହଁରେ ମାସ୍କ ବ୍ୟବହାର କରିଥାନ୍ତି। ଏତେ ପ୍ରତିଷେଧକମୂଳକ ବ୍ୟବସ୍ଥା ସତ୍ତ୍ୱେ ଗରିଲାମାନେ ପଜିଟିଭ ଚିହ୍ନଟ ହେବା ସତର୍କ ରହିବାର ଘଣ୍ଟି ବୋଲି ଆଲୋଚନା ହେଉଛି।
ହେଲେ ଗରିଲାଙ୍କଠାରୁ ମଣିଷକୁ ଭାଇରସ ଡେଉଁଥିବାର ସେପରି କିଛି ପ୍ରମାଣ ମିଳିନାହିଁ। ଆମେ ଏଥିପ୍ରତି ଖୁବ୍ ଯତ୍ନବାନ ଥିବା ଓ ସୁରକ୍ଷା ପ୍ରୋଟୋକଲ୍ ଖୁବ୍ କଡ଼ାକଡ଼ି ଭାବେ ପାଳନ କରୁଥିବା ଚିଡ଼ିଆଖାନାର ସିନିୟର ଡାଇରେକ୍ଟର କହିଛନ୍ତି।
ଅଧିକାରୀଜଣକ କହିଛନ୍ତି, ଏହା ପୂର୍ବରୁ କାଲିଫର୍ପିଆସ୍ଥିତ ସାନ୍ ଡିଗୋ ଜୁ ସଫାରୀ ପାର୍କରେ ଥିବା ୮ ଗରିଲା ପଜିଟିଭ ଚିହ୍ନଟ ହୋଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସେମାନଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହେବା ସହ ସେମାନେ ସମସ୍ତେ ସୁସ୍ଥ ହୋଇ ଯାଇଥିଲେ।
ଗରିଲାମାନେ ଏକତ୍ରିତ ହୋଇ ରହୁଥିବାରୁ ସେମାନଙ୍କୁ ଆଇସୋଲେସନରେ ରଖିବା କଷ୍ଟକର । ଆଟଲାଣ୍ଟା ଚିଡ଼ିଆଖାନା ପକ୍ଷରୁ ଖୁବ୍ ଶୀଘ୍ର ସମସ୍ତ ଗୋରିଲାଙ୍କୁ ଟିକାକରଣ କରାଯିବ। ଏବେ ସେଠାରେ ଥିବା ବାଘ, ସିଂହ ଆଦି ପ୍ରାଣୀଙ୍କ ଟିକାକରଣ ଚାଲିଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି।
The post ୧୩ ଗରିଲା ପଜିଟିଭ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/3nlUES5
No comments:
Post a Comment