ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା ପାଇଁ ବିବାଦୀୟ ହୋଇପଡ଼ିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଲା। ବିରୋଧୀ ଦଳଙ୍କ ତୀବ୍ର ବିରୋଧ ସତ୍ତ୍ୱେ ଦିବ୍ୟଶଙ୍କର ମୁଖ୍ୟମନ୍ତ୍ରୀଙ୍କ ସହିତ ବସିଲେ। ଖାଲି ବସିଲେନି, ଭାଷଣ ବି ଦେଲେ।
ମୁଖ୍ୟମନ୍ତ୍ରୀ ଆଜି ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବା ପାଇଁ ଭବାନୀପାଟଣାରେ ପହଞ୍ଚିଥିବା ବେଳେ ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନ୍ୟ ମନ୍ତ୍ରୀ ଟୁକୁନି ସାହୁ, ନବ ଦାସ ଓ ନିରଞ୍ଜନ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ସେମାନଙ୍କ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।
ମନ୍ତ୍ରୀ ଟୁକୁନି ସାହୁ ସଭାକୁ ସମ୍ବୋଧିତ କରିବା ପରେ ମନ୍ତ୍ରୀ ଶ୍ରୀ ମିଶ୍ର ଭାଷଣ ଦେଇଥିଲେ। ସେ ତାଙ୍କ ଭାଷଣର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ୧୯୭୦ ପର୍ଯ୍ୟନ୍ତ କଳାହାଣ୍ଡିର ସ୍ଥିତ କ’ଣ ଥିଲା, ୧୯୭୦ରୁ ୨୦୦୦ ପର୍ଯ୍ୟନ୍ତ ଜିଲ୍ଲାର ସ୍ଥିତି କ’ଣ ଥିଲା ଓ ୨୦୦୦ ପରେ ନବୀନ ପଟ୍ଟନାୟକଙ୍କ ଶାସନ କାଳରୁ କ’ଣ ହୋଇଛି, ତା’ର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ କଳାହାଣ୍ଡି ଜିଲ୍ଲାର ବହୁ ବିକାଶ କରିଥିବା ସେ କହିଥିଲେ। ତେବେ ସେ ମମିତା ମେହେର ହତ୍ୟାକାଣ୍ଡ ଓ ମହାଲିଙ୍ଗ ସମ୍ପର୍କରେ କିଛି କହି ନଥିଲେ।
ଅନ୍ୟପକ୍ଷରେ ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସାରା ରାଜ୍ୟରେ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯାଇଛି। ୩୧୪ଟି ବ୍ଲକ୍ରେ ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଅଭିଯୋଗ ଆସିଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଯେଉଁଭଳି ଭାବରେ ତାଙ୍କୁ ମଞ୍ଚରେ ନିଜ ସହିତ ବସାଇଲେ, ତାହା ପ୍ରତି ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଛି ବୋଲି ବିଜେପିର ନେତାମାନେ କହିଛନ୍ତି।
ବଲାଙ୍ଗିରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପି ଆନ୍ଦୋଳନ କରୁଛି। କଚେରି ଛକରେ ବଦଳୀୟ କର୍ମୀ ରାସ୍ତାରୋକ କରିଛନ୍ତି। ଏଥିରେ ସାଂସଦ ସଙ୍ଗୀତା ସିଂହଦେଓ ସାମିଲ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଭୁବନେଶ୍ୱର, କଟକ ଓ ଭବାନୀପାଟଣାରେ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଜୋରଦାର ବିରୋଧ କରାଯାଇଛି।
The post ମୁଖ୍ୟମନ୍ତ୍ରୀଙ୍କ ସହିତ ମଞ୍ଚରେ ବସିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଭାଷଣ ବି ଦେଲେ appeared first on Odisha Reporter.
from Odisha Reporter https://ift.tt/3H41va0
No comments:
Post a Comment