ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ମୁହଁ ଖୋଲିଛନ୍ତି ବିବାଦରେ ଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ। ହିଂସାକାଣ୍ଡରେ ୪ ଜଣ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି। ଆଶିଷ ଗାଡ଼ି ମଡ଼ାଇ ୪ ଜଣ ଚାଷୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହେବା ପରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି।
ପୂର୍ବରୁ ଅଜୟ ମିଶ୍ର ମୁହଁ ଖୋଲିଥିବା ବେଳେ ଏବେ ପୁଅ ଆଶିଷ ନିଜର ପକ୍ଷ ରଖିଛନ୍ତି। ସେ କହିଛନ୍ତି, ହିଂସାକାଣ୍ଡ ବେଳେ ମୁଁ ସେଠାରେ ଉପସ୍ଥିତ ନଥିଲି। ସେ ରବିବାର ସକାଳ ୯ଟାରୁ ସନ୍ଧ୍ୟା ଯାଏ ଉତ୍ତର ପ୍ରଦେଶର ବାନବିରପୁରରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ରହିଥିଲେ ବୋଲି କହିଛନ୍ତି।
ଆଶିଷ କହିଛନ୍ତି, ଲଖିମପୁର ଖେରି ଅଞ୍ଚଳ ଦେଇ ତାଙ୍କ କନଭୟ ଯାଉଥିବା ବେଳେ କିଛି ଲୋକ ନିଜକୁ ଚାଷୀ ବୋଲି ପରିଚୟ ଦେଇଥିଲେ। ଏହାପରେ ସେମାନେ ତାଙ୍କ ଡ୍ରାଇଭର ହରିଓମ ମିଶ୍ରଙ୍କ ଉପରକୁ ପଥର ମାଡ଼ କରିଥିଲେ। ପଥର ସିଧା ହରିଓମଙ୍କ ମୁଣ୍ଡରେ ବାଜିବାରୁ ସେ ଗାଡ଼ି ଉପରକୁ ନିୟମନ୍ତ୍ରଣ ହରାଇଥିଲେ। ଫଳରେ ଗାଡ଼ିଟି ଗୋଟିଏ କଡ଼କୁ ଚାଲି ଯାଇଥିଲା। ଏହି ସମୟରେ ଗାଡ଼ି ଉପରକୁ ପଥର ମାଡ଼ କରୁଥିବା କିଛି ଲୋକଙ୍କ ଉପରେ ଗାଡ଼ି ମାଡ଼ି ଯାଇଥିଲା। ଏହି ଘଟଣାରେ ନାନପଡ଼ାର ଜଣେ ଚାଷୀ ନେତାଙ୍କ ମୃତ୍ୟୁ ଘଟିଥିବା ସେ କହିଛନ୍ତି।
ସେ କହିଛନ୍ତି, “ଗାଡ଼ି ରହିବା ପରେ ସେମାନେ ଡ୍ରାଇଭରଙ୍କୁ ଏହା ମଧ୍ୟରୁ ବାହାର କରି ନେଇଥିଲେ। ସମ୍ଭବତଃ ସେତେବେଳକୁ ହରିଓମଙ୍କ ମୃତ୍ୟୁ ଘଟିଥିଲା। ତଥାପି ସେମାନେ କାଠ ଓ ପଥରେ ତାଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାରେ ଆମର ୪ରୁ ୫ ଜଣ ଲୋକ ପ୍ରାଣ ହରାଇଛନ୍ତି।
୨ରୁ ୩ ଜଣଙ୍କ ପତ୍ତା ମିଳୁନି। ଏହାର ଭିଡିଓ ମଧ୍ୟ ରହିଛି। ଯଦି ଘଟଣା ବେଳେ ମୁଁ ସେଠାରେ ଉପସ୍ଥିତ ରହିଥାଆନ୍ତି, ତା’ହେଲେ ଆଜି କେମିତି ଆପଣଙ୍କ ଆଗରେ ଜୀବିତ ଭାବେ କଥା କହୁଥାଆନ୍ତି? ମୋ କାର ଜାଳି ଦିଆଯାଇଛି। ହେଲେ ମୋର କେମିତି କିଛି ହେଲାନି? ଏହା କେମିତି ସମ୍ଭବ?”
ଆଶିଷଙ୍କ କହିବା କଥା ତାଙ୍କ କନଭୟ ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ମୋର୍ଯ୍ୟଙ୍କୁ ଆଣିବା ପାଇଁ ଲଖିମପୁର ଖେରି ଯାଇଥିଲା। ବିଜେପି କର୍ମୀମାନଙ୍କୁ ଖଣ୍ଡା ଓ ଲାଠିରେ ଆକ୍ରମଣ କରାଯାଇଛି। ଯେଉଁମାନେ ଏମିତି ହିଂସା ଘଟାଇଛନ୍ତି, ସେମାନେ କେବେ ହେଲେ ଚାଷୀ ନୁହନ୍ତି ବୋଲି ଆଶିଷ କହିଛନ୍ତି।
ଅନ୍ୟପକ୍ଷରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଗୋଟିଏ ବିବୃତି ଜାରି କରାଯାଇ ଘଟଣାକୁ ନିନ୍ଦା କରାଯାଇଛି। ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ ସେମାନେ ଟିକୁନିଆ ଆସିବାକୁ ଥିବା ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ମୋର୍ଯ୍ୟଙ୍କୁ କଳା ପତାକା ଦେଖାଇବାକୁ ଏକାଠି ହୋଇଥିଲେ।
ଟିକୁନିଆ ହେଉଛି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୈତୃକ ଗାଁ। ଚାଷୀମାନେ କେଶବ ମୋର୍ଯ୍ୟଙ୍କୁ ଆଣିବା ପାଇଁ ଯାଉଥିବା କନଭୟ ଆଗରେ ବିକ୍ଷୋଭ କରୁଥିବା ବେଳେ ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଥିଲା। କେଶବ ମୋର୍ଯ୍ୟ ହେଲିକପ୍ଟର ଜରିଆରେ ଆସିବାର ଥିଲା। ତେଣୁ ଚାଷୀମାନେ ସକାଳୁ ମହାରାଜ ଅଗ୍ରସେନ ଗ୍ରାଉଣ୍ତରେ ଏକାଠି ହୋଇଥିଲେ।
ହେଲିକପ୍ଟର ଯେମିତି ଅବତରଣ କରି ନପାରିବ ସେଥିପାଇଁ ସେମାନେ ଏକାଠି ହୋଇଥିଲେ। ବିକ୍ଷୋଭ ପରେ ଚାଷୀମାନେ ଫେରୁଥିବା ବେଳେ ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରାଯାଇଥିବା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।
The post ମାମଲା ରୁଜୁ ହେବା ପରେ ପ୍ରଥମଥର ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ appeared first on Odisha Reporter.
from Odisha Reporter https://ift.tt/3Ba6C5p
No comments:
Post a Comment