ବାରିପଦା(ମାଣିକ ଲାଲ ପାଣି): ‘ପ୍ରଶାସନିକ ଅବହେଳାରୁ ଗଲା ରୋଜଗାରିଆ ପୁଅର ଜୀବନ । ତେଣୁ ସରକାର ଆମକୁ ୧୦ ଲକ୍ଷ କ୍ଷତିପୂରଣ ଦେଉ।’ ନିଜ ରୋଜଗାରିଆ ପୁଅର ମୃତ୍ୟୁ ପରେ ଏପରି ଜିଦ୍ରେ ଗତକାଲିଠୁ ବାରିପଦା ଉଦଳା ଛରାସ୍ତାର ପୋଡ଼ା ବସ୍ତିଆ ଛକରେ ମୃତଦେହ ରଖି ଧାରଣାରେ ବସିଛନ୍ତି ପରିବାର ଲୋକ । ପ୍ରଶାସନିକ ଅଧିକାରୀଙ୍କ ବୁଝାଶୁଝା ପରେ ବି ଫିଟୁନି ସମାଧାନର ବାଟ। ଫଳରେ ଗତକାଲିଠୁ ବାରିପଦା ଉଦଳା ରାସ୍ତାରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି । ଏପରିକି ଆଜି ସକାଳେ ମୂଷଳ ଧାରାରେ ବର୍ଷା ହେଉଥିଲେ ବି ନିଜ ଜିଦ୍ରୁ ଓହରି ନାହାନ୍ତି ମୃତକଙ୍କ ପରିବାର ଲୋକ । ଯାହାକି ଏବେ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି।
ସୂଚନାଯୋଗ୍ୟ, ଗତ ୩ ତାରିଖରେ ଅସୁସ୍ଥତା ହେତୁ ବାରିପଦା ମେଡିକାଲରେ ଭର୍ତ୍ତି ହୋଇଥିବା ଜଣେ ରୋଗୀ ସ୍ଲାବ ପଡ଼ିବାରୁ କୋମାକୁ ଚାଲିଯାଇଥିଲେ। ଏହାପରେ ତାଙ୍କୁ ସେଠାରେ ଉପଯୁକ୍ତ ଚିକିତ୍ସା ମିଳି ନ ଥିଲା। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ତୁରନ୍ତ କଟକ ରେଫର କରିଦେଇଥିଲେ। ମାତ୍ର ରୋଗୀଜଣକ ସେଠାରେ ଗତକାଲି ଆଖି ବୁଜିଥିଲେ।
ପ୍ରଶାସନିକ ଅବହେଳା ଯୋଗୁ ଏପରି ଅଘଟଣ ଘଟିଥିବା ଅଭିଯୋଗ ଆଣି ପରିବାର ଲୋକ ୧୦ ଲକ୍ଷ କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି। ମୃତଦେହ ରଖି ରାସ୍ତା ଅବରୋଧ ହେତୁ ଗତକାଲିଠୁ ରାସ୍ତାର ବାରିପଦା ଉଦଳା ଛରାସ୍ତାର ପୋଡ଼ା ବସ୍ତିଆ ଛକରେ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି।
ଘଟଣାସ୍ଥଳରେ ପୁଲିସ୍ ଅଧିକାରୀ ଓ ତହସିଲଦାର ପହଞ୍ଚିଥିବା ବେଳେ ମଧ୍ୟ ଘଟଣାର ସମାଧାନ ହୋଇପାରୁନି। ପରିବାର ଲୋକ ନିଜ ଜିଦ୍ରେ ଅଟଳ ରହିଛନ୍ତି।
The post ପ୍ରଶାସନିକ ଅବହେଳା ନେଲା ରୋଜଗାରିଆ ପୁଅର ଜୀବନ, ୨ ଦିନ ହେଲା ଶବ ରଖି ରାସ୍ତା ଅବରୋଧ appeared first on Odisha Reporter.
from Odisha Reporter https://ift.tt/3lpJYR6
No comments:
Post a Comment