ସୋନପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗତକାଲି ଚୋରି ହୋଇଯାଇଥିବା ଶିଶୁକନ୍ୟାକୁ ଆଜି ପୁଲିସ ପ୍ରତାପପୁର ଶରଧାପାଲି ନିକଟ ରାସ୍ତାକଡ଼ରୁ ଉଦ୍ଧାର କରିଛି। ଛୁଆଟିକୁ ଚୋରି କରିବା ପରେ କେହି ରାସ୍ତାକଡ଼ରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ରାସ୍ତାକଡ଼ରୁ ଶିଶୁକନ୍ୟାଟିକୁ ଉଦ୍ଧାର କରି ପୁଲିସ ହସ୍ପିଟାଲକୁ ଆଣିଥିଲା। ମା’ ନିଜ ଛୁଆକୁ ଚିହ୍ନି ପାରିଥିବା ବେଳେ ଶିଶୁଟି ସୁସ୍ଥ ଥିବା ଜଣାଯାଇଛି।
ଶିଶୁକନ୍ୟାଟି ଚୋରି ହେବା ପଛରେ କିଣାବିକା ନେଇ ଡିଲ୍ ହୋଇଥାଇପାରେ ବୋଲି ସୋନପୁର ଏସ୍ପି ସନ୍ଦେହ ପ୍ରକଟ କରିଛନ୍ତି। ସେ କହିଛନ୍ତି,ଏହି ଘଟଣା ପଛରେ ପ୍ରସୂତିଙ୍କ ପରିବାର ଲୋକଙ୍କ ସମ୍ପୃକ୍ତି ଥାଇପାରେ। ଏହା ଉପରେ ତର୍ଜମା ଜାରି ରହିଛି। ଘଟଣାର ତଦନ୍ତ ଚାଲିଛି। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ।
ଶିଶୁକନ୍ୟାଟି ଉଦ୍ଧାର ହେବା ପରେ ପରିବାର ଲୋକଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ । ଶିଶୁକନ୍ୟାଟିକୁ କିଏ ଓ କାହିଁକି ଚୋରି କରିଥିଲା ପୁଲିସ ଘଟଣାର ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ବୀରମହାରାଜପୁର ଉପଖଣ୍ଡ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡିଙ୍କ ପତ୍ନୀ ସନ୍ତୋଷିନୀଙ୍କର ସୋମବାର ପ୍ରସବ ବେଦନା ହେବାରୁ ସୋମବାର ଦିନ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ସେଠାରେ ସକାଳ ୯ ଟାରେ ସନ୍ତୋଷିନୀ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶଯ୍ୟା ଅଭାବରୁ ମା ଓ ଶିଶୁ ଉଭୟେ ପ୍ରସୂତି ୱାର୍ଡର ବାରଣ୍ଡାରେ ଆଶ୍ରୟ ନେଇ ଚିକିତ୍ସିତ ହେଉଥିଲେ। ସନ୍ତୋଷିନୀଙ୍କ ସହିତ ତାଙ୍କ ଶାଶୁ ମଧ୍ୟ ରହିଥିଲେ ।
ଗତକାଲି ସନ୍ତୋଷିନୀ ଶୌଚ ହେବା ପାଇଁ ଯିବା ସମୟରେ ତାଙ୍କ ଶାଶୁ ଶିଶୁ କନ୍ୟାଟିକୁ ଧରିଥିଲେ। ଜଣେ ମହିଳା ତାଙ୍କ ପାଖକୁ ଆସି କନ୍ୟାସନ୍ତାନଟିକୁ ଧରିବା ପାଇଁ କହି ସନ୍ତୋଷିନୀଙ୍କ ଶାଶୁଙ୍କ କୋଳରୁ ଛୁଆଟିକୁ ନେଇ ଯାଇଥିଲେ । ତେବେ ଅଳ୍ପ ସମୟ ଭିତରେ କନ୍ୟା ସନ୍ତାନଟିକୁ ଧରି ମହିଳା ଜଣକ କୁଆଡେ ଫେରାର ମାରିଥିଲେ । ପରିବାର ଲୋକ ଖୋଜି ଖୋଜି ଉକ୍ତ ମହିଳାଙ୍କ ପତ୍ତାପାଇ ନ ଥିଲେ। ଏନେଇ ପରିବାର ଲୋକ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରିଥିଲେ। ଏହାସହ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। ପୁଲିସ ଶିଶୁକନ୍ୟାଟିକୁ ଖୋଜାଖୋଜିବା ପରେ ପ୍ରତାପପୁର ଶରଧାପାଲି ନିକଟ ରାସ୍ତାକଡ଼ରୁ ଉଦ୍ଧାର କରିଥିଲା।
The post କାଲି ଚୋରି ହୋଇଥିଲା, ଆଜି ମିଳିଲା ଶିଶୁକନ୍ୟା appeared first on Odisha Reporter.
from Odisha Reporter https://ift.tt/3r2e1S9
No comments:
Post a Comment