ନଆଦିଲ୍ଲୀ: ଏଣିକି କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ହେଲେ ଡେଥ ସାର୍ଟିଫିକେଟରେ ଲେଖାଯିବ ‘କରୋନା ମୃତ୍ୟୁ’। ଦିଆଯିବ କରୋନା ମୃତ୍ୟୁର ଡେଥ୍ ସାର୍ଟିଫିକେଟ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଇଣ୍ଡିଆନ୍ କାଉଂସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍) ପକ୍ଷରୁ ରାଜ୍ୟ ସରକାର ଗୁଡିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯଦି କୌଣସି ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୁଏ ତେବେ ମୃତ୍ୟୁ ପ୍ରମାଣପତ୍ରରେ ‘କରୋନାରେ ମୃତ୍ୟୁ’ ହୋଇଥିବା ନେଇ ଦର୍ଶାଇବାକୁ ପଡିବ। ପୂର୍ବରୁ ବହୁ ଲୋକ କରୋନାରେ ଆଖିବୁଜି ଥିବା ବେଳେ ସେମାନଙ୍କ ପରିବାର ସଦସ୍ୟ କରୋନା ଜନିତ ମୃତ୍ୟୁ ସାର୍ଟିଫିକେଟ ପାଇନଥିବା ଅଭିଯୋଗ ଆଣିଥିଲେ। ନୂଆ ନିୟମ ପରେ ସେମାନଙ୍କ ପରିବାର ସହଦ୍ୟ ଏବେ କୋଭିଡ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିପାରିବେ।
ଏ ନେଇ ଦେଶର ସମସ୍ତ ଜିଲ୍ଲାରେ ଏକ କମିଟି ଗଠନ କରାଯିବ। ଏହି କମିଟି ଆବେଦନ କରିବାର ୩୦ ଦିନ ମଧ୍ୟରେ ନୂଆ କୋଭିଡ ମୃତ୍ୟୁ ସାର୍ଟିଫିକେଟ କିମ୍ବା ସଂଶୋଧନ କରୋନା ସାର୍ଟିଫିକେଟ୍ ପ୍ରଦାନ କରିବା ନେଇ ନିଷ୍ପତ୍ତି ନେବ।
କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ଡେଥ୍ ସାର୍ଟିଫିକେଟ୍ ପ୍ରଦାନ କରିବାକୁ ବ୍ୟବସ୍ଥା କରିବା ଲାଗି ସୁପ୍ରିମକୋର୍ଟରେ ରିପକ୍ କଂସଲ ଏବଂ ଗୌରବ ବଂଶଲ ନାମକ ୨ ଜଣ ବ୍ୟକ୍ତି ଆବେଦନ କରିଥିଲେ। ଏହି ମାମଲାର ଶୁଣାଣି କରି ଜୁନ୍ ୩୦ରେ ରାୟ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ। ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ କରୋନା ବୋଲି ଲେଖାଯିବାକୁ ବ୍ୟବସ୍ଥା କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟଳୟ।
ଶୁଣାଣି ପରେ ମଧ୍ୟ ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୌଣସି ଉପଯୁକ୍ତ ପଦକ୍ଷେପ ନିଆଯାଇନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ସୁପ୍ରିମକୋର୍ଟ। ଏବେ କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଛି । ମୃତ୍ୟୁ ପ୍ରମାଣପତ୍ର ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି କେନ୍ଦ୍ର ସରକାର।
ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି କରୋନାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୁଏ ତେବେ ତାଙ୍କ ଡେଥ୍ ସାର୍ଟିଫିକେଟରେ କରୋନା ଯୋଗୁଁ ମୃତ ହୋଇଛି ବୋଲି ଲେଖାଯିବ। ଘରେ କିମ୍ବା ହସ୍ପିଟାଲରେ ଯେକୌଣସି ସ୍ଥାନରେ ମୃତ୍ୟୁ ହୋଇଥିଲେ ମଧ୍ୟ ଡେଥ୍ ସାର୍ଟିଫିକଟେରେ କରୋନା ମୃତ୍ୟୁ ହିଁ ଲେଖାଯିବ। ଯଦି କୌଣସି ବ୍ୟକ୍ତିଙ୍କ କରୋନାରେ ସଂକ୍ରମିତ ହୋଇ ଏବଂ ବିଷ ପିଇ, ଆତ୍ମହତ୍ୟା, ହତ୍ୟା କିମ୍ବା ଦୁର୍ଘଟଣାଜନୀତ ମୃତ୍ୟୁ ହୁଏ ତେବେ ସେ କ୍ଷେତ୍ରରେ ମୃତ୍ୟୁ ପ୍ରମାଣପତ୍ରରେ କରୋନା ଲେଖାଯିବ ନାହିଁ।
The post ଏଣିକି ଡେଥ୍ ସାର୍ଟିଫିକେଟରେ ଦର୍ଶାଯିବ ‘କରୋନା ମୃତ୍ୟୁ’ appeared first on Odisha Reporter.
from Odisha Reporter https://ift.tt/3C5TCh0
No comments:
Post a Comment